ଇବଥର୍ମାଲ: ଝାରସୁଗୁଡା ଜିଲ୍ଲା ବନହରପାଲି ପୁଲିସକୁ ଶନିବାର ବଡ଼ ସଫଳତା ମିଳିଛି। ପୁଲିସ ୧୮ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଟାଓ୍ବାର ଲାଇନ୍ରେ ବ୍ୟବହୃତ ହେଉଥିବା ୧୫ ଶହ କଣ୍ଡେନସର୍, ୩୪ଟି ବ୍ୟାଟେରି ଏବଂ ୫ ଶହ ବଣ୍ଡଲ ବିଦ୍ୟୁତ ଓ ଅନ୍ୟାନ୍ୟ ତାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାହାଜବାହାଲ ଗ୍ରାମର ରାମପ୍ରସାଦ ବାଗ୍(୩୨), ନୂଆଁଗଡ଼ ଚାରପାଲିର ଜଗଦୀଶ ସତନାମି (୩୬), ଢୁନଢୁନ୍ ଛକର ସୁରୁବାବୁ ରୋହିଦାସ(୨୦), ମହୁଲପାଲିର କୁମର ଭୋଇ (୩୦), ସାହାଜବାହାଲ ମୁଣ୍ଡାପଡ଼ାର ସରୋଜ ମୁଣ୍ଡା (୩୩), ହରି ମୁଣ୍ଡା (୨୪), ବଳରାମ ମୁଣ୍ଡା (୪୨), ମୁନୁରାମ ମୁଣ୍ଡା(୩୯), ବାଲିଜଙ୍ଘା ବୃନ୍ଦାବନ ପଧାନ(୨୨), ଝାରମୁଣ୍ଡାର ସୁଦାମ ଠାକୁର (୨୪), ମାଧବ ଠାକୁର (୪୮), ଶ୍ରୀକାନ୍ତ କୁଅଁର (୨୧), ବିଶିଉତକାର ଅନଓ୍ବର ହୁସେନ(୪୦), ତିଲିଆର ମନୋଜ ପଧାନ, ବଡ଼ସରୁଆ ସୁଦାମ ବେହେରା (୨୪), ତେତେଲକୁଦଲିର ମନୋରଂଜନ ବେହେରା ଓରଫ୍ ରଂଜନ(୨୯)। ଏମାନେ ସମସ୍ତେ ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇଜଣ ବାହାରର ବୋଲି ଜଣାପଡ଼ିଛି। ଜଣେ ଝାରସୁଗୁଡାର ସୁନିଲ ସତନାମି(୨୫) ଓ ଛତିଶଗଡ଼ ଚାଁପାଥାନା ଶକ୍ତି ଅଞ୍ଚଳର ଚନ୍ଦ୍ର ପ୍ରକାଶ ସତନାମି (୨୦)। ଏ ଦୁଇଜଣଙ୍କୁ ଜଗଦିଶ ଆଣି ସାଥିରେ ରଖି କାମରେ ଲଗାଇଥିବା ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ ୧୧ ଓ ୧୨ ତାରିଖ ମଧ୍ୟରାତ୍ରିରେ ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ସାହାଜବାହାଲସ୍ଥିତ ଇଣ୍ଡବରାତ ପାୱାର୍ ପ୍ଲାଣ୍ଟ୍ର ଟାୱାର୍ ଲାଇନ୍ ତାର ଫୁଟ୍ବଲ୍ ପଡ଼ିଆ ନିକଟରେ ଛିଣ୍ଡି ତଳେ ପଡିବାର ଶବ୍ଦ ହୋଇଥିଲା। ପ୍ଲାଣ୍ଟ୍ରେ ଥିବା ସୁରକ୍ଷାକର୍ମୀ ଏହା ଜାଣି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ କହିଥିଲେ। ସିକ୍ୟୁରିଟି ଇନ୍ଚାର୍ଜ ଦିଲ୍ଲୀପ ନାଏକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫୁଟ୍ବଲ୍ ପଡ଼ିଆ ଦେଇ ଯାଇଥିବା ଟାଓ୍ବାର ଲାଇନ୍ରେ କିଛି ଲୋକ ଚଢ଼ି ତାର କାଟିଥିବାରୁ ଏମିତି ଶବ୍ଦ ହୋଇଥିବା ସେ ଜାଣିବାକୁ ପାଇଥିଲେ। ୧୩ ତାରିଖ ଦିନ ସେ ଏ ସଂକ୍ରାନ୍ତରେ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତନାଘନା ଆରମ୍ଭ କରିଥିଲା। ଚାରପାଲି ନୂଆଁଗଡ଼ ନିବାସୀ ଜଗଦୀଶ ସତନାମି ଢୁନଢୁନ ଛକ ନିକଟରେ ଏକ ଯାଗା ପାଚେରି ଆବଦ୍ଧ କରି ରଖିଛନ୍ତି । ୧୪ ତାରିଖ ପୁଲିସ କୌଣସି ସୂତ୍ରରୁ ଖବରପାଇ ଜଗଦୀଶଙ୍କ ଜାଗା ଉପରେ ଚଢ଼ଉ କରିଥିଲା। ସେଠାରୁ ଚୋରି ସାମଗ୍ରୀ ସମେତ ଚୋରମାନେ ଧରାପଡ଼ିଥିଲେ। ଚୋରି ସାମଗ୍ରୀ ନେବା ଆଣିବା କରାଯାଉଥିବା ଏକ ଡାଲା ଅଟୋ (ଓଡି-୧୫ଜି-୩୫୫୬)କୁ ମଧ୍ୟ ପୁଲିସ ଜବତ କରିଛି। ରବିବାର ସକାଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ମେହେର କହିଛନ୍ତି। ଅକ୍ଟୋବର ୧୦ ତାରିଖରେ ମଧ୍ୟ ପୁଲିସ ପ୍ରାୟ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିବା ସହିତ ୧୫ ଜଣଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ ଯେ ସହାଜବାହାଲଠାରେ ନିର୍ମିତ ଇଣ୍ଡବରାତ୍ ପାଓ୍ବାରପ୍ଲାଣ୍ଟରୁ ଚୋରି ନୂଆ ଘଟଣା ନୁହେଁ। ଏଠାରୁ ବର୍ଷବର୍ଷ ଧରି ଚୋରି ହେଉଛି ଏବଂ ଚୋରମାନେ ଆରାମରେ ବୁଲୁଛନ୍ତି। ଧରା ପଡିଲେ ବେଲରେ ଆସି ପୁଣି ସେହି ଚୋରି କରୁଛନ୍ତି। ପୁରୁଣା ଚୋର ଯୁବପିଢିଙ୍କୁ ଏଥିରେ ସାମିଲ କରାଇ ପଥଭ୍ରଷ୍ଟ କରୁଛନ୍ତି। ଏଣୁ ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନେବା ସହ ଅଞ୍ଚଳରୁ ଚୋରି ଦମନ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/7f61ad78-adac-49f2-ae19-3b80b39b5c36.jpg)