ପାଟଣାଗଡ଼ ମେଡିକାଲ୍‌ରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ୨ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଏକ ଶିଶୁପୁତ୍ରକୁ ଜଣେ ମହିଳା ଚୋରି କରି ଫେରାର ହୋଇଯାଇଥିବା  ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରେ ଜଣେ ମହିଳା ଓ ପୁରୁଷ ଏକ ବାଇକ୍‌ରେ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଜଣାପଡ଼ିଥିଲା। ବାଇକ୍‌ ନମ୍ବରକୁ ଆଧାର କରି ପୁଲିସ ଟ୍ରାକ୍‌ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ୧୧ରୁ ସାଢ଼େ ୧୧ଟା ସମୟ ମଧ୍ୟରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ୬୭ ନମ୍ବର କେବିନରେ ଭର୍ତ୍ତି ହୋଇଥିବା ପ୍ରସୂତି ଜୟନ୍ତୀ ତାଣ୍ଡିଙ୍କ ପାଖକୁ ଜଣେ ଅଚିହ୍ନା ମହିଳା ଆସିଥିଲା। କେବିନ ପାଖ ବାରଣ୍ଡାରେ ଜୟନ୍ତୀଙ୍କ ମା’ ଓ ଶାଶୁ ନବଜାତକକୁ ଧରିଥିଲେ। ସେଠାରେ ଉକ୍ତ ଅଚିହ୍ନା ମହିଳା ଜଣକ ଜୟନ୍ତୀ ଓ ତାଙ୍କ ପରିବାର ବର୍ଗଙ୍କ ସହିତ କଥାବାର୍ତ୍ତା କରିଥିଲା। କଥାବାର୍ତ୍ତା ହେବା ବେଳେ ମହିଳା ଜଣକ ତା’ର ସମ୍ପର୍କୀୟଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା କଥା କହିଥିଲା। ପରେ ଆସି ପିଲାଟି ସୁନ୍ଦର ହୋଇଛି ବୋଲି କହି ତାକୁ ଧରିବ ବୋଲି ଅନୁରୋଧ କରିଥିଲ।

ଏହା ପରେ ଜୟନ୍ତୀଙ୍କ ପରିବାବର୍ଗ ଉକ୍ତ ମହିଳାଙ୍କୁ ୪ ଦିନର ଶିଶୁ ପୁତ୍ରକୁ ଧରାଇ ଦେଇଥିଲେ। କିଛି ସମୟ ମହିଳା ଜଣକ ଶିଶୁପୁତ୍ରକୁ ଧରିଥିଲା। ଏହି ସମୟରେ ଜୟନ୍ତୀଙ୍କ ଶାଶୁ ଓ ମା’ ଜୟନ୍ତୀଙ୍କ ୩ ବର୍ଷ ବୟସର ଝିଅକୁ ନେଇ ଗାଧୋଇବା ପାଇଁ ଡାକ୍ତରଖାନା ପରିସରରେ ଥିବା ଏକ ନଳକୂଅକୁ ଯାଇଥିଲେ। ଏହାର ସୁଯୋଗରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ କୁଆଡ଼େ ଫେରାର ହୋଇଥିଲା। ଏହା ଦେଖି ଜୟନ୍ତୀ ତା’ର ପିଛା କରିଥିଲେ। ହେଲେ ତାକୁ ଆଉ ଦେଖି ପାରି ନ ଥିଲେ।

ସମ୍ବନ୍ଧିତ ଖବର