ରାୟଗଡା: ରାୟଗଡାର ମା‘ ମଝିଘରିଆଣିଙ୍କୁ ଯେତିକି ଲୋକ ଜାଣନ୍ତି, ସେତିକି ଲୋକ ପଥର ଦେବତାଙ୍କୁ ମଧ୍ୟ ଜାଣନ୍ତି। କହିବାର ଅର୍ଥ ହେଲା ମା‘ ମଝିଘରିଆଣିଙ୍କ ମନ୍ଦିରକୁ ଯିବା ରାସ୍ତାରେ ପଡେ ପଥର ଦେବତାଙ୍କ ସ୍ଥଳୀ। ଏହାର ନାମ ହେଉଛି ଜେନା ପଥର ମନ୍ଦିର। ବିରାଟକାୟ ଝିଲ ଗଛ ତଳେ ଏହି ମନ୍ଦିର। ଏଠାରେ ଭୋଗ ପାଇଁ ପଥର ଖଣ୍ଡିକ ପ୍ରଦାନ କରାଯାଇଥାଏ। ମଝିଘରିଆଣିଙ୍କ ମନ୍ଦିରକୁ ଯିବା ବାଟରେ ଏହି ମନ୍ଦିର ପଡୁଥିବାରୁ ଭକ୍ତ ଏଠାରେ ଅଟକି ଖଣ୍ଡେ ପଥର ଦେଇ ପୁଣି ଆଗକୁ ବଢିଥାନ୍ତି। ଏହା ଅଜବ ଲାଗିଲେ ମଧ୍ୟ ଏହା କାହିଁ କେଉଁକାଳରୁ ଲୋକେ ମାନିବା ସହ ଭକ୍ତି କରିଆସୁଛନ୍ତି। ଯଦି କେହି ପଥର ଭୋଗ ଦେଇନପାରନ୍ତି ତେବେ ସେଠାରେ ଠିଆହୋଇ ନମସ୍କାର କରି ପୁଣି ଆଗକୁ ବଢନ୍ତି। କିମ୍ବଦନ୍ତୀ ଅନୁଯାୟୀ ପୂର୍ବରୁ ମା‘ ମଝିଘରିଆଣିଙ୍କ ମହିମା କ୍ରମେ ଲୋକେ ଏଠାକୁ ପ୍ରଥମେ ଆସି ପୂଜା କରିବା ପରେ ମା‘ ମଝିଘରିଆଣିଙ୍କ ମନ୍ଦିର ଯାଉଥିଲେ। ସେଠାରେ ନରବଳୀ ଦିଆଯାଉଥିଲା।ଦୀର୍ଘ ବର୍ଷ ପରେ ଏହା ଉଚ୍ଛେଦ ହେଲା। ଏହା ବଦଳରେ ଲୋକେ ବୋଦା ଛେଳିକୁ ମା‘ଙ୍କ ନିକଟରେ ବଳି ଦେଉଛନ୍ତି।

Advertisment

ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ଛେଳିକୁ ବଳି ପାଇଁ ଅଣାଯାଇଥାଏ। ସେହି ଛେଳିକୁ ପ୍ରଥମେ ଏଠାରେ ପୂଜା କରିବା ପରେ ଛାଡି ଦିଆଯାଏ। ଛେଳିଟି ଆପେ ଆପେ ମା‘ଙ୍କ ମନ୍ଦିର ନିକଟରେ ପହଞ୍ଚିଯାଇଥାଏ। ପରେ ମଧ୍ୟରାତ୍ରୀରେ ବଳି ଦିଆଯାଇଥାଏ। ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳେ ବୋଲି ମନ୍ଦିରର ପୂଜକମାନେ କୁହନ୍ତି। ମା‘ ମଝିଘରିଆଣି ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ ପୂର୍ବରୁ ନରବଳୀ ଦିଆଯାଉଥିଲା। କିନ୍ତୁ ସମୟକ୍ରମେ ତାହା ବନ୍ଦ ହେବା ପରେ ଅଷ୍ଟମୀ ଦିନ ପୂଜା ପୂର୍ବରୁ ଜେନା ପଥର ମନ୍ଦିର ନିକଟରେ ଛେଳିକୁ ନେଇ ପୂଜାର୍ଚ୍ଚନା କରିବା ପରେ ମା‘ଙ୍କ ନିକଟରେ ବଳି ଦିଆଯାଉଛି। ତେଣୁ ଏହା ବର୍ଷ ବର୍ଷଧରି ଲୋକେ ମାନିଆସୁଛନ୍ତି। ଏକ ବିରାଟ ପଥର ସେଠାରେ ରହିଥିବାବେଳେ ଲୋକେ ପଥର ଖଣ୍ଡେ ପକାଇଲେ ସେମାନଙ୍କର ଭୋଗ ଲାଗେ ବୋଲି ବିଶ୍ବାସ କରନ୍ତି।ତେବେ ଜନଜାତି ଲୋକେ ଏହାକୁ ମା‘ ମଝିଘରିଆଣିଙ୍କ ପ୍ରତିନିଧି ରୂପେ ପୂଜା କରନ୍ତି। ଏଠାକୁ ଆସି ପ୍ରଥମେ ପୂଜା କରିବା ପରେ ମନ୍ଦିର ଯାଇ ପୂଜା କରନ୍ତି। ଏହି ବିଶ୍ବାସ ଦୀର୍ଘ ବର୍ଷ ହେଲା ଚଳି ଆସୁଛି। ଏବେ ବି ଏହି ପରଂପରା ରହିଛି।

ଲୋକେ ଏହି ରାସ୍ତା ଦେଇ ଯାଉଥିବାବେଳେ ପଥର ଖଣ୍ଡେ ହାତରେ ଧରି ଭୋଗ ଭାବେ ଏଠାରେ ପକାନ୍ତି।ଖଣ୍ଡେ ପଥର ପାଇଲେ ଏହି ଦେବତା ବହୁ ଖୁସି ହୁଅନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି। ଯେଉଁ ଭକ୍ତ ଏ ବିଷୟରେ ଅବଗତ ହେଉଛନ୍ତି କିଛି ସମୟ ଆଶ୍ଚର୍ଯ୍ୟ ହେବା ପରେ ପୁଣି ନିଜ ମନକୁ ବୁଝାଇବା ସହ ମୁଣ୍ଡ ନୁଆଁଇ ନମସ୍କାରଟିଏ କରୁଛନ୍ତି। ତେବେ ଏଭଳି ଭିନ୍ନ ଏକ ଦେବତା ଗୁପ୍ତେଶ୍ବରର ଡାଲଖାଇ ମନ୍ଦିର ପରେ ରହିଥିବା କୁହାଯାଏ। ଗୁପ୍ତେଶ୍ବର ଯିବା ପୂର୍ବରୁ ଡାଲଖାଇ ମନ୍ଦିରରେ ଖଣ୍ଡିଏ ଡାଳ ପକାଇ ଲୋକେ ପୂଜା କରିଥାନ୍ତି। ମା‘ ଡାଲଖାଇଙ୍କୁ ଡାଳ ଦେଲେ ସେ ବହୁତ ଖୁସି ହେଉଥିବା ଲୋକେ ବିଶ୍ବାସ କରନ୍ତି। ସେହିଭଳି ଏଠାରେ ପଥର ଭୋଗ ଦେଇ ଲୋକେ ଖୁସି ଏବଂ ଜେନା ଦେବତା ମଧ୍ୟ ଖୁସି ବୋଲି ଲୋକେ ମାନନ୍ତି।