ରୁପ୍ରାରୋଡ୍: କଳାହାଣ୍ଡି ଜିଲ୍ଲାସ୍ଥିତ ପ୍ରାଚୀନ ପଶ୍ଚିମ ଓଡ଼ିଶାର ଇତିହାସକୁ ସମୃଦ୍ଧ କରିଥିବା ଅସୁରଗଡ଼ ଦୁର୍ଗ ନିକଟ ଗାଁ ହେଉଛି ଭୀମକେଲା। ଏଠାରେ ଗୁପ୍ତ ଯୁଗ ବା ୪ର୍ଥ ଶତାବ୍ଦୀର ପାଞ୍ଚ ଫୁଟ୍ ଉଚ୍ଚତା ବିଶିଷ୍ଟ କଳା ମୁଗୁନି ପଥରରେ ତିଆରି ବିଷ୍ଣୁ ପ୍ରତିମା ଗାଁ ମୁଣ୍ଡରେ ଥିବା ବେଳେ ପୁଣି ଏକ ପଥର ନିର୍ମିତ ମୂର୍ତ୍ତି ମିଳିଛି। ମୂର୍ତ୍ତିକୁ ଦେଖିବାକୁ ଶତାଧିକ ସଂଖ୍ୟାରେ ଲୋକଙ୍କ ସୁଅ ଛୁଟୁଛି।
ଗତ ୧୩ ତାରିଖ ଅପରାହ୍ରେ ଭୀମକେଲା ଓ ମୁରସିଂ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ରାସ୍ତା ପାର୍ଶ୍ବ ଏକ ବିଲରୁ ଜେସିବି ସାହାଯ୍ୟରେ ମାଟି ଉତ୍ତୋଳନ ସମୟରେ ହଠାତ୍ ମାଟି ସହ ଏହି ମୂର୍ତ୍ତି ମିଳିଥିଲା।
ଭୀମକେଲା ଓ ଲାଖଗୁଡା ଲୋକେ ମୂର୍ତ୍ତିଙ୍କୁ ଆଣି ବିଷ୍ଣୁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ରଖିଥିବାରୁ ଆଖପାଖ ଗାଁ ଗୁଡିକରୁ ଲୋକମାନେ ଏହା ଦେଖିବାକୁ ଆସୁଛନ୍ତି। ଅଢେ଼ଇ ଫୁଟ ଉଚ୍ଚତା ଓ ପ୍ରସ୍ଥ ୩୦ ସେଣ୍ଟିମିଟର ପଥରର ଏହି ମୂର୍ତ୍ତିଟି ଅଟେ। ପୁରୁଷ ଓ ମହିଳା ମୂର୍ତ୍ତିକୁ ଅବଲୋକନ କଲେ ଜଣାଯାଏ ଯେ ପୁରୁଷଙ୍କ ତିନି ଗୋଟି ମୁଣ୍ଡ ସହ ଗୋଟିଏ ହସ୍ତରେ ପୁସ୍ତକ ଧାରଣ ସହ ନାରୀ ମୂର୍ତ୍ତିଙ୍କ ହାତରେ ବୀଣା ଧାରଣ କରି ଥିବା ଦେଖାଯାଉଛି। ଗବେଷକ ଜିତେନ୍ଦ୍ର ନାଗ, ଆଶିଷ ସାହୁ ଓ ବିଶିଷ୍ଟ ଗବେଷକ ଶଶାଙ୍କ ଶେଖର ପଣ୍ଡା, ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧୀକ୍ଷକ ଦିବିଷଦ ଗଡ଼ନାୟକ ଏହା ଐତିହାସିକ କାଳର ପୁରାତନ ମୂର୍ତ୍ତି ବୋଲି ମତ ରଖିଛନ୍ତି। ତେବେ ଏହା ଉପରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।