ଗାରୋଇ: ନାଉଗାଁ ବ୍ଲକ୍ କୋରୁଅ ପଞ୍ଚାୟତର ଗାରୋଇ ମାଛଗାଁ ରାସ୍ତାରେ ବାଉଁଶଜୋର ସ୍ଲୁଇସ୍ ଗେଟ୍ ଦେଇ ପ୍ରବାହିତ ହୋଇଥାଏ ବ୍ଲକର ୭୦ଭାଗ ଚାଲଜମିର ଉଦ୍ବୃତ୍ତ ଜଳ। ଏହି ଉଦ୍ବୃତ୍ତ ଜଳ ଦାଉରୁ ନଦୀପଠା ସହ ଗାରୋଇ ମାଛଗାଁ ରାସ୍ତାକୁ ସୁରକ୍ଷା ଦେବା ପାଇଁ ୨୦୧୯ ମସିହାରେ ଜଗତସିଂହପୁର ଜିଲ୍ଲା ଜଳସେଚନ ପକ୍ଷରୁ ବାଲିକୁଦା ଜଳସେଚନ ଉପଖଣ୍ତ କାର୍ଯ୍ୟାଳୟ ଦ୍ବାରା ପଥର ପ୍ୟାକିଂ କାର୍ଯ୍ୟ କରାଯାଇଥିଲା। ସୂଚନା ଫଳକ କହୁଛି, ଦେବୀନଦୀ ବାମପାର୍ଶ୍ବର ଉନ୍ନତୀକରଣ ସହ ନୁଗୁରାନାଳି ମୁହଁ ସୁରକ୍ଷା କାର୍ଯ୍ୟ ଏବଂ ଜିଲ୍ଲା ଗ୍ରାମ୍ୟ ଓ ସଡକ ଉନ୍ନୟନ ରାସ୍ତାର ୦.୨୮ କିମିରୁ ୦.୩୬କିମି ସ୍ଲୁଇସ୍ଗେଟ୍ ଡାହାଣପାର୍ଶ୍ବର ପଥର ପ୍ୟାକିଂ ସହିତ ୦.୦୨୫ କିମିରୁ ୦.୧୬୦ ବାମପାର୍ଶ୍ବର ଉନ୍ନତି ମାଛଗାଁ ପଞ୍ଚାୟତର ଅସିଲୋ ଗ୍ରାମ ପର୍ଯ୍ୟନ୍ତ କରାଯାଇଛି। ଏହି କାର୍ଯ୍ୟଭାର ତୁଷାର ଗନ୍ତାୟତ ନାମକ ବ୍ୟକ୍ତିଙ୍କୁ ଦିଆଯାଇଥିବା ବେଳେ ଏହାର ବ୍ୟୟ ଅଟକଳ ୫୮ ଲକ୍ଷ ୫୧ହଜାର ୩୨୨ ଟଙ୍କା ରହିଛି। କିନ୍ତୁ ସୂଚନା ଫଳକରେ ଲେଖାଯାଇଥିବା କାର୍ଯ୍ୟ ଓ ଠିକା ସଂସ୍ଥା ପକ୍ଷରୁ ହୋଇଥିବା କାର୍ଯ୍ୟରେ ଆକାଶ ପାତାଳ ଫରକ ରହିଥିବା ଦେଖିବାକୁ ମିଳିଥିଲା। କେବଳ ବାଉଁଶଜୋର ସ୍ଲୁଇସ୍ ଗେଟ୍ର ଉଭୟପାର୍ଶ୍ବକୁ ଠିକାସଂସ୍ଥା ଛୋଟ ବଡ଼ ପଥର ମିଶାଇ ମାତ୍ର କେତେ ମିଟରରେ କାର୍ଯ୍ୟ ଶେଷ କରିଦେଇଥିଲା। ଏହି ନିମ୍ନମାନର କାର୍ଯ୍ୟକୁ ନେଇ ସେହି ସମୟରେ ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ସହ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। କାର୍ଯ୍ୟ ଶେଷ ହେବାର ୩ବର୍ଷ ପୂରି ନଥିବା ବେଳେ ଉକ୍ତ ସ୍ଲୁଇସ୍ ଗେଟ୍ର ଉଭୟପାର୍ଶ୍ବ ବିପର୍ଯ୍ୟସ୍ତ ହେବା ସହ ଗେଟ୍ ତଳେ ମାତ୍ର କେତେଖଣ୍ତ ପଥର ପଡ଼ିଛି।
ଉଲ୍ଲେଖଯୋଗ୍ୟ, ଯଦି ଚଳିତବର୍ଷ ଦେବୀନଦୀରେ ବନ୍ୟା ଆସେ, ତେବେ ନଦୀପଠା ନଦୀରେ ମିଶିବା ସହ ଚାଷୀଙ୍କ କାର୍ଯ୍ୟ ପାଇଁ ନିର୍ମିତ ବାଉଁଶଜୋର ସ୍ଲୁଇସ୍ ଗେଟ୍ ପ୍ରତି ବିପଦ ସୃଷ୍ଟି କରିବା ସହ କୋଟି କୋଟି ଟଙ୍କାରେ ନିର୍ମିତ ଓଷକଣା ମାଛଗାଁ ପ୍ରତି ବିପଦକୁ ଏଡ଼ାଇ ଦିଆଯାଇ ନପାରେ। ଏ ସମ୍ପର୍କରେ କୋରୁଅ ସରପଞ୍ଚ ଗୀତାଞ୍ଜଳି ବେହେରା କହିଛନ୍ତି, କେବଳ ଏହି କାମ ନୁହେଁ, ଗତ ୨୦୨୧ ମସିହାରେ ଗାରୋଇଠାରେ ନିର୍ମିତ ପଥର ବୁରୁଜ ମଧ୍ୟ ବିପର୍ଯ୍ୟସ୍ତ। ଅନ୍ୟପଟରେ ବ୍ଲକ୍ ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ବାଇଁ କହିଛନ୍ତି, ନାଉଗାଁ ବ୍ଲକ୍ର ୬୦ ଭାଗ ଜମିର ଉଦ୍ବୃତ୍ତ ଜଳ ବାଉଁଶଜୋର ସ୍ଲୁଇସ୍ ଗେଟ୍ ମାଧ୍ୟମରେ ଦେବୀନଦୀକୁ ଯାଇଥାଏ। ଜଳସେଚନ ବିଭାଗ ସ୍ଲୁଇସ୍ ଗେଟ୍ର ସୁରକ୍ଷା ପ୍ରତି ଚାଷୀମାନେ ଦୃଢ଼ ଦାବି କରିଛନ୍ତି। ଏତେ କମ୍ ଦିନ ମଧ୍ୟରେ ଏହି କାର୍ଯ୍ୟ ଏପରି ଅବସ୍ଥା ହେବା ସମ୍ପର୍କରେ ବାଲିକୁଦା ଜଳସେଚନ ଉପଖଣ୍ତର କନିଷ୍ଠ ଯନ୍ତ୍ରୀ ଅନିଲ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍ଯ୍ୟ ଠିକ୍ ହୋଇଥିଲା। କିନ୍ତୁ ସ୍ଲୁଇସ୍ ଗେଟ୍ ମୁହଁରେ ଦିଆଯାଇଥିବା ପଥର ଦେବୀନଦୀ ଭିତରକୁ ଠେଲି ହୋଇଯାଇଛି। ତେବେ, ସ୍ଲୁଇସ୍ ଗେଟ୍ ପ୍ରତି କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/DEBI-NADI_6.jpg)