ପୁନ୍ଦାଳ ଡିଭିଜନରେ ଗୁପ୍ତ ଟେଣ୍ଡର୍‌ ଦୁର୍ନୀତି, ପିଁପୁରରେ ନିମ୍ନମାନର ପଥର ପ୍ୟାକିଙ୍ଗ୍‌

ତାରପୁର: ମହାନଦୀ ନର୍ଥ ଜଳସମ୍ପଦ ବିଭାଗ ପୁନ୍ଦାଳ ସବ୍‌ଡିଭିଜନ୍ ଓରିକଂଟା କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ଉତ୍ତରକୂଳ ପଂଚାୟତ ପିଁପୁର ଠାରେ ମହାନଦୀରେ ଚାଲିଥିବା ପଥର ପ୍ୟାକିଙ୍ଗ୍‌ କାମକୁ ଗୁପ୍ତ ଟେଣ୍ଡରରେ ଜଣେ ଠିକାଦାରଙ୍କ ହାତକୁ ଟେକି ଦିଆଯାଇଛି। କାମ ଚାଲିଥିବା ସ୍ଥାନରେ ସୂଚନା ଫଳକ ନାହିଁ। କାମ ତଦାରଖ କରିବାକୁ କେହି ନାହାନ୍ତି। ଅପେକ୍ଷାକୃତ ଛୋଟ ତଥା ନିମ୍ନମାନର ପଥର ପ୍ୟାକିଂ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଉଲ୍ଲେଖଯୋଗ୍ୟ ପୁନ୍ଦାଳ ସବ୍‌ଡିଭିଜନ୍‌ରେ ବିଗତ ୩ ବର୍ଷରେ ୫ କୋଟି ଟଙ୍କାର ଗୁପ୍ତ ଟେଣ୍ଡର ଜରିଆରେ ଠିକାଦାରଙ୍କୁ ସନ୍ତୁଷ୍ଟ କରାଯାଇ ନିମ୍ନମାନର କାର୍ଯ୍ୟରେ ବ୍ୟାପକ ହେରଫେର୍‌ ହେଉଛି। ପିଁପୁର ପଂଚାୟତର ପିଁପୁର ଠାରୁ ତଇଲ ପର୍ଯ୍ୟନ୍ତ ପ୍ରତି କାମବର୍ଷ ନଦୀରେ ବନ୍ୟା ଆସିଲେ ବିପଦ ମାଡ଼ିଆସେ। ପ୍ରଖରସ୍ରୋତରେ ଏହି ପଠା ଖାଇ ଯାଉଥିବାବେଳେ ଗ୍ରାମ୍ୟ ଜଙ୍ଗଲ ସହ ସ୍ଥିତିବାନ୍ ସମ୍ପତ୍ତି ନଦୀ ଗର୍ଭକୁ ଚାଲିଯାଉଛି। ଗତ ୨ ବର୍ଷ ପୂର୍ବେ ଏଠାରେ ଘାଇ ଆଶଙ୍କା ଆତଙ୍କର କାରଣ ହୋଇଥିଲା। ଏହି ପଠାର ସୁରକ୍ଷା ନିମନ୍ତେ ପଥର ପ୍ୟାକିଙ୍ଗ୍‌ କରାଯିବାକୁ ଅଂଚଳବାସୀ ଦାବି କରି ଆସୁଥିବାବେଳେ ହେଉଛି। କିନ୍ତୁ ସେହି ପଥର ନଦୀ ଗର୍ଭରେ ଗ୍ରାସ ହେଉଛି। ପଥର ପ୍ୟାକିଙ୍ଗ୍‌ କାମ ପାଇଁ କାହାରିକୁ ଉତ୍ତରଦାୟୀ ମଧ୍ୟ କରାଯାଉନାହିଁ। ମହାନଦୀର ପ୍ରଖର ସ୍ରୋତକୁ ଏହି ନିମ୍ନମାନର ଛୋଟ ଛୋଟ ପଥର ଖଣ୍ଡ ସୁରକ୍ଷା ଦେଇପାରିବ ନାହିଁ।

ପାଣି ଭିତରେ ବିନା ବେସ୍‌ରେ କେବଳ ପଠା କଡ଼ରେ ପଥର ଖଂଜି ଦିଆଯାଉଛି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ବନ୍ୟା ପାଣି ଆସିବା ପର୍ଯ୍ୟନ୍ତ କାମ ଚାଲିବ ଓ ଠିକ୍‌ ବନ୍ୟା ପାଣି ଆସିଲେ କାମ ଶେଷ ଦର୍ଶାଇ ବିଲ୍‌ ଉଠାଇ ନିଆଯିବ। ପ୍ରତିବର୍ଷ ଏଭଳି କାରସାଦିରେ କେବଳ ଅର୍ଥ ହରିଲୁଟ୍‌ କରାଯାଉଛି। ନଦୀବନ୍ଧ ସୁରକ୍ଷା କାମକୁ ସଠିକ୍‌ ଢଙ୍ଗରେ କରାନଗଲେ ଅତିଷ୍ଠ ଜନସାଧାରଣ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଶୁଣାଇଛନ୍ତି। ଏ ବାବଦରେ ପୁନ୍ଦାଳ ଏସ୍‌ଡିଓ ଙ୍କୁ ଫୋନ୍ କଲେ ଏହା ତାଙ୍କର କାମ ନୁହେଁ, କନିଷ୍ଠଯନ୍ତ୍ରୀଙ୍କ ତଦାରଖ ଦାୟିତ୍ୱ ବୋଲି କହି ଏଡ଼ାଇ ଯାଉଛନ୍ତି। ମହାନଦୀର ଏହି ୩ କିମି ପଠାରେ ମାହାଳହାଟ, ସରସ୍ବତୀ ଶିଶୁ ମନ୍ଦିର, ଅନେକ ଛୋଟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନ ଓ ସ୍ଥିତିବାନ ଜମି ଥିବାରୁ ଘାଇ ମୁହଁରେ ଭାସିଯିବା ଆଶଙ୍କା ରହୁଛି। ତେଣୁ ଏହି ପଥର ପ୍ୟାକିଙ୍ଗ୍‌ କାର୍ଯ୍ୟକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ପରିଜା, ପବିତ୍ର ସାହୁ, ପ୍ରତାପ ଦାସ, ନିମାଇଁ ମହାପାତ୍ର, ରମାକାନ୍ତ ମହାପାତ୍ର କଟକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ତେବେ ଓରିକଂଟା କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି କାମ ଠିକ୍‌ଠାକ୍‌ ଚାଲିଛି।

ସମ୍ବନ୍ଧିତ ଖବର