ବେଆଇନ ଗୋରୁ ଚାଲାଣକାରୀଙ୍କୁ ଅଟକାଇବାକୁ ଯାଇଥିବା ଗୋରକ୍ଷକ ଓ ପୁଲିସ ଉପରକୁ ଢେଲାମାଡ଼

ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ବେଗୁନିଆରୁ ଖୋର୍ଦ୍ଧା ପଟକୁ ଆସୁଥିବା ବେଆଇନ ଗୋରୁ ଚାଲାଣ କରୁଥିବା ଟ୍ରକ୍କୁ ଅଟକାଇବାକୁ ଯାଇଥିବା ଗୋରକ୍ଷକ ଓ ପୁଲିସ ଉପରକୁ ଗୋରୁଚାଲାଣକାରୀମାନେ ଢେଲାମାଡ଼ କରିଛନ୍ତି । ଏଥିରେ କେହି ଆହତ ହୋଇନଥିଲେ ମଧ୍ୟ ଏହି ଘଟଣା ପୁଲିସ ପାଇଁ ଖୋଲା ଚାଲେଂଜ୍ ସୃଷ୍ଟି କରିଛି ।

ସୂଚନାନୁସାରେ, ବେଗୁନିଆ କୁଶପଲ୍ଲା ଗାଁରୁ କେତେକ ଲୋକ ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ନେଇ ଖବର ପାଇ ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ୮-୯ଜଣ ଗୋରକ୍ଷକ ବେଗୁନିଆ ପୁଲିସକୁ ସୂଚନା ଦେଇଥିଲେ । ବେଗୁନିଆ ପୁଲିସ୍ ସହାୟତାରେ ସେମାନଙ୍କୁ ରାସ୍ତାରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଗୋରୁ ଟ୍ରକ୍ଟି ଦ୍ରୁତଗତିରେ ଖସି ଚାଲିଯାଇଥିଲା । ଗୋରୁ ଚାଲାଣକାରୀ ଟ୍ରକ୍ଟିକୁ ପିଛା କରୁଥିବା ପୁଲିସ ଓ ଗୋରକ୍ଷକଙ୍କୁ ବାଘମାରୀ ପୂର୍ବରୁ ୨୦ରୁ ଉଦ୍ଧ୍ୱର୍ ମୋଟରସାଇକଲ୍ ଓ ୩ଟି ବୋଲେରୋରେ ପ୍ରାୟ ୪୦ଜଣ ଲୋକ ଘେରାବନ୍ଦୀ କରି ଢେଲାମାଡ଼ କରିଥିଲେ । ସେଠାରୁ କୌଣସି ମତେ ଖସି ଆସି ବାଘମାରୀ ପୁଲିସର ସହାୟତାରେ ଖୋର୍ଦ୍ଧା ଗଙ୍ଗପଡ଼ା ଯାଏଁ ଗୋରକ୍ଷକମାନେ ଚାଲିଆସିଥିଲେ ।

ଆଜି ଏହି ଘଟଣାରେ ସମ୍ପୃକ୍ତ ଗୋରକ୍ଷକଙ୍କ ପକ୍ଷରୁ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରାଙ୍କୁ ଭେଟି ଗୋରୁ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଥିଲେ । ଦାବିପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ବେଗୁନିଆ, ଜମାସାହି, ପରୀକ୍ଷେତ, କୁଶପଲ୍ଲା ଓ କେରଙ୍ଗ ଇଲାକାରୁ ନିୟମିତ ଭାବେ ଶତାଧିକ ଗୋରୁ ବେଆଇନଭାବେ ଚାଲାଣ କରାଯାଉଛି । ଗତକାଲି କୁଶପଲ୍ଲାରୁ ଗୋରୁ ଚାଲାଣ କରୁଥିବା ମାଫିଆଙ୍କ ଆକ୍ରମଣରୁ ସେମାନେ ଓ ବେଗୁନିଆ ପୁଲିସର କେତେକ କର୍ମଚାରୀ ଅଳ୍ପକେ ରକ୍ଷା ପାଇଛନ୍ତି । ଏହି ଅଂଚଳରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ବ୍ୟାପକ କରିବା ସହ ବେଆଇନ ଗୋରୁ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର