ମାଙ୍କଡ଼ା ପଥର ମାଫିଆଙ୍କ ବିରୋଧରେ ମାସକୁ ୧୦୦ ଅଭିଯୋଗ, ତଥାପି ପ୍ରଶାସନ ଚୁପ୍

ଖୋର୍ଦ୍ଧା: ଖୋର୍ଦ୍ଧାରେ ମାଙ୍କଡ଼ା ପଥର ଓ ମୋରମ୍ ମାଫିଆଙ୍କ ସାମ୍ରାଜ୍ୟ ଆଗରେ ଜିଲ୍ଲା ପ୍ରଶାସନ ହାର ମାନିଛି । ଦୈନିକ ଲଘୁ ଖଣିଜଦ୍ରବ୍ୟ ମାଫିଆଙ୍କ ଦୌରାତ୍ମ୍ୟ ବିରୋଧରେ ସଂଖ୍ୟାଧିକ ଓ ମାସକୁ ପ୍ରାୟ ଶହେ ସରିକି ଅଭିଯୋଗ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ଆସି ପହଂଚୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଆଜି ପୁଣି ପଥର ମାଫିଆଙ୍କ ଦାଦାଗିରି ନେଇ ମହିଳାମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

ଆଜି କୁଂଜବିହାରୀ ପାଟଣାର କେତେକ ମହିଳା ଜିଲ୍ଲାପାଳଙ୍କୁ ମାଙ୍କଡ଼ା ପଥର ମାଫିଆଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିଲେ । ସେମାନଙ୍କ କହିବା କଥା ହେଲା ମାଫିଆମାନେ କେବଳ ସରକାରୀ କିମ୍ବା ଜଙ୍ଗଲ ଜମି ନୁହେଁ ଘରୋଇ ଜମିରୁ ମଧ୍ୟ ଡରାଇ ଧମକାଇ ପଥର କାଟି ନେଉଛନ୍ତି ।

ଖୋର୍ଦ୍ଧାଗଡ଼ର ଐତିହାସିକ ଓ ସଂସ୍କୃତି ବିଭାଗ ଅଧୀନରେ କୁଂଜବିହାରୀଙ୍କ ଜମିରୁ ମଧ୍ୟ ପଥର ଖୋଳି ନେବା ଆରମ୍ଭ କରିଛନ୍ତି । ଏନେଇ ସେମାନେ ପ୍ରତିବାଦ କଲେ ପ୍ରାଣରେ ମାରିଦେବାର ଧମକ ଦେଉଛନ୍ତି । ଏନେଇ କିଛି ଦିନ ପୂର୍ବେ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା, ଏନେଇ ଖବର ପାଇ ପଥର ମାଫିଆ ସେମାନଙ୍କ ଗାଁର କିଛି ଲୋକ ଏପରିକି ସେମାନଙ୍କ ପରିବାର ଲୋକଙ୍କୁ ହାତ କରି ଚାପ ପକାଇବା ଆରମ୍ଭ କରିଛନ୍ତି ।

ଅନୁରୂପ ଭାବେ ପାଇକତିଗିରିଆରେ ମଧ୍ୟ ମାଫିଆଙ୍କ ବିରୋଧରେ ଗାଁର କିଛି ଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପାଇକତିଗିରିଆର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨-୩ଶହ ମିଟର ଦୂରରେ ଗାଁର ଗୋଚର ଓ ଶ୍ମଶାନ ଜମିରେ ପଥର ଖୋଳି ନେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ନେଇ ସେମାନେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ସଦର ମହକୁମାରେ ପଥର ମାଫିଆଙ୍କ ଏଭଳି ଦୌରାତ୍ମ୍ୟରେ ଜନସାଧାରଣ ଅତିଷ୍ଠ ହୋଇ ପୁଲିସ-ପ୍ରଶାସନର ସହାୟତା ପାଇଁ ଆବେଦନ କରୁଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ୍ ରହିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ୨୦୨୦ରେ ଏନଜିଟିର ଜିଲ୍ଲାରେ ବିଶେଷତଃ ଖୋର୍ଦ୍ଧାରେ ଚାଲୁଥିବା ବେଆଇନ ମାଙ୍କଡ଼ା ଓ ମୋରମ ଖଣିକୁ ନେଇ ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ । ପଥର ମାଫିଆଙ୍କୁ ପ୍ରଶାସନ ଘଂଟ ଘୋଡ଼ାଉଥିବା ମଧ୍ୟ ନିଜର ରାୟରେ ଉଲ୍ଲେଖ କରି ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ତେବେ ଏନଜିଟିର  ନିର୍ଦେଶ ପରେ ପ୍ରଶାସନ ପକ୍ଷରୁ କେବଳ ବେଆଇନ ପଥର ଓ ମୋରମ ନେଉଥିବା ଗାଡ଼ି ଗୁଡ଼ିକୁ ଧରାଯାଇ ଜୋରିମାନା ଆଦାୟ କରାଯାଉଥିବା ବେଳେ ବେଆଇନ ଖଣି ଉପରେ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସମ୍ବନ୍ଧିତ ଖବର