ବେଗୁନିଆପଡ଼ା/ଚିକିଟି/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା, ବେଲଗୁଣ୍ଠା, କୋଦଳା ଓ ଚିକିଟିରେ ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ଫଳରେ ବେଗୁନିଆପଡ଼ା ଠାକୁରାଣୀ ଯାତ୍ରା ପାଇଁ ମର୍ଦ୍ଦକୋଟ ରାସ୍ତା ଛକରେ ହୋଇଥିବା ତୋରଣ ଭାଙ୍ଗିଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ସେହିପରି ଚିକିଟିପେଣ୍ଠ ବକ୍ସିବଜାରରେ ମହାମାୟୀ ମହାଲକ୍ଷ୍ମୀ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ଷା ଏବଂ ପବନ ଯୋଗୁଁ ଅନ୍ନଯଜ୍ଞସ୍ଥଳ ଭାଙ୍ଗିଯାଇଛି।
ଧାନଘରରେ ଲାଗିଥିବା ଅପେରା ଟେଣ୍ଟ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବେଲଗୁଣ୍ଠାରେ ମଧ୍ୟ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଛି। ବର୍ଷା ଓ ପବନ ଯୋଗୁଁ ମା’ ବ୍ରାହ୍ମଣ ଦେବୀ ଯାତ୍ରା ପାଇଁ ହୋଇଥିବା ବିରାଟ ତୋରଣ ଢଳି ପଡ଼ିବା ସହ କପଡ଼ା ଚିରିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଏକ ଟେଣ୍ଟ୍ ସମେତ ଏକ ହୋଟେଲ୍ର ଟିଣ ଉଡ଼ିଯାଇଥିଲା। ଭଗବତପାଟଣା ରାସ୍ତାରେ ଏକ ବିରାଟ ଗଛ ପଡ଼ିଯିବାରୁ ଯାତାୟାତ ଠପ୍ ହୋଇଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଏହାକୁ କାଟି ସଫା କରିଥିଲେ। ସେହିପରି ବିଦ୍ୟୁତ୍ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି I