ଜୟପୁର: ଡିଜେ ଓ ଅତ୍ୟାଧୁନିକ ଯନ୍ତ୍ରସଂଗୀତରେ ହଜିବାକୁ ବସିଲାଣି ଲୋକକଳା, ବାଦ୍ୟ ଓ ନୃତ୍ୟ । ଅଳ୍ପ କିଛି କଳାକାର ଏହି ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟକୁ ବ˚ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କୁ ପ୍ରଶାସନ ତରଫରୁ ସେଭଳି ପ୍ରୋତ୍ସାହନ କିମ୍ବା ଉତ୍ସାହିତ କରାଯିବା କଥା ତାହା ବି ହେଉନି। କଳାକାରଙ୍କୁ ଭତ୍ତା ସହ ବୀମା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯାଉଥିବା ଘୋଷଣା କରାଯାଉଛି କିନ୍ତୁ ପ୍ରକୃତ ପକ୍ଷେ ମିଳୁନି। ଗୋଟିଏ ପଟେ ସରକାର ଡିଜେ ସଂଗୀତକୁ ବ୍ୟାନ୍ କରିଛନ୍ତି। ୬ଡେସିବଲ୍ ଅଧିକା ଶବ୍ଦ ହେବାକୁ ମନା କରାଯାଇଛି। ଅନ୍ୟ ପକ୍ଷରେ ରାଜ୍ୟସରକାର ଲୋକକଳା ଓ ଲୋକନୃତ୍ୟ, ଲୋକବାଜାକୁ ବ˚ଚାଇବାକୁ ଭରପୁର ପ୍ରୟାସ କରୁଛୁ ବୋଲି କହୁଥିଲେ ହେଁ ବହୁ ଲୋକ କଳାକାର ଆଜି ବି ଅବହେଳିତ ଅବସ୍ଥାରେ ରହିଛନ୍ତି। ଅନେକ କଳାକାର ନିଜର କଳାକାର ଭତ୍ତା ବି ପାଉନାହାନ୍ତି। ବାହାଘର ହେଉ କି ବ୍ରତଘର, ପୂଜାପାର୍ବଣ ସବୁସ୍ଥାନରେ ଲୋଡ଼ୁଥିବା ତଥା ଲୋକଗୀତ, ଲୋକସଂଗୀତ ଓ ଲୋକନୃତ୍ୟ ଢ଼େମସା , ରିଂଜୋଡ଼ିକୁ ସଂଗୀତ ଦେଉଥିବା ଗ୍ରାମାଂଚଳର ପାରମ୍ପରିକ ମହୁରି ବାଜା କଳାକାର ବି ଅବହେଳିତ ବୋଲି କହିଛନ୍ତି କୁନ୍ଦ୍ରା ବ୍ଲକର କାଳିଆକାଦର ମହୁରିଆ ଲଛମନ ହରିଜନ। ବଂଚିବା ପାଇଁ ଏମାନଙ୍କୁ ସଂଘର୍ଷ କରିବାକୁ ପଡୁଛି ବୋଲି କହିଛନ୍ତି ଲଛମନ। ସେଥିପାଇଁ ନିଜ ପୁଅ ଘନକୁ ପାଠ ପଢ଼ାଇ ସରକାରୀ ଚାକିରୀ କରାଇବା ଲକ୍ଷ୍ୟ ରଖିଛନ୍ତି ଲଛମନ। ଲଛମନଙ୍କ ମହୁରିବାଜା ଓ ଢ଼େମସା ନୃତ୍ୟଦଳକୁ ୪ଦିନ ତଳେ ଜିଲ୍ଲାଓକିଲ ସଂଘର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗ‌ ଦେବାକୁ ଆସିଥିବା ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନେ ଭୁୟସୀ ପ୍ରଶଂସା କରିଥିଲେ। ଏଭଳି ଆଜି କୃଷି ଯନ୍ତ୍ରପାତି ମେଳାରେ ଏହି ଦଳକୁ ନେଇ ଲଛମନ ଭାଗ ନେଇଥିଲେ।

Advertisment

publive-image

ଏହି ଦଳର ମହୁରିଆଙ୍କୁ ୯୦୦ଟଙ୍କା ଓ ନୃତ୍ୟ ଦଳକୁ ୧୮୦୦ଟଙ୍କା ମିଳୁଥିବା କହିଛନ୍ତି ଲଛମନ୍। ବାରମ୍ବାର କଳାକାର ଭତ୍ତା ପାଇଁ ସେ ଓ ତାଙ୍କ ଦଳ ସଦସ୍ୟ ଆବେଦନ କରିଥିଲେ ହେଁ ଏଯାଏଁ ସରକାରୀ ସହାୟତା କିଛି ମିଳିନି ବୋଲି କହିଛନ୍ତି ତାଙ୍କ ଦଳର ରଘୁରାମ, ରଘୁ, ମଙ୍ଗଳସାଇ। ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ କଳା, ସଂସ୍କୃତି ଓପରମ୍ପରା ରହିଥିଲା ତାହାକୁ ବଂଚାଇ ରଖିବା ଦିଗରେ ସାମନ୍ୟ ତମ ପ୍ରୟାସ ବି ହେଉନଥିବା ବରିଷ୍ଠ କଳାକାର ମନୋଜ ପାତ୍ର ଅଭିଯୋଗ କରିଛନ୍ତି। ଏହି ଗ୍ରାମାଂଚଳର କଳାକାରମାନଙ୍କୁ ଉତ୍ତମ ମଂଚ ପ୍ରଦାନ ପାଇଁ ଯଦିଓ ଲୋକମହୋତ୍ସବଗୁଡିକ କରାଯାଉଥିଲେ ହେଁ କାଁଭାଁ ଜିଲ୍ଲାସ୍ତରରେ ଗ୍ରାମାଂଚଳର କଳାକାରମାନଙ୍କୁ ମଂଚ ଦିଆଯାଉଛି। ଅନ୍ୟ ପକ୍ଷରେ ଅନ୍ୟ ରାଜ୍ୟର କଳାକାରଙ୍କୁ ଅଧିକା ପଇସା ଦେଇ ଆଣି ଏଠାରେ ସେମାନଙ୍କର କଳା ପ୍ରଦର୍ଶନ କରାଯାଉଛି। ତେବେ ଜିଲ୍ଲାର କଳାକାର ମାନଙ୍କୁ ସୁଯୋଗ ମିଳୁନଥିବାରୁ ସେମାନେ ସେଭଳି ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି ବୋଲି କହିଛନ୍ତି ଗବେଷକ ଶୁଭମ୍ ପାଢ଼ୀ । ନିକଟରେ ସରିଥିବା ପରବ ଲୋକମହୋତ୍ସବରେ , ରାଜ୍ୟ, ରାଜ୍ୟବାହାରକୁ କିମ୍ବା ବିଦେଶରେ ହେଉଥିବା ମହୋତ୍ସବକୁ ଜିଲ୍ଲାର ଲୋକକଳା ଓ ବାଦ୍ୟ, ଲୋକ କଳାକାରଙ୍କୁ ପଠାଯିବା ଦିଗରେ ପ୍ରୟାସ କରାଯାଇଛି ବୋଲି ପ୍ରଶ୍ନ କରାଗଲେ ସେଭଳି ସ୍ପଷ୍ଟ ଉତ୍ତର ମିଳୁନି। ଏହି ସ୍ଥିତିରେ ଧିରେ ଧିରେ ଲୋକ କଳା, ଲୋକ ନୃତ୍ୟ, ଲୋକ ବାଦ୍ୟ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ କିଭଳି ପୁନଃରୁଦ୍ଧାର କରାଯିବ ସେ ନେଇ ପ୍ରଶାସନ, ସଂସ୍କୃତି ବିଭାଗ ଚିନ୍ତା କରିବା ଆବଶ୍ୟକ।