ଭୋଗରାଇ (ଦିଲ୍ଲୀପ ଦାସ): ସ୍ବାଧୀନତା ସଂଗ୍ରାମରେ ବିଭିନ୍ନ ବର୍ଗ ଓ ବୟସର ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବାଳ ସଂଗ୍ରାମୀ। ଇତିହାସ ପୃଷ୍ଠାରୁ ବାଜି ରାଉତଙ୍କ କଥା ଆମେ ସମସ୍ତେ ଜାଣିଛୁ। ହେଲେ ତାଙ୍କ ପରି ବୀରତ୍ବ ପ୍ରଦର୍ଶନ କରି ପ୍ରାଣବଳି ଦେଇଥିବା ଭୋଗରାଇ ମାଟିର ଆଉଜଣେ ବାଜି ରାଉତ ‘ପ୍ରଫୁଲ୍ଲ ନାୟକ’ଙ୍କୁ ଅନେକେ ଜାଣନ୍ତିନି। ଇଂରେଜ ପୁଲିସଙ୍କ ଆଖିରେ ଆଖି ମିଶାଇ ସାହିକତାର ପରିଚୟ ଦେଇଥିବା ପ୍ରଫୁଲ୍ଲ ଭୋଗରାଇ ତଥା ବାଲେଶ୍ବରବାସୀଙ୍କ ପାଇଁ ଗର୍ବ ଓ ଗୌରବ।

Advertisment

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମର ଗିରିଧାରୀ ନାୟକ ଓ ରାଧାମଣି ନାୟକଙ୍କ ବଡ଼ପୁଅ ଥିଲେ ପ୍ରଫୁଲ୍ଲ ନାୟକ। ବୟସ ୧୨ ବର୍ଷ ହୋଇଥାଏ। ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥାଆନ୍ତି। ବୟସ କମ୍‌ ହେଲେ ବି ସାହସ ଶତ ସିଂହ ପରି ଥିଲା। ଫଳ​ରେ ସେ ହରେକୃଷ୍ଣ ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵାଧୀନତା ସଂଗ୍ରାମର ଅଂଶ ସ୍ବରୂପ ବାନର ସେନାରେ ସାମିଲ ହୋଇଥିଲେ। ବାଲେଶ୍ବରରେ ଲବଣ ସତ୍ୟାଗ୍ରହ ଓ ସ୍ବଦେଶୀ ଆନ୍ଦୋଳନର ନେତୃତ୍ବ ନେଉଥିବା ହରେକୃଷ୍ଣ ମହତାବ ଶ୍ରଦ୍ଧାପୁର ଓ ପ୍ରହରାଜପୁର ଗ୍ରାମରେ ରହି ଗୁପ୍ତ ଆନ୍ଦୋଳନ ପରିଚାଳନା କରୁଥିଲେ। ଏହି ସମୟରେ ବାନର ସେନା ନେତା ପ୍ରଫୁଲ୍ଲ ତାଙ୍କୁ ବିଭିନ୍ନ ପ୍ରକାର ସହାୟତା କରୁଥିଲେ। ତେବେ ପ୍ରହରାଜପୁର ଗ୍ରାମର ସଚ୍ଚିନ୍ଦ୍ର ନାଥ ପ୍ରଧାନଙ୍କ ଘରେ ମହତାବ ଥିବା ଖବର ଇଂରେଜମାନେ ପାଇବା ପରେ ସେଠାରେ ଗୋଟିଏ ରାତିରେ ଚଢ଼ାଉ କରିଥିଲେ। ହେଲେ ହରେକୃଷ୍ଣ ମହତାବ ଚତୁରତାର ସହ ଘର ବାଡ଼ି ପଟେ ଦେଇ ପଳାଇଯାଇଥିଲେ।

ଇଂରେଜ ପୁଲିସ ହରେକୃଷ୍ଣ ମହତାବଙ୍କୁ ନପାଇ ବାନର ସେନାର ନେତା ପ୍ରଫୁଲ୍ଲଙ୍କୁ ଲକ୍ଷ୍ମୀପାଟଣା ଫାଣ୍ଡିକୁ ଧରି ନେଇଥିଲେ। ସେଠାରେ ରାତି ସାରା ତାଙ୍କୁ ନିର୍ଯାତନା ଦେବା ସହ ହରେକୃଷ୍ଣ ମହତାବଙ୍କ ଠିକଣା ପଚାରିଥିଲେ। ହେଲେ ଅଦମ୍ୟ ସାହସର ପରିଚୟ ଦେଇ ପ୍ରଫୁଲ୍ଲ ମୁହଁ ଖୋଲି ନଥିଲେ। ରାଗରେ ପୁଲିସ କଣ୍ଟା ଜୋତାରେ ପ୍ରଫୁଲ୍ଲଙ୍କ ଛାତିକୁ ଗୋଇଠା ପରେ ଗୋଇଠା ମାରିଥିଲେ। ପରଦିନ ସକାଳେ ପ୍ରଫୁଲ୍ଲଙ୍କୁ ଛାଡ଼ି ଦିଆଯାଇଥିଲା। ଫାଣ୍ଡି ଆଗରେ ରାତି ସାରା ଜଗି ରହିଥିବା ବାନର ସେନା ପ୍ରଫୁଲ୍ଲଙ୍କୁ କାନ୍ଧରେ ବୋହି ଘରକୁ ନେଇଥିଲେ। ତେବେ କିଛିଦିନ ଶଯ୍ୟାଶାୟୀ ହେବା ପରେ ପ୍ରଫୁଲ୍ଲ ସହିଦ ହୋଇଯାଇଥିଲେ। କୁହାଯାଏ; ସ୍ଵାଧୀନତା ସଂଗ୍ରାମର ବାଳ ସହିଦ ହେଉଛନ୍ତି ବାଜି ରାଉତ। ଯିଏ ୧୯୩୮ ମସିହାରେ ସହିଦ ହୋଇଥିଲେ। ହେଲେ ତାଙ୍କ ଆଗରୁ ଭୋଗରାଇ ମାଟିର ବାଳକ ପ୍ରଫୁଲ୍ଲ ୧୯୩୧ ମସିହାରେ ସହିଦ ହୋଇଥିଲେ। ଏପରି ସମୟରେ ପ୍ରଫୁଲ୍ଲଙ୍କ ସଂଗ୍ରାମ ଇତିହାସ ଲୋକଲୋଚନକୁ ଆଣିବା ପାଇଁ ଗବେଷଣା ହେବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।