ଖୋର୍ଦ୍ଧା ବନାଂଚଳରେ ମୁକୁଳାପଡ଼ିଛି ୯୫ ବିଟ୍ କାର୍ଯ୍ୟାଳୟ

ଖୋର୍ଦ୍ଧା : ଚଳିତ ମାସ ୨୨ ତାରିଖରେ ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ-ଗଙ୍ଗପଡ଼ା ଛକ ଓ ଗଡ଼ ଖୋର୍ଦ୍ଧା ଠାରେ ୭ଟି ଭାଲୁଛୁଆ ଉଦ୍ଧାର ହୋଇଥିଲା । ଏହି ଘଟଣାକୁ ନେଇ ଏବେ ଖୋର୍ଦ୍ଧା ବନ ବିଭାଗ ହରଡ଼ଘଣାରେ ପଡ଼ିଛି । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି ସତ କିନ୍ତୁ ବନ ବିଭାଗର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି । ଖୋର୍ଦ୍ଧା ବନାଂଚଳରେ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ବେଆଇନ ଶିକାର ଓ ଚାଲାଣ ରୋକିବା ପାଇଁ ଗଠିତ ହୋଇଥିବା ୯୫ଟି ବିଟ୍ କାର୍ଯ୍ୟାଳୟ ମଧ୍ୟରୁ ଅଧିକାଂଶ ବର୍ତମାନ ଦରଭଙ୍ଗା ଅବସ୍ଥାରେ ରହିଛି ।

ଭାଲୁ ଛୁଆ ଉଦ୍ଧାର ହେବା ପରେ ୧୭୫ ବର୍ଗ କିମି ବ୍ୟାପ୍ତ ଚନ୍ଦକା-ଡମପଡ଼ା ଅଭୟରାଣ୍ୟ କିମ୍ବା ୫୦୦ ହେକ୍ଟରରୁ ଅଧିକ ଅଂଚଳରେ ଥିବା ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଭାଲୁ ନାହାନ୍ତି ବୋଲି ସଫେଇ ଦେଇଥିଲେ । ଏହି ଭାଲୁ ଛୁଆ ଗୁଡ଼ିକ କୌଣସି ସ୍ଥାନରୁ ଚାଲାଣ ହେଉଥିବା ବେଳେ ଧରାପଡ଼ିଯିବା ଭୟରେ କୌଣସି ବ୍ୟକ୍ତି ଛାଡ଼ି ଚାଲିଯାଇଥାଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ । ଏହା ମଧ୍ୟରେ ଖୋର୍ଦ୍ଧା ରେଂଜର କର୍ମଚାରୀ ନିୟମିତ ଭାବେ ହଳଦିଆ, ବାଙ୍କୀ, ବାଘେଇଟାଙ୍ଗୀ ଆଦି ଇଲାକାରେ ତଦନ୍ତ କରି ଫେରିଛନ୍ତି । କିନ୍ତୁ ଏହି ଘଟଣାରେ ଏଯାଏଁ କୌଣସି ଟେର୍ ପାଇପାରିନାହାନ୍ତି ବନ ବିଭାଗ ।

ଏନେଇ ଖୋର୍ଦ୍ଧା ରେଂଜର ସତୀଶ ମିଶ୍ର କହିଛନ୍ତି ଯେ ଘଟଣାର ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରୁ ତନାଘନା ଚାଲିଛି । କିନ୍ତୁ ଆମେ ବର୍ତମାନ ଯାଏଁ ଘଟଣା ସମ୍ପର୍କରେ କେବଳ ସନେ୍ଦହ-ଆଶଙ୍କା ମଧ୍ୟରେ ରହିଛୁ । ସେହିଭଳି ଏସିଏଫ୍ ଗୌର ଗୋପାଳ ସି କହିଛନ୍ତି ଯେ ଗତକାଲି ଚିଫ୍ କଂଜେରଭେଟର ଅଫ୍ ଫରେଷ୍ଟ (ସିସିଏଫ୍) ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ଚିଠି ଲେଖିଛନ୍ତି । କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ ଦାୟିତ୍ୱ ନେବ, ଏଥିରେ ବନ ବିଭାଗକୁ ଯାହା ନିର୍ଦେଶ ମିଳିବ ସେଇ ଅନୁସାରେ କାମ କରାଯିବ ।

ବନ ବିଭାଗର ରିପୋର୍ଟ ଅନୁସାରେ, ନବେ ଦଶକରୁ ଚନ୍ଦକା, ବରୁଣେଇ ଜଙ୍ଗଲରେ ଏକଦା ଭାଲୁଙ୍କ ମୁକ୍ତ ବିଚରଣ ଥିଲା । କିନ୍ତୁ ୨୦୦୭ ବେଳକୁ ଚନ୍ଦକା ଅଭୟାରଣ୍ୟରେ କେବଳ ୫-୬ଟି ଭାଲୁ ବୁଆଳିଗଡ଼, ଭାଲୁମୁଣ୍ଡିଆ, ବୁଢ଼ିଖାଇ, ଚାନ୍ଦିନୀ ମୁଣ୍ଡିଆ, କୋଡ଼ାମୁଣ୍ଡ ଆଦି ଇଲାକାରେ ରହିଥିବା ଚିହ୍ନଟ କରାଯାଇଥିଲା । ୨୦୦୩ରେ ଶେଷ ଥର ପାଇଁ କୁଜି ମାହଲ କାଜୁ ଜଙ୍ଗଲରେ ଭାଲୁ-ମଣିଷ ମୁହାଁମୁହିଁ ହୋଇଥିଲେ । ଏଥିରେ ଗୋଟିଏ ଭାଲୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ଲୋକମାନେ ଭାଲୁକୁ ମାରିଦେଇଥିଲେ । ଏହାପରେ ଖୋର୍ଦ୍ଧା ବନଖଣ୍ଡରେ ଭାଲୁକୁ ଦେଖିବାକୁ ମିଳିନାହିଁ ।
ତେବେ ଗତ କିଛି ମାସ ମଧ୍ୟରେ ଖୋର୍ଦ୍ଧା ବନାଂଚଳରେ ଏକାଧିକ ଘଟଣାରେ ବେଆଇନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ଗତବର୍ଷ ନଭେମ୍ବର ମାସରେ କେବଳ ଖୋର୍ଦ୍ଧା ବନଖଣ୍ଡ, ବେଗୁନିଆ ଓ ଟାଙ୍ଗୀ ବନଖଣ୍ଡରେ ୩ଟି ପୃଥକ ମାମଲାରେ ୪ରୁ ଅଧିକ ଶିକାରୀ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବେଗୁନିଆରୁ ଜଣେ ବର୍ହା ଶିକାର କରି ଧରାପଡ଼ିଥିବା ବେଳେ ଅନ୍ୟଜଣେ ଖୋର୍ଦ୍ଧା ବନଖଣ୍ଡର ବାଙ୍ଗୀ ଜଙ୍ଗଲରୁ ଅଜଗର ସାପ ଧରି ଗିରଫ ହୋଇଥିଲେ ।

ବାସ୍ତବ କଥା ହେଲା, ୩୫୫୩ ବର୍ଗ କିମି ପରିବ୍ୟାପ୍ତ ଖୋର୍ଦ୍ଧା ବନାଂଚଳର ସୁରକ୍ଷା ପାଇଁ ଗଠିତ ହୋଇଥିବା ୯୫ଟି ବିଟ୍ କାର୍ଯ୍ୟାଳୟରେ ୭୨ଜଣ ଫରେଷ୍ଟ ଗାର୍ଡ, ୨୮ଜଣ ଫରେଷ୍ଟର ରହିବା କଥା । ବର୍ତମାନ ୯୫ଟି ବିଟ୍ କାର୍ଯ୍ୟାଳୟ ମଧ୍ୟରୁ ୩୦ରୁ ଉଦ୍ଧ୍ୱର୍ ବିଟ୍ କାର୍ଯ୍ୟାଳୟ ଅକାମୀ ହୋଇପଡ଼ିଛି । ତୃଣମୂଳସ୍ତରରେ ଜଙ୍ଗଲର ସୁରକ୍ଷା ପାଇଁ ନିୟୋଜିତ ଥିବା ୧୦୦ ଜଣ ଫରେଷ୍ଟଗାର୍ଡ ଓ ଫରେଷ୍ଟରଙ୍କ ମଧ୍ୟରୁ ୪୦ରୁ ଅଧିକ ପଦବୀ ଖାଲିପଡ଼ିଛି । ଗୋଟିଏ ପଟେ ବିସ୍ତୃତ ବନାଂଚଳର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଥିବା ତନଖି ଫାଟକ ବନ୍ଦ ହୋଇଯାଇଥିବା ବେଳେ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ଚୋରା ବନ୍ୟଜନ୍ତୁ ଶିକାରୀ ଓ ବେପାରୀଙ୍କୁ ବେଶ୍ ସୁହାଉଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭିନ୍ନ ପ୍ରକୃତି ପ୍ରେମୀ ଓ ପରିବେଶ ସୁରକ୍ଷା ସଂଗଠନ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର