ଚୁଲିରେ ପଡ଼ି ପାଲଟିଥିଲେ ଦିବ୍ୟାଙ୍ଗ, ବାଡି ସାହାରାରେ ଚମତ୍କାର ସାଇକେଲ ଚଳାଇ ନିଜକୁ ସକ୍ଷମ ବୋଲି ପ୍ରମାଣ କରିଛନ୍ତି ଯାଜପୁରର ଶ୍ରୀଧର

ଯାଜପୁର (ରୀନା ରାମ୍) : ଯାଜପୁର ଜିଲ୍ଲା ମଧୁବନର ଏକତଳା ଗ୍ରାମର ଗୌଡ ସାହିରେ ଶ୍ରୀଧର ବାରିକ ସପରିବାର ବସବାସ କରନ୍ତି। ପରିବାର ବୋଇଲେ  ଦୁଇପିଲା (ପୁଅ ଓ ଝିଅ) ଓ ସ୍ତ୍ରୀ। ପିଲାଦିନେ ଧାନ ଉଷୁଆଁ ଚୁଲିରେ ପଡ଼ି ଦିବ୍ୟାଙ୍ଗ ପାଲଟିଥିବା ଶ୍ରୀଧର ବାରିକ ଆଜି ନିଜକୁ ଅକ୍ଷମ ନୁହେଁ ବରଂ ସକ୍ଷମ ବୋଲି ପ୍ରମାଣ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ଦୃଢ଼ ଇଚ୍ଛା ଶକ୍ତି ଆଗରେ ଶ୍ରୀଧୀରଙ୍କ ଅକ୍ଷମତା ହାର ମାନିଛି। ପିଲାଦିନେ ଘରେ ଧାନ ଉଁଷା ପାଇଁ ଚୁଲି ଜଳା ଯାଇଥିଲା । ସେ ଖେଳୁଖେଳୁ ସେହି ଧାନ ଚୁଲି ଭିତରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଡାହାଣ ଗୋଡରେ ଗୁରୁତର ଭାବେ ଆଘାତ ଲାଗିଥିଲା।

ସେତେବେଳେ ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ ଶ୍ରୀଧରଙ୍କ ଗୋଡର ଉପଯୁକ୍ତ ଚିକିତ୍ସା ହୋଇ ପାରି ନ ଥିଲା। ଶେଷରେ ଶ୍ରୀଧର ପାଲଟି ଥିଲେ ଦିବ୍ୟାଙ୍ଗ। ବଡ଼ ହେବାପରେ ଗୋଟିଏ ବାଡିକୁ ସାହାରା କରି ଚାଲିବା ଶିଖିଥିଲେ। ଏହାରି ଭିତରେ ମନକୁ ଦୃଢ଼ କରି ଶ୍ରୀଧର ସାଇକେଲ ଚଲାଇବା ବି ଶିଖି ଯାଇଥିଲେ। ସାଇକେଲ ଶିଖିବା ପରେ ସେ କାହାକୁ ନିର୍ଭର ନକରି, କାହା ଉପରେ ବୋଝ ନ ହୋଇ ଆତ୍ମନିର୍ଭରଶୀଳ ହୋଇଥିଲେ।

କୁଆଖିଆରେ ଏକ ଔଷଧ ଦୋକାନରେ ରହି କିଛିଦିନ କାମ କରିଥିଲେ ଶ୍ରୀଧର। ଏହାରି ଭିତରେ ତାଙ୍କର ବିବାହ ହୋଇଥିଲା ଶଶିରେଖାଙ୍କ ସହିତ। ବିବାହ ପରେ ସେ ଏକ କୋରିଅର କମ୍ପାନି ପାଇଁ କାମ କରିବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରତି ସପ୍ତାହରେ ଥରେ କଲିକତା ଯିବାକୁ ପଡ଼ିଲା। ଏଭଳି ଅବସ୍ଥାରେ ଶ୍ରୀଧର ନିଜ ମନକୁ ଦୃଢ଼ କରି ଆଶାବାଡିକୁ ସାହାରା କରି ଗାଁରୁ କଲିକତା ଯାଇଥାଆନ୍ତି। ସେଠାରୁ କାମ ସାରି ପୁଣି ଗାଁକୁ ଫେରି ଆସି ଥାଆନ୍ତି। ଅନ୍ୟଦିନେ ସାଇକେଲ ଚଢ଼ି ଛେଳି ଚରାଇ ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି ସେ।

ତେବେ ଶ୍ରୀଧରଙ୍କ ଗୋଟିଏ ଗୋଡ ଅଚଳ ହୋଇ ବି ସେ ଯେଭଳି ଭାବେ ସାଇକେଲ ଚଢ଼ି ଯାଉଛନ୍ତି ସେ ଦୃଶ୍ୟ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଶ୍ରୀଧରଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରି ରହି ପାରିବେ ନାହିଁ। ତାଙ୍କର ଆର୍ଥିକ ସ୍ଥିତି ଏତେଟା ଠିକ୍‌ ନାହିଁ। ଏହା ସତ୍ତ୍ୱେ ବି ସେ ତାଙ୍କର ଗୋଟିଏ ପୁଅ ଲକ୍ଷ୍ମୀଧର ବାରିକ, ଝିଅ ମଧୁସ୍ମିତା ବାରିକ ଓ ପତ୍ନୀ ଶଶିରେଖାଙ୍କୁ ନେଇ କଷ୍ଟରେ ସଂସାର ଚଳାଇଛନ୍ତି।

ସମ୍ବନ୍ଧିତ ଖବର