ଜଗନ୍ନାଥପ୍ରସାଦ : ପ୍ରଭାକର ଡାକୁଆ। ସଭିଏଁ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ପରଭା ନନା। ବୟସ ୬୫ ଅତିକ୍ରମ କରିସାରିଥିଲେ ବି ବେଶ୍ ସତେଜ ଓ କର୍ମଠ। ରାତି ପାହିବା କ୍ଷଣି କାନ୍ଧରେ ଛୋଟିଆ ସୂତାମୁଣି ଝୁଲାଇ ଘରୁ ବାହାରି ପଡ଼ନ୍ତି। ମୁଣି ଭିତରେ ଥାଏ ଚୁଟିକଟା କଇଁଚି, କ୍ଷୁର ମୁଠି,  ନହୁରୁଣୀ (ନଖକଟା ଅସ୍ତ୍ର), ଛୋଟିଆ ଗିନା, ପାଣି ବୋତଲ ଓ ସାବୁନ। ସାହିକୁ ସାହି ବୁଲିବା ବେଳେ ଯିଏ ଡାକେ ତା’ ପିଣ୍ଡାରେ ବସି ଚୁଟି କାଟିବା ସହ ଖିଅର କରିଦିଅନ୍ତି। ଆଉ ମାତ୍ର ୧୦ ଟଙ୍କାରେ ଫଟାଫଟ୍ ସେବା ଯୋଗାଇ ଦିଅନ୍ତି। ଜୀବନଶୈଳୀରେ ପରିବର୍ତ୍ତନ ଆସିଥିବା ଯୁବପିଢ଼ି ଆଜି ବିଭିନ୍ନ ଷ୍ଟାଇଲ୍‌ର ଚୁଟି କାଟିବା ପାଇଁ ଅତ୍ୟାଧୁନିକ ସେଲୁନକୁ ଯାଉଛନ୍ତି। ତଥାପି ପରଭା ନନାଙ୍କ ଭ୍ରାମ୍ୟମାଣ ସେଲୁନ୍‌ର ଚାହିଦା ଆଜି ବି କମିନି। ବୟୋଜ୍ୟେଷ୍ଠ ମାନଙ୍କ ମଧ୍ୟରେ ସେ ବେଶ୍ ପରିଚିତ। ଗରିବଠୁ ଧନୀ, ସମସ୍ତେ ତାଙ୍କ ଆଖିରେ ସମାନ। ଆଉ ନିଜ ସ‌ଚ୍ଚୋଟପଣିଆ ପାଇଁ ସେ ସମସ୍ତଙ୍କ ଗହଣରେ ବେଶ୍ ପ୍ରିୟ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗଡ଼ସାହିରେ ରହୁଥିବା ପରଭା ନନାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍। ୧୯୭୧ରେ ମାଟ୍ରିକ୍ ପାସ୍ କରିବା ପରେ ପରିବାରର ଆର୍ଥିକ ଅନଟନ ହେତୁ କମ୍ ବୟସରେ ତାଙ୍କ ବହିରେ ‌ଡୋରି ବନ୍ଧା ହୋଇଥିଲା। ଆଉ ୧୬ ବର୍ଷ ବୟସରୁ ହିଁ ସେ ବାପାଙ୍କଠୁ କୌଳିକ ବୃତ୍ତି ଶିଖିଥିଲେ। ଦୀର୍ଘ ୫୦ ବର୍ଷ ହେଲା ସେ କୌଳିକ ବୃତ୍ତିକୁ ଆପଣାଇ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ରାତି ପାହିବା କ୍ଷଣି ମୁଖ୍ୟ ବଜାରକୁ ଆସି ଚାହା ପିଇବା ପରେ ଜଗନ୍ନାଥପୁରସାଶନ, ଆଜ୍ଞାପ୍ରସାଦ ଓ ଶେଷରେ ନିଜ ଗାଁକୁ ଆସି ସାହି ସାହି ବୁଲି ଲୋକଙ୍କ ଚୁଟି କାଟିବା ସହ ଖିଅର କରିଦିଅନ୍ତି। ପୂର୍ବରୁ ଲୋକେ ଟଙ୍କା ଦେଉ ନଥିଲେ। କେବଳ ବର୍ଷକୁ ଥରେ ସେବକ ଭାବେ କିଛି ଧାନ ଦେଉଥିଲେ। ବର୍ତ୍ତମାନ ସମସ୍ତଙ୍କଠୁ ନିର୍ଦ୍ଧାରିତ ଦର ମାତ୍ର ୧୦ ଟଙ୍କା ଗ୍ରହଣ କରନ୍ତି। ୧୫ଜଣଙ୍କୁ ଖିଅର କଲେ ଦିନକୁ ୧୫୦ ଟଙ୍କା ଆଦାୟ ହୁଏ। ଆଉ ଏତିକିରେ ତେଲଲୁଣର ସଂସାର ଚାଲେ। ‌ଯେବେ କୌଣସି ଗ୍ରାହକ ନମିଳନ୍ତି, ପରଭା ନନା ଘରକୁ ଫେରିଆସନ୍ତି। ସବୁ କିଛି ଭଗବାନଙ୍କ ଇଚ୍ଛା ବୋଲି ସେ କହନ୍ତି। ବର୍ତ୍ତମାନ ରାସନକାର୍ଡ଼ରେ ତାଙ୍କ ପରିବାରକୁ ସହାୟତା ମିଳୁଛି।
ହେଲେ ପରଭା ନନାଙ୍କ ଭ୍ରାମ୍ୟମାଣ ସେଲୁନ୍ ଆଜି ବି ଚମକ ହରାଇନି। ବିଦେଶ ଓ ଅନ୍ୟ ରାଜ୍ୟରେ ରହୁଥିବା ଗାଁର ବହୁ ପୁରୁଖା ଲୋକ ଆସିଲେ ତାଙ୍କୁ ଖୋଜିଥାନ୍ତି। ଆଉ ଚୁଟି କାଟିବା ଓ ଖିଅର ହେବାକୁ ଭୁଲନ୍ତି ନାହିଁ। ପରଭା ନନା ମଧ୍ୟ ସେମାନଙ୍କ ସହ ଖୁସିରେ ଭାବବିନିମୟ କରିଥାନ୍ତି।
ସେହିପରି ଖବରକାଗଜ ପ୍ରତି ତାଙ୍କର ବଡ଼ ଦୁର୍ବଳତା ରହିଛି। ପ୍ରତ୍ୟେକଦିନ ଗୋଟିଏ ଖବରକାଗଜ କିଣି ପଢ଼ନ୍ତି। ଗାଁ ବୁଲି ସାରିବା ପରେ ଛାଇ ଜାଗାରେ ବସି ଖବରକାଗଜ ପଢ଼ିବା ତାଙ୍କର ପୁରୁଣା ଅଭ୍ୟାସ। ଆଉ ଏହି ସମୟରେ କାମ କରନ୍ତି ନାହିଁ।