ବସ୍ତା: ବୟସ ପାଖାପାଖି ୮୦ ହେଲାଣି। ନଇଁ ନଇଁ ବାଟ ଚାଲୁଛନ୍ତି। ହେଲେ ଶିକ୍ଷା ପ୍ରତି ପ୍ରଗାଢ଼ ରୁଚି ତାଙ୍କୁ କର୍ମଠ କରି ରଖିଛି। ଯାଜପୁର ଜିଲ୍ଲାର ନନ୍ଦ ସାର୍‌ଙ୍କ ପରି ପରିଣତ ବୟସରେ ମଧ୍ୟ ସେ ଗାଁ’ରେ ଚାଟଶାଳୀ ଖୋଲି ବର୍ଷ ବର୍ଷ ଧରି ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ରଘୁନାଥପୁର ପଞ୍ଚାୟତ ମାଛରଙ୍କା ଗ୍ରାମର ବାସନ୍ତୀ ମିଶ୍ରଙ୍କ ବୟସ ୮୦ ବର୍ଷ ହେବ। ଅଞ୍ଚଳବାସୀ ତାଙ୍କୁ ବାସନ୍ତି ଜେଠେଇ ମାଆ ଭାବେ ଜାଣନ୍ତି। ଶିକ୍ଷାଗତ ଯୋଗ୍ୟତା କମ୍‌ ଥାଇ ବି ପିଲାଙ୍କୁ ଅତି ସହଜ ଓ ସରଳ ଭାଷାରେ ପାଠ ପଢ଼ାଇ ପାରନ୍ତି ସେ। ପିଲାଟି ବେଳୁ ତାଙ୍କୁ ପାଠ ପଢ଼ିବା ଓ ପଢ଼ାଇବାର ରୁଚି ରହିଛି ବୋଲି କହନ୍ତି ବାସନ୍ତୀ ପାଠ ପଢ଼ାଇଲା ବେଳେ ସେ ପିଲାଙ୍କୁ ମାଡ଼ ତ ଦୂରର କଥା, ଗାଳି ଦିଅନ୍ତି ନାହିଁ କି ବିରକ୍ତ ହୁଅନ୍ତି ନାହିଁ। ୩୧ ବର୍ଷ ପୂର୍ବେ ସ୍ୱାମୀ ପ୍ରିୟନାଥ ମିଶ୍ରଙ୍କ ଦେହାନ୍ତ ହୋଇଥିଲା। ଆର୍ଥିକ ଅନଟନ ଭିତରେ ବହୁ କଷ୍ଟରେ ଛୋଟ ଛୋଟ ଦୁଇ ପୁଅଙ୍କ ଲାଳନପାଳନ କରିବାକୁ ପଡ଼ୁଥିଲା।

Advertisment

ସେତେବେଳେ ମଧ୍ୟ ସେ ପିଲାଙ୍କୁ ପାଠ ପଢ଼ାଉଥିଲେ। ଖୁସିରେ ଯିଏ ତାହା ଟଙ୍କା ଦେଲା ସେ ତାକୁ ନେଉଥିଲେ। ତେବେ ପୁଅମାନେ ବଡ଼ ହୋଇ ଯେବେଠାରୁ ରୋଜଗାରକ୍ଷମ ହୋଇଛନ୍ତି, ସେବେଠାରୁ ସେ ଆଉ କେଉଁ ପିଲା ପାଖରୁ ଟଙ୍କା ନେଇ ନାହାନ୍ତି। ଏବେ ବାସନ୍ତୀ ଗାଁ’ରେ ଏକ ଚାଟଶାଳୀ ଖୋଲି ପାଠ ପଢ଼ାଇବା ଜାରି ରଖିଛନ୍ତି। ତାଙ୍କ ପାଖରେ ପାଠ ପଢ଼ିଥିବା ଗାଁ’ର କିଛି ପିଲା ସରକାରୀ ଓ ବେସରକାରୀ ଚାକିରି କରିଛନ୍ତି। ସେମାନଙ୍କ ସଫଳତା ଦେଖିଲେ ଛାତି କୁଣ୍ଢେମୋଟ ହୋଇଯାଏ ବୋଲି କହନ୍ତି ବାସନ୍ତି। ତେବେ ଭଲ ଘର ଖଣ୍ଡେ ନଥିବାରୁ ବାସନ୍ତୀଙ୍କୁ ସରକାର ଆବାସ ଘରଟିଏ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବାସନ୍ତୀ ଜେଠେଇ ମାଆ ସବୁଦିନ ଏମିତି କର୍ମଠ ଓ ସୁସ୍ଥ ଥାଆନ୍ତୁ ଏବଂ ପିଲାମାନଙ୍କୁ ଶିକ୍ଷାର ଆଲୋକ ବାଣ୍ଟୁ ଥାଆନ୍ତୁ, ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।