ରାୟଗଡା: କେଉଁ ପ୍ରାଚୀନ କାଳରୁ ରାୟଗଡ଼ର ସୃଷ୍ଟି। ରାୟଗଡ଼ର ଅନେକ କାହାଣୀ ଏବେ ବି ଲୁକ୍କାୟିତ। ଗଡ଼ର ଆରାଧ୍ୟ ଦେବୀ ମା’ ମଝିଘରିଆଣିଙ୍କୁ ନେଇ ମଧ୍ୟ ଅନେକ ଜନଶ୍ରୁତି ରହିଛି। ଗଡ଼ର ମଝିରେ ଥିବା ଅଗ୍ନି କୁଣ୍ଡକୁ ନେଇ ବି ଅନେକ ଲୋକ କଥା ରହିଛି। ପୂର୍ବେ ପ୍ରଚଳିତ ସତୀଦାହ ପ୍ରଥା ସହିତ ଏହି ଅଗ୍ନିକୁଣ୍ଡର ସମ୍ପର୍କ ଥିବାରୁ ଏହାର ନାମକରଣ ସତୀଦାହ କୁଣ୍ଡ ହୋଇଯାଇଛି। ହେଲେ ଏହି ସତୀଦାହ କୁଣ୍ଡ ପଛର ଲୁକ୍କାୟିତ କାହାଣୀ ପଦାକୁ ଆସିବା ପରେ କୁଆଁରୀମାନଙ୍କ ମହଳି ଲାଗି ରହୁଛି। ଏହା ଦର୍ଶନ କଲେ କୁଆଡ଼େ ମନଲାଖି ବର ମିଳୁଛି ବୋଲି ଲୋକଶ୍ରୁତିରୁ ଜଣାପଡିଛି।
ଐତିହାସିକଙ୍କ ମତରେ ୧୫୧୬ ମସିହାରେ ରାଜା ବିଶ୍ୱନାଥ ଦେବ ଶାସନର ସୁବିଧା ପାଇଁ ରାଜ୍ୟର ମଧ୍ୟସ୍ଥଳରେ ରାଜଧାନୀ ପ୍ରତିଷ୍ଠା କରି ଏକ ଗଡ ନିର୍ମାଣ କଲେ। ଯାହାର ନାମ ରାୟଗଡ ରଖାଗଲା। ଏହି ଗଡର ସୁରକ୍ଷାରେ ପାଇକଙ୍କୁ ନିୟୋଜିତ କରାଗଲା। ରାଜା ଶାସନ ଲୋପ ପାଇବା ପରେ ପାଇକମାନେ ଜାନୀଙ୍କ ଇଷ୍ଟଦେବୀଙ୍କୁ ପୂଜା ଆଜି ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି। ରାଜାଙ୍କ ଗଡର ମଝିଘରେ ରହି ପୂଜା ପାଉଥିବା ଇଷ୍ଟଦେବୀ ଆଜି ମା’ ମଝିଘରିଆଣୀ ନାମରେ ବିଦିତ।
ବିଶ୍ୱନାଥଦେବ ମହା ପରାକ୍ରମୀ ଦିଗବିଜୟ ରାଜା ଥିବାରୁ ତାଙ୍କର ରାଜ୍ୟ ସୀମା ବର୍ତ୍ତମାନର ଆନ୍ଧ୍ର ପ୍ରଦେଶରୁ ବିଜୟନଗରମ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ଏବଂ ସମ୍ପ୍ରତି ବୋବିଲିରେ ଥିବା ବିଶାଳକାୟ ଭୈରବ ସାଗର ରାଜାଙ୍କ ଅନବଦ୍ୟ କୃତି। ପିତୃଦେବଙ୍କୁ ସ୍ମରଣୀୟ କରିବା ନେଇ ବିଶ୍ୱନାଥ ଦେବ ଏହି ପୋଖରୀ ଖୋଳିଥିଲେ। ତେବେ କାଳକ୍ରମେ ବୈଷ୍ଣବ ଧର୍ମର ଉତ୍ଥାନ ଘଟିବାରୁ ଏହି ଧର୍ମର ପ୍ରଚାରକ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଓଡିଶା ଆଗମନ ହୋଇଥିଲା। ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ପଶ୍ଚିମବଙ୍ଗସ୍ଥ ନଦିଆ ନବଦ୍ୱୀପର ଶ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋସ୍ୱାମୀଙ୍କ ଠାରୁ ରାଜା ବୈଷ୍ଣ ଦୀକ୍ଷା ଗ୍ରହଣ କରି ତାଙ୍କୁ ଦୀକ୍ଷା ଗୁରୁରୂପେ ମାନିଥିଲେ। ରାଜା ବିଶ୍ୱନାଥ ଦେବ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର କରିବା ଦିଗରେ ବ୍ୟାପକ ଉଦ୍ୟମ କରିଥିବା ଜଣାଯାଏ। ଶ୍ରୀକୃଷ୍ଣଙ୍କ ପ୍ରେମାଭାବରେ ଉନ୍ମତ୍ତ ହୋଇ ତାଙ୍କ ଭଳି ୧୦୮ ରାଣୀ ଗ୍ରହଣ କରିଥିଲେ।
ରାଣୀମାନେ ଏକ ସ୍ଥାନରେ ରହିବା ପାଇଁ ରାଜା ଶହେ ଆଠ କୋଠି ବିଶିଷ୍ଟ ଏକ ଗଡ ନିର୍ମାଣ କରିଥିଲେ। ସେହି ଗଡର ନାମ ରାଣୀଗଡ ରଖା ଯାଇଥିଲା। ପରବର୍ତ୍ତୀ ସମୟରେ ତାହା ରାଣୀଗୁଡା ନାମରେ ପରିଚିତ ହେଲା। ଅବଶ୍ୟ ଏବେ ମଧ୍ୟ ସେହି ପ୍ରାଚୀନ ରାଣୀଗଡର ଭଗ୍ନାବଶେଷ ରାଣୀଗୁଡାଠାରେ ଦେଖିବାକୁ ମିଳୁଛି। କେତେକଙ୍କ ମତରେ ଏହି ରାଣୀଗଡର ମଧ୍ୟସ୍ଥଳରେ ହିଁ ଠାକୁରାଣୀଙ୍କୁ ସ୍ଥାପନା କରି ରାଜା ଓ ରାଣୀମାନେ ପୂଜାର୍ଚ୍ଚନା କରୁଥିଲେ।
/sambad/media/post_attachments/wp-content/uploads/2023/06/Rgda-Sati-daha-kunda-story-7.jpg)
ତାଙ୍କୁ ରାଣୀଗଡର ଠାକୁରାଣୀ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ ସେହି ଠାକୁରାଣୀ ମା’ ମଝିଘରିଆଣୀ ଭାବେ ଖ୍ୟାତି ଲାଭ କରିଛନ୍ତି। ଅପରପକ୍ଷେ ରାଜା ୧୦୮ ରାଣୀ ଗ୍ରହଣ କରିଥିଲେ ବୋଲି ପ୍ରମାଣସ୍ୱରୂପ ସମ୍ପ୍ରତି ମା’ ମଝିଘରିଆଣୀଙ୍କ ମନ୍ଦିର ପରିସରରେ ଥିବା କୁଣ୍ଡରୁ ଅନୁମେୟ ହୁଏ। ପୂର୍ବ ପ୍ରଚଳିତ ସତୀଦାହ ପ୍ରଥା ମୁତାବକ ରାଜାଙ୍କ ଦେହାନ୍ତ ପରେ ସମସ୍ତ ୧୦୮ ରାଣୀ କୁଆଡେ ସ୍ୱାମୀଙ୍କ ଚିତାଗ୍ନୀରେ ଝାସ ଦେଇ ସତୀ ହୋଇଥିବାରୁ ଉକ୍ତ କୁଣ୍ଡ ସତୀଦାହ କୁଣ୍ଡ ନାମରେ ପରିଚିତ ହୋଇ ପଡିଛି। ମନ୍ଦିରର ବାମ ପାଶ୍ୱର୍ର ସାମାନ୍ୟ ପଛକୁ ରହିଛି ଏହି କୁଣ୍ଡ। ମା‘ଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ସତୀଦାହ କୁଣ୍ଡ ଦର୍ଶନ କରିଥାନ୍ତି। ବିଶେଷକରି କୁମାରୀ ଝିଅ ଓ ସଧବା ମହିଳା ମାନେ ଏହି କୁଣ୍ଡ ଦର୍ଶନ କରିଥାନ୍ତି।
ହିନ୍ଦୁ ନାରୀର ଦୃଢ ବିଶ୍ୱାସ ଯେ, ତା’ର ପ୍ରମୁଖ ଭୂଷଣ ହେଉଛି ସତୀତ୍ୱ। ନାରୀ ସତୀତ୍ୱ ବିନା ପୂର୍ଣ୍ଣାଙ୍ଗ ନୁହେଁ। ପୁରାତନ କାଳରେ ନିଜ ସତୀତ୍ୱର ପ୍ରମାଣ ଦେଖାଇବାକୁ ଯାଇ ସ୍ୱାମୀର ଚିତାଗ୍ନୀରେ ପତ୍ନୀମାନେ ଝାସ ଦେଇ ଆତ୍ମାହୁତି କରି ନିଜକୁ ସତୀତ୍ୱର ଆଖ୍ୟା ଦେବାର ବହୁ ନଜିର ରହିଛି। କିନ୍ତୁ ଏକ କାଳୀନ ଶହେ ଆଠ ରାଣୀ ନିଜ ପ୍ରାଣକୁ ପତିଙ୍କ ଚିତାଗ୍ନୀରେ ଉତ୍ସର୍ଗ କରି ଆତ୍ମବଳି ଦେବା କ୍ୱଚିତ ଦେଖା ଯାଇଥାଏ।
ନାରାୟଣପାଟଣା ଅଞ୍ଚଳରେ ମଧ୍ୟ ଏଭଳି ବହୁ ସଧବା ସତୀଦାହ ହୋଇଥିବା ନଜର ରହିଛି। କିନ୍ତୁ ଓଡିଶା ଇତିହାସରେ ଏଭଳି ଘଟଣା ଦୁର୍ଲ୍ଲଭ ଏବଂ ରାୟଗଡା ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳରେ ଏକାଦିକ୍ରମେ ୧୦୮ ରାଣୀ ସ୍ବାମୀଙ୍କ ଚିତାଗ୍ନୀରେ ଝାସ ଦେଇଥିବା ଭଳି ସ୍ୱତନ୍ତ୍ର ସ୍ଥାନ ନଥିବା କହିଛନ୍ତି ଗବେଷକ ଶ୍ରୀରଙ୍ଗ ନାୟକ। ରାଜାଙ୍କ ମୃତ୍ୟୁ ପରେ ଶହେ ଆଠରାଣୀ ଏକକାଳୀନ ଏହି ଅଗ୍ନିକୁଣ୍ଡରେ ଝାସ ଦେଇ ସତୀ ହୋଇଥିବାରୁ ସେଇ କୁଣ୍ଡ ସତୀ ଦାହ କୁଣ୍ଡ ନାମରେ ଖ୍ୟାତ ଲାଭ କରିଛି। ସେହି କୁଣ୍ଡକୁ ଦର୍ଶନ କଲେ ଖାଲି ପୁଣ୍ୟ ହୋଇ ନ ଥାଏ ବରଂ କୁମାରୀ ମାନଙ୍କୁ ମନଲାଖି ବର ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଥିବା ନେଇ କହିଛନ୍ତି ଲେଖକ ତଥା ଗବେଷକ ଦ୍ୱିତୀଚନ୍ଦ୍ର ସାହୁ। ରାଜା ବୈଷ୍ଣବ ଧର୍ମରେ ଅଭିଷିକ୍ତ ହୋଇଥିଲେ ହେଁ ମା’ଙ୍କ ପୂଜାର୍ଚ୍ଚନାରେ କୌଣସି ବ୍ୟତିକ୍ରମ ଘଟାଇ ନ ଥିବା ଜଣାଯାଏ।