ଭୋଗରାଇ: ଇଂ​ରେଜ ସରକାରଙ୍କ ଆଇନ ବିରୋଧରେ ସଂଗ୍ରାମ କରି ଲକ୍ଷ ଲକ୍ଷ ଭାରତବାସୀ ସେମାନଙ୍କ ପ୍ରାଣବଳି ଦେଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ମଧ୍ୟ ଅନେକ ସଂଗ୍ରାମୀ ଅଛନ୍ତି। ସେହିପରି ଜଣେ ଅନନ୍ୟ ସଂଗ୍ରାମୀ ଥିଲେ ସୁଦର୍ଶନ ବେହେରା। ଯିଏ ଲବଣ ସତ୍ୟାଗ୍ରହର ନେତୃତ୍ବ ନେଇ ସହିଦ ହୋଇଥିଲେ। ଭାରତ ମାତା ପାଇଁ ଜୀବନ ଉତ୍ସର୍ଗ କରିଥିବା ସେ ଥିଲେ ପ୍ରଥମ ଭୋଗରାଇବାସୀ।

Advertisment

ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଲକ୍ଷ୍ମୀପାଟଣା ଗ୍ରାମରେ ସୁଦର୍ଶନଙ୍କ ଘର। ଲୋକେ ତାଙ୍କୁ ଆଦରରେ ଦରଭାଇ ବୋଲି ଡାକୁଥିଲେ। ଇଂରେଜ ସରକାର ଲୁଣ ମାରିବା ଉପରେ କଟକଣା କଲେ। ଏନେଇ ଆଇନ ପ୍ରଣୟନ ହେଲା। ଫଳରେ ଦେଶର ବିଭିନ୍ନ ଅଞ୍ଚଳ ସହ ବାଲେଶ୍ବରର ସୁବର୍ଣ୍ଣରେଖା ନଦୀ ମୁହାଣ ଏବଂ କୁମ୍ଭୀରଗଡ଼ି ମୌଜା ଅଧୀନ ପିପ୍ପଳୀ ବନ୍ଦର (ଯାହା ଏବେ କୀର୍ତ୍ତନିଆ ଅଞ୍ଚଳ)ଠାରେ ଲୁଣମାରି ପେଟ ପୋଷୁଥିବା ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଲେ। ଏପରି ସମୟରେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ଆରମ୍ଭ କଲେ। ଲୁଣମରା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ସତ୍ୟାଗ୍ରହରେ ସାମିଲ ହେଲେ। ଉତ୍ତର ଓଡ଼ିଶାରେ ଏହି ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ସ୍ଵର୍ଗତ ହରେକୃଷ୍ଣ ମହତାବ। ତାଙ୍କ ସହିତ ହାତ ମିଶାଇଲେ ଭୋଗରାଇ ମାଟିର ସଂଗ୍ରାମୀ ସୁଦର୍ଶନ। ସୁଦର୍ଶନଙ୍କ ଡାକରାରେ ଭୋଗରାଇ ଅଞ୍ଚଳର ହଜାର ହଜାର ଲୋକ ସତ୍ୟାଗ୍ରହରେ ସାମିଲ ହେଲେ। ଫଳରେ ଇଂରେଜ ସରକାର ଚିନ୍ତାର ପଡ଼ିଗଲେ।

ପୁଲିସ ଅନେକ ସତ୍ୟାଗ୍ରହୀଙ୍କୁ ଫାଣ୍ଡିରେ ଅଟକ ରଖି ଅତ୍ୟାଚାର କଲା। ହେଲେ କିଛି ସୁଫଳ ମିଳିଲା ନାହିଁ। ଫଳରେ ପୁଲିସ ସଂଗ୍ରାମୀ ନେତା ସୁଦର୍ଶନଙ୍କୁ ଧରି ଫାଣ୍ଡିକୁ ଆଣିଲା। ସତ୍ୟାଗ୍ରହ ବନ୍ଦ କରିବା​ ପାଇଁ ଚେତବନୀ ଦିଆଗଲା। ହେଲେ ସୁଦର୍ଶନ ସତ୍ୟାଗ୍ରହ ବନ୍ଦ ହେବ ନାହିଁ ବୋଲି ରୋକ୍‌ଠୋକ୍‌ ମନାକରିଦେଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ପୁଲିସ ବାହିନୀ ତାଙ୍କ ପେଟ ଓ ଛାତିରେ ବାରମ୍ବାର ପଦାଘାତ କଲେ। ଫଳରେ ସେ ଗୁରୁତର ହୋଇପଡ଼ିଲେ। ସତ୍ୟାଗ୍ରହୀମାନେ ସୁଦର୍ଶନଙ୍କ ଚିକିତ୍ସା କରିଥିଲେ ବି କିଛି ଫଳ ମିଳି ନଥିଲା। ଶେଷରେ ସେ ଆଖି ବୁଜିଥିଲେ। ହୋଇଯାଇଥିଲେ ଭୋଗରାଇ ମାଟିର ପ୍ରଥମ ସହିଦ। ତେବେ ସୁଦର୍ଶନଙ୍କ ବଳିଦାନକୁ କିଛି ଲୋକ ଏବେ ବି ମନେପକାନ୍ତି। ହେଲେ ତାଙ୍କ ପରି ଜଣେ ମହାନ ସଂଗ୍ରାମୀଙ୍କ ବିଷୟରେ ଲୋକେ ଅଧିକ ଜାଣିବାର ସୁଯୋଗ ନାହିଁ। ଏପରି ସମୟରେ ସହିଦ ସୁଦର୍ଶନଙ୍କ ଉପରେ ଅଧିକରୁ ଅଧିକ ଗବେଷଣା ହେବା ଉଚିତ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।