ଶିଶୁକୁ ଝୁଣିଦେଲେ ବୁଲା କୁକୁର, ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ତେଲକୋଇ: ଆଜି ସକାଳେ ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗାଁରେ ବୁଲା କୁକୁର ପଲଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଛି। ଗୁରୁତର ଶିଶୁ ହେଲେ ସେହି ଗ୍ରାମର ଆଟପୁର ଭୂୟାଁ ସାହିର ଲୋଚନ ଦେହୁରୀଙ୍କ ୯ବର୍ଷର ଝିଅ ଶୁଭସ୍ମିତା ଦେହୁରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳୁ ଝଡତୋଫାନ ହେବାରୁ ଘର ନିକଟସ୍ଥ ସମର ସାହି ଆମ୍ବ ତୋଟାକୁ ଶୁଭସ୍ମିତା ଏକୁଟିଆ ଆମ୍ବପାଇଁ ଯାଇଥିଲେ। ଏତିକିବେଳେ ଏକ ୫ଟିକିଆ ବୁଲା କୁକୁର ପଲ ତାଙ୍କୁ ଆକ୍ରମଣ କରିଥିଲେ। ଶିଶୁ ମୁଣ୍ଡର ଉପର ଭାଗ ଅଂଶ କୁକୁର ପଲ ଟାଣି ଖାଇଦେଇଥିବା ବେଳେ ବାମପାଖ କାନ ମଧ୍ୟ ସମ୍ପୂର୍ଣ୍ଣ ଛିଣ୍ଡାଇ ଦେଇଛନ୍ତି। ହାତ, ବେକ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗ୍ରାମର ଶିଖର ପ୍ରଧାନ ଓ ଅରବିନ୍ଦ ପ୍ରଧାନ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଶିଶୁଟିର ଚିତ୍କାର ଶୁଣି ବୁଲା କୁକୁର ପଲଙ୍କ କବଳରୁ ତାଙ୍କୁ ରକ୍ଷା କରିଥିଲେ। ଏନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତେଲକୋଇ ମେଡିକାଲକୁ ନେଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଆଜି ରାତିରେ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯିବ ବୋଲି ଲୋଚନ ସୂଚନା ଦେଇଛନ୍ତି। ଶୁଭସ୍ମିତା ଟୁଙ୍ଗୁରୁବାହାଳ ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭସ୍ମିତାକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ଏହି ଘଟଣା ପରେ ବୁଲା କୁକୁରଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର