କରୋନା ଚିନ୍ତା: କଠୋର ହେଲା କୋରାପୁଟ ପ୍ରଶାସନ 

କୋରାପୁଟ: ଦିନକୁ ଦିନ କୋରାପୁଟରେ  କାୟା ବିସ୍ତାରିବାରେ ଲାଗିଛି କରୋନାର ଦ୍ୱିତୀୟ ଲହର ।  ଗତ ବର୍ଷ ସେପ୍ଟେମ୍ବର ମାସରେ ଯେଉଁ ଧାରା ଥିଲା ତାହା ଅପ୍ରେଲ ମାସରେ ଦେଖିବାକୁ ମିଳିଲାଣି । ଆଜି ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ସହରାଞ୍ଚଳରେ ୨୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ଯାଏଁ ଜିଲ୍ଲାରେ ମୋଟ ୮୧୩୭ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୬୨ଜଣ କରୋନା ସହ ଲଢୁଛନ୍ତି ।

ଜିଲ୍ଲାରେ ଏବେ ଯାଏଁ ୧୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯୫୯ଜଣ କରୋନାକୁ ହରାଇଛନ୍ତି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଆଶଙ୍କା କରି ଆଜି ଠାରୁ ଜୟପୁରର ପାରାବେଢା ଠାରେ ୭୦ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି । କୋରାପୁଟର ମହିଳା ମହାବିଦ୍ୟାଳୟ ହଷ୍ଟେଲରେ ୨୦୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟରର କାମ ଚାଲିଥିବା ବେଳେ ଯଥାଶୀଘ୍ର ଏହା ଖୋଲିବ ।

ଆବଶ୍ୟକ ପଡିଲେ ଅନ୍ୱେଷା ହଷ୍ଟେଲରେ କେୟାର ସେଂଟର ଖୋଲାଯିବ ବୋଲି ଜଣାପଡିଛି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ବର୍ତମାନ ୧୧ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ କମ ଦିନ ଭିତରେ ଜୟପୁରର କୋଭିଡ ହସ୍ପିଟାଲ ଖୋଲିବ । ଅନ୍ୟପକ୍ଷରେ ୩ଦିନ ଧରି ବନ୍ଦ ଥିବା ଟିକାକରଣ ଆଜି ପୁଣିଥରେ ଆରମ୍ଭ ହୋଇଛି । ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୫୧ଟି କେନ୍ଦ୍ରରେ ୧୫୫୦୦ ଟିକା ପ୍ରଦାନ କରାଯାଇଛି ।

ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହି ଟିକା ସରିଯିବ ବୋଲି ଜଣାପଡିଛି । ତେବେ ୨ଦିନ ଧରି ଜିଲ୍ଲାର ସହରାଞ୍ଚଳ ସଟଡାଉନ ହୋଇଥିବାରୁ ସହରାଞ୍ଚଳରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । କୋରାପୁଟର ରବିବାର ହାଟ ଆଜି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆସନ୍ତା ଦିନରେ ଲକଡାଉନ ହୋଇଯିବା ଆଶଙ୍କା କରି ଲୋକେ ବଜାରରେ ଭିଡ ଜମାଇଥିଲେ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ କୋରାପୁଟ ପୁଲିସ ନାକେଦମ ହୋଇଯାଇଛି । ଲକଡାଉନ ନେଇ ଫେକ ନିଉଜ ସହରରେ ବଢିବା ଆଶଙ୍କା କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରୁ ଆନ୍ଧ୍ରକୁ ବସ ଯାତାୟତ ବନ୍ଦ କରାଯାଇଛି । ଜୟପୁର ଡିପୋରୁ କୋଟପାଡ ବିଶାଖାପାଟଣା,ଜୟପୁର ରାଜମହେନ୍ଦ୍ରୀ,ଜୟପୁର କଟକ(ଭାୟା – ଆନ୍ଧ୍ର),ଜୟପୁର ପାର୍ବତୀପୁରମ,ଜଗଦଲପୁର ବିଶାଖାପାଟଣା,ଜୟପୁର ଭଦ୍ରାଚଲମ,ଜୟପୁର ବିଜୟନଗରମ,ଜୟପୁର ଜଗଦଲପୁର,ବିଶାଖାପାଟଣ।। ଏମଭି୭୯,ବିଜୟନଗରମ ଜୟପୁର(ସ୍ୱତନ୍ତ୍ର),ବିଜୟନଗରମ ମାଲକାନଗିରି,ବିଶାଖାପାଟଣା ଚିତ୍ରକୁଣ୍ଡା,ବିଜୟନଗରମ କୋଟପ୍ଧଙ୍ଗ,ବିଜୟନଗରମ ଉମରକୋଟ,ବିଶାଖାପାଟଣା ରାଇଘର,ବିଶାଖାପାଟଣା ଉମରକୋଟ  ବସ ଗୁଡିକର ଚଳାଚଳ ବନ୍ଦ କରାଯାଇଛି ।

ଏନେଇ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର କହିଛନ୍ତି ଯେ ସପ୍ତାହାନ୍ତ ଓ ଲକଡାଉନର ଫେକ ନିଉଜ ଯୋଗୁ ଆଜି ସହରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜରୁରୀକାଳୀନ ପରିସ୍ଥିତି ଲାଗି ରହିଥିବା ହେତୁ ଫେକ ନିଉଜ ପ୍ରସାରଣକାରୀଙ୍କୁ ଚିହ୍ନଟ କରାଯାଇ କାଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ ହେବା ନେଇ କୌଣସି ସୂଚନା ନାହିଁ । ଯେଉଁ ମାନେ ମିଥ୍ୟାଖବର ପ୍ରଚଳନ କରୁଛନ୍ତି ତାଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାକୁ ୯ଜଣ କୁମ୍ଭମେଳାକୁ ଯାଇଥିବା ଜଣାପଡିଛି । ଜୟପୁରରେ ୭ଜଣ ଓ ବୋରିଗୁମ୍ମାରେ ୨ ଜଣ ରହିଛନ୍ତି । ସେମାନେ ସେଠାରୁ ଫେରିବା ପରେ ସରକାରଙ୍କ ନିୟମ ଅନୁସାରେ ରହିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର