ବାରିପଦା: ବିଦ୍ୟୁତ ବିତରଣ କ୍ଷେତ୍ରରେ କାମ ଆରମ୍ଭ ନକରୁଣୁ ଟାଟା ପାୱାର ବିରୋଧରେ ମୟୂରଭଞ୍ଜରେ ତେଜିଛି ଅସନ୍ତୋଷ। ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଇବା କ୍ଷେତ୍ରରେ ଟାଟା ଫେଲ୍ ମାରିଥିବା ଅଭିଯୋଗ କରି ଅଗ୍ରଣୀ ଯୁବଛାତ୍ର ସଂଗଠନ ଆଜି ୫ ଦଫା ଦାବୀ ନେଇ ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ କମ୍ପାନୀର ବାରିପଦା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ମାରିଛି। ଆଜି ସକାଳ ୧୦ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ତାଲା ପକାଇ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା ସଂଗଠନ। ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ହୋଇଥିବା ଏହି ତାଲା ବନ୍ଦ ଆନ୍ଦୋଳନରେ ଟାଟା କମ୍ପାନୀ ବିରୋଧରେ ବର୍ଷିଥିଲା ସଂଗଠନ।

Advertisment

ଜିଲ୍ଲାରୁ ଲୁହାପଥର ନେଇ ଜାମସେଦପୁରଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପ୍ରତିଦାନରେ ମୟୂରଭଞ୍ଜକୁ ଆଜି ପର୍ଯ୍ୟନ୍ତ କିଛି ଦେଇନଥିବା ଅଭିଯୋଗ ହୋଇଛି। ଏଣେ ଟାଟା କମ୍ପାନୀର ଅଂଶବିଶେଷ ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ନିକଟରୁ ଜିଲ୍ଲାର ଦାନର ପ୍ରତିଦାନ ଭାବେ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ଉପଭୂକ୍ତମାନଙ୍କୁ ପ୍ରଥମ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କକୁ ସମ୍ପୂର୍ଣ୍ଣ ଭାନେ ଛାଡ଼ କରାଯିବା, ଏହାପରେ ପ୍ରତ୍ୟେକ ୫୦ ୟୁନିଟ ପିଛା ୩ ଟଙ୍କା ପରିବର୍ତ୍ତେ ୭୫ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ଟ୪.୮୦ ପଇସା ପରିବର୍ତ୍ତେ ଟ୨.୫୦ ପଇସା , ୨୦୧ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ଟ୫.୮୦ ପଇସା ପରିବର୍ତ୍ତେ ୩.୫୦ ପଇସା ଏବଂ ୪୦୧ ୟୁନିଟରୁ ଅଧିକ ଟ୬.୨୦ ପଇସା ପରିବର୍ତ୍ତେ ୪ ଟଙ୍କାକୁ ହ୍ରାସ କରାଯିବା ନିମନ୍ତେ ଭଞ୍ଜସେନା ପକ୍ଷରୁ ଦାବୀ କରାଯାଇଥିଲା ।

ସେହିପରି ବାଣିଜ୍ୟିକ ବିଦ୍ୟୁତ୍ ଉପଭୂକ୍ତାମାନଙ୍କ କ୍ଷେତ୍ରରେ ୧୫୦ ପୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବା ସହ ୦ରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ଟ୫.୯୦ ପଇସା ପରିବର୍ତ୍ତେ ଟ୩.୫୦ ପଇସା, ୧୦୧ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ଟ୭.୦୦ ପରିବର୍ତ୍ତେ ଟ୪.୫୦ ପଇସା ଏବଂ ୩୦୧ରୁ ଅଧିକ ୟୁନିଟର ବିଦ୍ୟୁତ୍ ଶୁଳ୍କ ଟ୭.୬୦ ପଇସା ପରିବର୍ତ୍ତେ ୪.୭୦ ପଇସାକୁ ହ୍ରାସ କରାଯିବା ଏବଂ ନିଯୁକ୍ତ କ୍ଷେତ୍ରରେ କମ୍ପାନୀର ନିୟମାବାଳୀକୁ କୋହଳ କରାଯାଇ ଜିଲ୍ଲାରୁ ବେକାର ଯୁବକ ଯୁବତୀମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯିବା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗମାନଙ୍କ ପାଇଁ ମାର୍କରେ ୨୫ ପ୍ରତିଶତ କୋହଳ କରାଯିବା ଆଦି ଦାବିରେ ଭଞ୍ଜସେନା ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ କରାଯାଇଥିଲା।

ପୂର୍ବରୁ ଏନେଇ ଟିପିଏନଓଡ଼ିଏଲ ଅଧିକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡାଙ୍କ ସହିତ ଆଲୋଚନା କରାଯାଇ ସୁଧାର ନିମନ୍ତେ ସମୟ ଦିଆଯାଇଥିଲା। ମାତ୍ର କୌଣସି ଫଳ ନମିଳିବାରୁ ଆଜି ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ସଂଗଠନର ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଉପସଭାପତି ରାକେଶ ମହାନ୍ତି, ଯୁବ ସଭାପତି ମାନସ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସମ୍ପାଦକ ଏସକେ ରାଜା ଖାନଙ୍କ ସମେତ ଶତାଧିକ ଯୁବ ଛାତ୍ର ଯୋଗ ଦେଇଥିଲେ।