ସୁନ୍ଦରଗଡ଼: ସୋମବାରଠାରୁ କେବଳ ସଡ଼କ ପରିବହନ ପାଇଁ କୁଲଡା ଓ ଗର୍ଜନବାହାଲ ଖଣି ଖୋଲି ଦିଆଯିବ। ହେଲେ ପୂର୍ବ ପରି ସରଡେଗା ରେଲୱେ ସାଇଡିଂ ଓ ବସୁନ୍ଧରା, ସିଆରମାଲ ଖଣି ବନ୍ଦ ରହିବ। ଏମସିଏଲ ବିସ୍ଥାପିତଙ୍କ ସହ ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଦୁଇଦିନ ଆଲୋଚନା ଏବଂ କୋଇଲା ପରିବହନରେ ନିୟୋଜିତ ଟ୍ରକ ମାଲିକ ସଂଘର ଅନୁରୋଧ ପରେ ଏହି ନିଷ୍ପତ୍ତି ନେଇଛି ବସୁନ୍ଧରା, ମହାଲକ୍ଷ୍ମୀ ବିସ୍ଥାପିତ ଅଧିକାର ସୁରକ୍ଷା ମଞ୍ଚ। ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ଦେବାରେ ଏମସିଏଲ ଟାଳଟୁଳ ନୀତି ଅବଲମ୍ବନ କରୁଥିବା, ଏପରିକି ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ନମାନି ଜୋର୍ କରି ଖଣି ଖୋଳୁଥିବା ଅଭିଯୋଗ କରି ୧୪ ଗାଁ ବିସ୍ଥାପିତ ଗତ ୨ ତାରିଖରୁ ସରଡେଗା ସାଇଡିଂ ସହ ୪ଟି ଖଣି ବନ୍ଦ କରି ଦେଇଥିଲେ। ଯାହାଫଳରେ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଅଭିଯୋଗ ରହିଛି, ବିସ୍ଥାପିତ ଗାଁ ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ସହ ୧୪ ଖଣ୍ଡ ଗାଁ ବିସ୍ଥାପିତଙ୍କୁ ୯ ମାସ ମଧ୍ୟରେ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ପ୍ରଦାନ ଶେଷ କରିବାକୁ ଗତ ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ୭ ମାସ ବିତିଯିବା ପରେ ଏ ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ଅନ୍ୟପଟେ ୧୪ଟି ବିସ୍ଥାପିତ ଗାଁ ସମେତ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହ ନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ।

Advertisment

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହ ନେବାକୁ ଚାହୁ ନଥିବା ବିସ୍ଥାପିତ ପରିବାରକୁ ୨୫ ଲକ୍ଷ ଦିଆଯିବା କଥା। କିନ୍ତୁ ଏଯାଏ କମ୍ପାନି ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ। ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ୨୦୦୬ ଓ ସଂଶୋଧିତ ନୀତି ୨୦୧୩ ଅନୁଯାୟୀ ୧୪ଟି ଗାଁ ବିସ୍ଥାାପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାତଇଁ ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ଏଯାଏ ଜଣକୁ ବି ନିଯୁକ୍ତି ଦିଆଯାଇ ନାହିଁ। ଏ ପ୍ରସଙ୍ଗରେ ୮ ମାସ ତଳେ ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ତ୍ରିପାକ୍ଷିକ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏମସିଏଲ ତାକୁ ଏଯାଏଁ କାର୍ଯ୍ୟକାରୀ ନକରି ପକାଇ ରଖିଥିବା ଅଭିଯୋଗ କରି ବିସ୍ଥାପିତ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହା ମଧ୍ୟରେ କମ୍ପାନି ଓ ପ୍ରଶାସନ ବାରମ୍ବାର ଆଲୋଚନାକୁ ଆସିଥିଲେ ମଧ୍ୟ ପୁନର୍ବାସ, ଥଇଥାନ ଓ ନିଯୁକ୍ତି ନେଇ ଜୁଲାଇ ୧୪ ତାରିଖରେ କୋର୍ଟ ଆଦେଶ ଆସିବା ପରେ ଯୋଗ୍ୟ ବିସ୍ଥାପିତଙ୍କୁ ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ଅଗ୍ରାହ୍ୟ କରି ଦେଇଥିଲା ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ। ତେବେ ୮ ଦିନ ଧରି କୋଇଲା ପରିବହନ ବନ୍ଦ ଯୋଗୁଁ କ୍ଷତିଗ୍ରସ୍ତ ଜୟ ଜଗନ୍ନାଥ ଟ୍ରକର୍ସ ସଂଘ, ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ, ବିସ୍ଥାପିତ ଗାଡ଼ିମାଲିକ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳ ଓ ବିସ୍ଥାପିତଙ୍କୁ ଭେଟି ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ଶେଷକୁ ଶନିବାର ଓ ରବିବାର ୨ ଦିନ ଧରି ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନଙ୍କ ଉପସ୍ଥିତିରେ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲା ପ୍ରଶାସନ। ଏମସିଏଲ କର୍ତ୍ତୃପକ୍ଷ ସବୁ ଦାବି ଓ ନିଷ୍ପତ୍ତି ଉପରେ ସ୍ପଷ୍ଟିକରଣ ଆସିବା ପରେ ପଦକ୍ଷେପ ନେବେ ବୋଲି କହିଥିଲେ।