ଦିବ୍ୟାଙ୍ଗଙ୍କୁ ନ୍ୟାୟ ଦାବିରେ ଅନଶନ

ଯାଜପୁରଟାଉ:ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅଧିକାର ସୁରକ୍ଷା ଓ ସଚେତନତାର ଅବହେଳା ନେଇ ଦିବ୍ୟାଙ୍ଗ ସାମାଜିକ କର୍ମୀ ତଥା ଦିବ୍ୟାଙ୍ଗ ମଂଗଳ କମିଟିର ସଦସ୍ୟ ମଣ୍ଟୁ ଦାସ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ।
ଅନଶନକାରୀ ଶ୍ରୀ ଦାସଙ୍କ ଅଭିଯୋଗ ଅନୁସାରେ, ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଛି। ସେମାନଙ୍କର ଉନ୍ନତି ଓ ସଶକ୍ତିକରଣରେ ବାଧା ସୃଷ୍ଟି କରାଯାଉଛି। ଏପରିକି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ସେମାନଙ୍କୁ ମିଳିପାରୁ ନାହିଁ। ତେଣୁ ଦିବ୍ୟାଙ୍ଗ ଆଇନ ଅଧିନୟମ ୨୦୧୬ ଅନୁଯାୟୀ ସେମାନଙ୍କ ଅଧିକାର ବଜାୟ ରଖିବା ସହିତ ସୁରକ୍ଷା ଦେବା ଦାବିରେ ଶ୍ରୀ ଦାସ ଅନଶନରେ ବସିଥିଲେ। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଓ ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଅନଶନସ୍ଥଳରେ ପହଞ୍ଚି ୧୦ଦିନ ଭିତରେ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ।
ଅନଶନକୁ ସମର୍ଥନ କରି ବିଜେପିର ଜିଲ୍ଲା ସଭାପତି ଗୌତମ ରାୟ, ମିଡିଆ ସେଲ ସଭାପତି କାହ୍ନଚରଣ ଦାସ, ଉପ ସଭାପତି ପ୍ରଫୁଲ ଗିରି, ଯୁବନେତା ଅସୀମ କର,ସୁଦୀପ୍ତ ପଣ୍ଡା, ଚତୁର୍ଭୁଜ ଦ୍ଵିବେଦୀ, ସତ୍ୟଜିତ ସ୍ୱାଇଁ, କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରତୀ ଦେଓ, ଉମେଶ ଜେନା, ସନ୍ତୋଷ ନନ୍ଦ, ହୃଷୀକେଶ ପତି, ବିଭୂତି ମହାପାତ୍ର ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର