ଯୋଡ଼ା: ଯୋଡ଼ା ବ୍ଲକ୍ ପଳସା ପଞ୍ଚାୟତ ଗୟଳସାହିରେ ପାନୀୟଜଳ ସମସ୍ୟା ସମାଧାନ ଦାବିରେ ସରପଞ୍ଚଙ୍କ ଘର ଆଗରେ ଲୋକେ ଧାରଣା ଦେଇଛନ୍ତି। ଏହି ସାହିରେ ପ୍ରାୟ ଦୁଇଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ପାନୀୟଜଳର ସ୍ଥାୟୀ ବ୍ୟବସ୍ଥା ନାହିଁ। ଏନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେବା ପରେ ଆଜି ସକାଳ ୯ଟାରେ ବହୁ ମହିଳା ଓ ପୁରୁଷ ହାଣ୍ଡି, ଗରା ଧରି ସରପଞ୍ଚଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ। ପାଣି ପାଇଁ ସେମାନେ ବହୁ ହଇରାଣ ହେଉଛନ୍ତି ବୋଲି ଗୟଳସାହିର ହେମଲତା ମହାକୁଡ଼, ଉଷାରାଣୀ ମହାକୁଡ଼, ଝିଙ୍ଗୀ ମୁଣ୍ଡା, ରାମ ମୁଣ୍ଡା ଓ ବସନ୍ତ ମହାକୁଡ଼ କହିଥିଲେ। ସରପଞ୍ଚ ତାଙ୍କ ସାହିର ପାନୀୟଜଳ ସମସ୍ୟା ସମାଧାନ ଦିଗରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ କରାଯାଉଥିଲେ ମଧ୍ୟ ତାହା ସବୁଦିନ ମିଳୁନାହିଁ। ଗତ ୪ ଦିନ ହେଲା ବନ୍ଦ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ।
ବେଲ୍ଦାଠାରେ ଥିବା ବୃହତ୍ ପ୍ରକଳ୍ପ ପୂର୍ଣ୍ଣ କର୍ଯ୍ୟକ୍ଷମ ହୋଇପାରୁ ନାହିଁ। ପ୍ରକଳ୍ପ ପକ୍ଷରୁ ଜଳ ଯୋଗାଣ ହେଉଥିଲେ ବି ତାହା ସବୁ ଗ୍ରାମକୁ ପହଞ୍ଚି ପାରୁନାହିଁ। ନିକଟରେ ଥିବା ସୌର ପ୍ରକଳ୍ପର ପାଣିରେ ଖାଦ୍ୟ ରନ୍ଧାହେଲେ ତାହା ନାଲି ରଙ୍ଗର ହେଇଯାଇଛି। ଲୋକେ ବାଧ୍ୟ ହୋଇ ଦେଢ଼ କିଲୋମିଟର ଦୂରରେ ଥିବା ନଳକୂଅରୁ ପାଣି ଆଣି ରୋଷେଇ କରୁଛନ୍ତି।
ଏ ସମ୍ପର୍କରେ ପଳସା ପଞ୍ଚାୟତର ସରପଞ୍ଚ ଅରୁଣ କୁମାର ନାଏକ କହିଛନ୍ତି ଯେ ବେଲଦାରେ ଥିବା ବୃହତ୍ ପ୍ରକଳ୍ପରୁ ପାନୀୟଜଳ ଯୋଗାଣ ହେଉଥିଲେ ବି ବର୍ତ୍ତମାନ ସୁଦ୍ଧାର ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଯଦିଓ ଯୋଗାଣ ହେଉଛି, ସ୍ଥାନେ ସ୍ଥାନେ ପାଇପ୍ରୁ ପାଣି ଝରୁଛି। ବାମେବାରୀ-କାଳିମାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଏହି ପାଇପ ଲାଇନ୍କୁ ଉଠାଇ ପୁନର୍ବାର ଲଗାଯିବ। ଓଏମ୍ସିରେ କାର୍ଯ୍ୟ କରୁଥିବା ଠିକାସଂସ୍ଥା ପକ୍ଷରୁ ଏହି ସାହିକୁ ଜଳ ଯୋଗାଣ କରାଯାଉଥିଲା। ଜଳ ଯୋଗାଣ କରୁଥିବା ଟ୍ୟାଙ୍କରଟି ଗତ ୪ ଦିନ ହେବ ଖରାପ ଥିଲା। ଠିକାସଂସ୍ଥା ସହିତ ଯୋଗାଯୋଗ କରି ପୁଣି ପାନୀୟଜଳ ଯୋଗାଣ କରାଯାଇଛି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/272b5ef8-e736-4310-bec6-a665aec72c4f.jpeg)