ଖୋର୍ଦ୍ଧା/ବେଗୁନିଆ: ବାଘମାରୀ ଥାନା ଅଧୀନସ୍ଥ ସାରୁଅ ଠାରେ ଥିବା ଓଟିଭି-ତରଙ୍ଗ ଷ୍ଟୁଡିଓ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀମାନେ ଧାରଣା ଦେଇଛନ୍ତି । ସେମାନଙ୍କ ଦାବି ପୂରଣ ହେବା ଯାଏଁ ଧାରଣାରେ ବସିରିହିବେ ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନାନୁସାରେ, ଗତକାଲି ସାରୁଅସ୍ଥ ଓଟିଭି-ତରଙ୍ଗ ଷ୍ଟୁଡ଼ିଓରେ କାର୍ଯ୍ୟକରୁଥିବା କେତେକ ଠିକା କର୍ମଚାରୀଙ୍କୁ କାମ କରିବାକୁ ମନା କରିବାକୁ କେନ୍ଦ୍ର କରି ବିବାଦ ହୋଇଥିଲା । ଏନେଇ ବାଘମାରୀ ଥାନାରେ ଅଭିଯୋଗ ପରେ ପୁଲିସ ଓଟିଭିର ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଥିଲା । ଆଜି ଓଟିଭିରୁ କାମ ହରାଇଥିବା ଓ ଅନ୍ୟ ଠିକା କର୍ମଚାରୀମାନେ ସର୍ବନିମ୍ନ ମଜୁରୀ ମାସକୁ ୧୫ ହଜାର ଟଙ୍କା, ବୀମା, ଇଏସ୍ଆଇ, ଇପିଏଫ୍, ସ୍ଥାୟୀ ନିଯୁକ୍ତ ଆଦି ଦାବି କରି ଧାରଣା ଦେଇଛନ୍ତି । ଧାରଣା ସମ୍ପର୍କରେ ଖବର ପାଇ ବାଘମାରୀ ପୁଲିିସ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ । ପରେ ଉପଜିଲ୍ଲାପାଳ ଅଶୋକ ବେଉରିଆ, ସହକାରୀ ଲେବର ଅଫିସର ପ୍ରଜ୍ଞା ପାରମିତା ସାହୁ ଏବଂ ପ୍ରଭାକର ବିଶ୍ୱଳ ଘଟଣାସ୍ଥଳରେ ପହଂଚି ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାବେଳେ ଠିକାକର୍ମଚାରୀମାନେ ଲିଖିତ ଦାବିପତ୍ର ଦେବା ସହ ସେମାନଙ୍କ ଦାବିପୂରଣ ହେବାଯାଏଁ ଧାରଣାରେ ବସିରହିବାକୁ ସ୍ପଷ୍ଟ କରିଥିଲେ । ଦାବିରେ ଦର୍ଶାଯାଇଛି ଯେ, ସାରୁଅ କାର୍ଯ୍ୟାଳୟରେ ୩୨ଜଣ ଠିକା କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶ୍ରମ ଆଇନାନୁସାରେ ୮ ଘଂଟା କାମ କରିବା ବଦଳରେ ସେମାନଙ୍କୁ ୧୦ରୁ ୧୨ ଘଂଟା ବିନା ପାରିଶ୍ରମିକରେ କାମ କରାଯାଉଛି । ଏନେଇ ୫ରୁ ୬ହଜାର ଟଙ୍କା ମାସିକ ଦରମା ଦିଆଯାଉଛି ।
ଏନେଇ ଉପଜିଲ୍ଲାପାଳ ଶ୍ରୀ ବେଉରିଆ କହିଛନ୍ତି ଯେ ସେମାନଙ୍କୁ ବୁଝାଶୁଝା କରାଯାଇଥିଲା । ତେବେ ସେମାନେ ଶ୍ରମ ଆଇନାନୁସାରେ ସେମାନଙ୍କ ଅଧିକାର ଦାବି କରୁଛନ୍ତି । ସେମାନଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯାଇଛି । ଏନେଇ ଆଇନାନୁସାରେ ନିଷ୍ପତ୍ତି ନିଆଯିବ ।
ଓଟିଭି ସାରୁଅ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା
/sambad/media/post_attachments/wp-content/uploads/2020/11/Otv-sarua-dharna-nikatare-asst-labour-officer-2.jpeg)