ଖରିଆର: ଧନମତି ମାଝୀଙ୍କୁ ନ୍ୟାୟ ଦେବା ପାଇଁ ଆମ ଆଦମୀ ପାର୍ଟିର ଆମରଣ ଅନଶନ ଆଜି ୪ ଦିନରେ ପହଂଚିଛି। ପୂର୍ବ ଦିନ ପରି ମଙ୍ଗଳବାର ମଧ୍ୟ ପ୍ରଶାସନ ତରଫରୁ କୌଣସି ଅଧିକାରୀ ଆନ୍ଦୋଳନକାରୀଙ୍କ ପାଖକୁ ଆସିନାହାନ୍ତି। ସେପଟେ ପୁଲିସ ମଧ୍ୟ ଅଭିଯୋଗକୁ ଆଧାର କରି ଜଣକକୁ ତଦନ୍ତ ପାଇଁ ରଖିଛି। ଦଳ ତରଫରୁ ଅଭିଯୋଗ ଯାଇଛି ଯେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ନାଁରେ ଆଉ ଗୋଟିଏ ଭ୍ରଷ୍ଟାଚାର କରାଯାଉଛି।

Advertisment

ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଆଗୁଆ ଜାମିନ ଆଣିବା ପାଇଁ ସମୟ ଦିଆ ଯାଉଛି। ଅଭିଯୁକ୍ତମାନେ ନିର୍ଭୟରେ ବୁଲୁଥିଲେ ମଧ୍ୟ ୧୦ ଦିନ ପରେ ବି ପୁଲିସ ସେମାନଙ୍କୁ ଗିରଫ ନ କରିବା ଏହାର ପ୍ରମାଣ। ଅନଶନରେ ବସିଥିବା ରଂଗଧର ମାଝୀ ଓ ପ୍ରେମାନନ୍ଦ ମାଝୀଙ୍କ ସ୍ୱାସ୍ଥ୍ୟର ମଧ୍ୟ ଅବନତି ଘଟୁଛି। ସବୁ ଦିନ ଡା ଦୀନବନ୍ଧୁ ମହାନନ୍ଦ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଛନ୍ତି। ଆପର ରାଜ୍ୟ ସମ୍ପାଦକ ଅଂଶୁମାନ ଶତପଥୀ ଆଉ ଯୁବ ସଂଗଠନ ସଭାପତି ହିତେଶ ପାଣ୍ଡେ ମଧ୍ୟ ଦିନ ତମାମ ଅନଶନ ସ୍ଥଳରେ ବସୁଛନ୍ତି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅନଶନକୁ ନବୀନ ନିବାସ ପର୍ଯ୍ୟନ୍ତ ନେବା ପାଇଁ ଆପ ତରଫରୁ ଚେତାବନୀ ଦିଆଯାଇଅଛି। ଅପରପକ୍ଷେ ଆଜି ଧନମଟି ଓ ତାଙ୍କ ସହଯୋଗୀଙ୍କୁ ସଡ଼ିପିଓ ବିରଞ୍ଚି ପ୍ରସାଦ ଦେଉରୀ ସମସ୍ତଙ୍କ ବୟାନ ରେକର୍ଡ କରିଛନ୍ତି।