ଦେଶବ୍ୟାପୀ ‘ଚକା-ଜାମ୍‌’ର ପ୍ରଭାବ ପଡ଼ିଲା ଜୟପୁରରେ; ସ୍ବର ଉଠାଇଲା ଚାଷୀ ସଂଗଠନ

୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ଜୟପୁର: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରି କୃଷକ ମାନଙ୍କ ପକ୍ଷରୁ ହେଉଥିବା ଦେଶବ୍ୟାପି ‘ଚକା ଜାମ୍‌’ କୁ ସମର୍ଥନ କରିଛି କୃଷକ କଲ୍ୟାଣ ମଂଚ କୋରାପୁଟ ଓ କୋରାପୁଟ ଜିଲ୍ଲା ସିପିଆଇ। ଜୟପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୨୬କୁ ଟ୍ରାଫିକ ଛକ ନିକଟରେ ଦୀର୍ଘ ୩ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଫଳରେ ଅବରୋଧ ସ୍ଥଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଧାରଣା ସମୟରେ ଆମ୍ବୁଲାନସକୁ ଯିବା ଆସିବା କରିବାକୁ ରାସ୍ତା ଦିଆଯାଇଥିଲା। ‘ଚାଷୀ ଏକତା ଜିନ୍ଦାବାଦ’ ଓ ‘ଇନକିଲାବ୍ ଜିନ୍ଦାବାଦ’ ନାରା ଦେଇ ଥିଲେ ଚାଷୀ ଓ ସିପିଆଇର କର୍ମୀ। କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଯାନ ବାହାନ ଅଟକି ରହିଥିଲା। ବିଭିନ୍ନ ଯାତ୍ରୀବାହୀ ବସଗୁଡିକ ବିଭିନ୍ନ ଲୁପ ଏବଂ ସାହି ରାସ୍ତା ଗୁଡ଼ିକରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। କୃଷକ କଲ୍ୟାଣ ମଂଚ କୋରାପୁଟ ପକ୍ଷରୁ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ପ୍ରଧାନ କରାଯାଇଥିଲା।

Sambad

ଏଥିରେ ଏମ୍ଏ‌ସ୍ପି‌ ବିଧେୟକକୁ ଲାଗୁ କରିବା, ନୂତନ କୃଷକ ବିଧେୟକ ୨୦୨୦କୁ ପ୍ରତ୍ୟାହାର, ଦିଲ୍ଲୀ ଅନଶନରେ ସହିଦଚାଷୀଙ୍କୁ ସହିଦ ଘୋଷଣା କରି ଯବାନ ମାନଙ୍କ ପରି କ୍ଷତିପୁରଣ ପ୍ରଦାନ କରିବା, ଜିଲ୍ଲାର ଏକ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ମାସକରୁ ଉର୍ଦ୍ଧ୍ବ ହେବ ଧାନ ମଣ୍ଡି ଏବଂ ଘରେ ଗଚ୍ଛିତ ରହିଛି, ସମସ୍ତ ଧାନକୁ କ୍ରୟ କରିବା, ବାତିଲ୍ ଟୋକନ୍ ଚାଷୀଙ୍କ ଟୋକନ୍ ପୁନଃ କାର୍ଯ୍ୟକ୍ଷମ କରାଇ ଧାନ କିଣିବା ଆଦି ରହିଛି। ଏହି ଆନ୍ଦୋଳନରେ ମଂଚର ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର, ଜୟନ୍ତ ପଟ୍ଟନାୟକ, ରବିନ୍ଦ୍ର ଚୌଧୁରୀ, ଜୟ ପ୍ରକାଶ ଚୌଧୁରୀ, ଅଜିତ ସାମନ୍ତରାୟ,ସିପିଆଇର ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ ପ୍ରମୁଖ ଶତାଧିକ ଚାଷୀଙ୍କ ସହ ରାସ୍ତାରୋକରେ ଭାଗ ନେଇଥିଲେ। ଜୟପୁର ଟାଉନଥାନା ସବଇନିସପେକ୍ଟର ରିଗୋନ୍ କିଣ୍ଡୋ, ଏଏସଆଇ ଧନେଶ୍ବର ମାଝୀ ପ୍ରମୁଖ ସଦଳବଳ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର