ଲକ୍ଷ୍ମୀପୁର: ଜୋର ଧରିଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରକୁ ସବଡ଼ିଭିଜନ ଦାବି | ଗତ ୨୮ ତାରିଖ ଦିନ ୪ଗୋଟି ବ୍ଳକକୁ ନେଇ ଗଠନ ହୋଇଥିବା ବିକାଶ ପରିଷଦ ଲକ୍ଷ୍ମୀପୁର ବ୍ଳକକୁ ସବଡ଼ିଭିଜନ ଦାବିକରି ସୋମବାର ବନ୍ଦ ଡାକରା ଦିଆଯାଇଥିଲା। ଡାକରା ଅନୁଯାୟୀ ସୋମବାର ଦିନ କୋରାପୁଟଠାରୁ ରାୟଗଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ର ଲକ୍ଷ୍ମୀପୁର ଆମ୍ବେଦକର ଛକରେ ରାସ୍ତାରୋକ କରାଯାଇଥିଲା। ରାସ୍ତାରୋକ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୋମବାର ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ, ତେଣୁ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷାରେ ନିୟୋଜିତ ଗାଡି, ଆମ୍ବୁଲାନ୍ସ ଓ ରୋଗୀ ଯାଉଥିବା ଗାଡିକୁ ବାଦ ଦେଲେ ଆନ୍ଦୋଳନକାରୀ ଆଉ କାହାକୁ ବି ଛାଡ଼ିନଥିଲେ। ସକାଳ ୬ଟାଠାରୁ ଉଭୟ ନାରାୟଣପାଟଣା ଓ ରାୟଗଡା କୋରାପୁଟ ରାସ୍ତାକୁ ଆନ୍ଦୋଳନ କାରି ଅବରୋଧ କରିଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡ଼ିଓ ଗୁରେଶ୍ୱର ଭୋଇ, ତହସିଲଦାର ନୈବେଦ୍ୟ କୁମାର ଭୋଇ, ଏସଡିପିଓ ବିରଞ୍ଚି ନାରାୟଣ ଜଗତ ପ୍ରମୁଖ ରାସ୍ତାରୋକ ସ୍ଥାନରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରୀ କହିଥିଲେ ଯେ ୬ ବର୍ଷ ତଳେ ଏମିତି ହିଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହୋଇନପାରି ଫାଇଲ ନାଲି ଫିତା ତଳେ ରହିଗଲା ତେଣୁ ଜିଲ୍ଲାପାଳ ନିଜେ ଏଠାରେ ପହଞ୍ଚି ନିର୍ଭୟ ପ୍ରତିଶୃତି ପ୍ରଦାନ କଲେ ରାସ୍ତାରୋକରୁ ହଟିବୁ ବୋଲି ଜିଦରେ ଅଟଳ ରହିଥିଲେ। ସମୟ ବଢିବା ସହ ରାସ୍ତାରୋକରେ ଅନେକ ସାମିଲ ହୋଇଥିଲେ |

Advertisment

publive-image

ଦିନତମାମ ବଣିକ ସଂଘ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିଲେ। ଏହା କୌଣସି ଦଳଗତ ବନ୍ଦ ଡାକରା ନଥିଲେ ମଧ୍ୟ କଂଗ୍ରେସ ଓ ବିଜେପିର କିଛି ସ୍ଥାନୀୟ ନେତା ଆସି ସହଯୋଗ କରିଥିଲେ, ଦାବି ଯଥାର୍ଥ ବୋଲି କହି ସରକାର ଦଳରେ ଥିଲେ ମଧ୍ୟ ଅଂଚଳ ଲୋକଙ୍କ ପ୍ରତି ପୂର୍ବତନ ବିଧାୟକ କୈଳାଶ କୁଲେସିକା ଓ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା ଉପସ୍ଥିତ ହୋଇ ସରକାରଙ୍କ ଦୃଷ୍ଟିକୁ ଆଣିବୁ ବୋଲି କହିଥିଲେ। କିଛି ସମୟ ପରେ ଜିଲ୍ଲାପାଳ ଲକ୍ଷ୍ମୀପୁର ବିଡ଼ିଓଙ୍କୁ ଏକ ପ୍ରତିନିଧି ଦଳ ଧରିକି ଆସିବାକୁ ନିର୍ଦେଶ ଦେଇଥିଲେ | ପରେ ବିଡ଼ିଓ ତହସିଲଦାରଙ୍କ ସହ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୫ଜଣିଆ ପ୍ରତିନିଧି ଦଳ କୋରାପୁଟରେ ପହଂଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଲକ୍ଷ୍ମୀପୁର ତହସିଲରେ ଜମି ରେଜିଷ୍ଟ୍ରସନ ସହ ସବରେଜିଷ୍ଟ୍ର ଅଫିସ ଖୋଲାଯିବା, ଡାକ୍ତରଖାନାରେ ରୋଗୀଙ୍କ ବେଡ଼ ସଂଖ୍ୟା ବଢ଼ାଇବା, ଅଲଟ୍ରାସାଉଣ୍ଡ ମେସିନ ସକାଶେ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି ଦେବା ଓ ସବଡ଼ିଭିଜନ ସକାଶେ ତ୍ୱରିତ ପଦକ୍ଷେପ ପାଇଁ ସରକାରଙ୍କ ଗୋଚରକୁ ଅଣାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରାଯାଇଥିଲା । ଆଲୋଚନା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ବେଣୁଧର ଶବର, ଏସପି ଅଭିନଵ ସୋନକର, ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ ତହସିଲଦାର ନୈବେଦ୍ୟ କୁମାର ଭୋଇ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅମରେଶ ଶତପଥି, ମନୋଜ କୁମାର ସାହୁ, ଉମାଶଙ୍କର କର୍କରା, ସଞ୍ଜୟ ପାଣି ପ୍ରମୁଖ ଉପସ୍ଥିତ ଥିଲେ।