ଧଉଳି: କେନ୍ଦ୍ର ସରକାରଙ୍କ ଜନବିରୋଧୀ କୃଷକ ଆଇନ ଏବଂ ଏ ବିରୋଧରେ ସଂଗଠିତ କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାରଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘଟଣା ପ୍ରତିବାଦରେ ଅଲଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦୃଢ଼ ବିରୋଧ କରିଛି। ଏନେଇ ଆଜି ପୂର୍ବାହ୍ନରେ ସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ପୁରୀ-କଟକ ବାଇପାସ ରାସ୍ତାର ଲିଙ୍ଗିପୁର ଟ୍ରାଫିକ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବରେ ଆନ୍ଦୋଳନ କାରୀମାନେ ଦୀର୍ଘ ସମୟ ଧରି ବସିରହି ପ୍ରତିବାଦ ଜଣାଇଥିଲେ। ଫଳରେ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଥିଲା।

Advertisment

ଦୟା ବ୍ରିଜ କଟ ନିକଟରେ ଏହି ପାର୍ଶ୍ବ ରାସ୍ତାକୁ ପୁଲିସ ବ୍ଲକ କରି ଆର ପାର୍ଶ୍ବ ରାସ୍ତାରେ ଗାଡ଼ିମଟର ଚଳାଚଳ ନେଇ ପଦକ୍ଷେପ ଗ୍ରହଣ କରିଥିଲା। ପ୍ରତିବାଦ ସଭାରେ କୃଷକ ନେତା ସମୂହ କେନ୍ଦ୍ର ସରକାର କୃଷକ ମୃତ୍ୟୁ ଘଟଣାକୁ ଅଣଦେଖା କରିବା, ପୁଲିସ ଓ ଅର୍ଦ୍ଧ ସାମରିକ ପୁଲିସ ବଳ ଲଗାଇ କୃଷକ ନେତାମାନଙ୍କୁ ଆକ୍ରମଣ କରାଯିବା ଏବଂ କୃଷକ ନେତାମାନଙ୍କୁ ଗିରଫ କରାଯିବା ଘଟଣାର ନିନ୍ଦା କରାଯାଇଥିଲା। ଏହି ଆନ୍ଦୋଳନରେ କୃଷକ ଆନ୍ଦୋଳନର ସଂଗଠକ ପୂର୍ଣ୍ଣଚନ୍ଦ୍ର ବେହେରା, ସନ୍ତୋଷ ରଥ, ରାଜେନ୍ଦ୍ର ବର୍ମା, ନିରଞ୍ଜନ ମହାନ୍ତି, ସୁଭାଷ ନାୟକ, ଗଣେଷ ତ୍ରିପାଠୀ, ପ୍ରଭା ମଂଜୁଳା ବ୍ରହ୍ମ, ମହମ୍ମଦ ସୁକୁର, ସ୍ବସ୍ତି ସଂଗିତା ଦଳାଇ ଓ ସପ୍ତର୍ଷିନୀ ରାଉଳ ପ୍ରମୁଖ ନେତୃତ୍ବ ନେଇଥିଲେ।