ପିଆରଏମ ମେଡିକାଲ୍‌ କଲେଜ୍‌ରେ ଛାତ୍ର ଅଶାନ୍ତି; ମୌଳିକ ସୁବିଧା ମିଳୁନଥିବା ଅଭିଯୋଗରେ ଡିନ୍‌ଙ୍କୁ ଘେରିଲେ

୭ ଦିନ ମଧ୍ୟରେ ସମାଧାନ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ

ବାରିପଦା: ସ୍ଥାନୀୟ ରଙ୍ଗାମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ‌ରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଥିଲା। ‌କଲେଜ୍‌ କ୍ୟାମ୍ପସ୍‌, ଛାତ୍ରାବାସରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ କରି ଏଠାରେ ଅଧ୍ୟୟନରତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆଜି ଡିନ୍‌ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।

ମେଡିକାଲ କଲେଜ୍‌ର ଛାତ୍ରାବାସ ଓ ଛାତ୍ରୀ ନିବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ସାଙ୍ଗକୁ ପାଣି ଟାଙ୍କି ସଫେଇ ଏବଂ ଶୌଚାଳୟ ଓ ଗାଧୁଆ ଘରେ ବ୍ୟାପକ ଅବ୍ୟବସ୍ଥା ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଉପଯୁକ୍ତ ଶୈକ୍ଷିକ ବାତାବରଣ ନିମନ୍ତେ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ମୌଳିକ ସୁବିଧା ଯୋଗାଇଦିଆଯାଉନଥିବା ଅଭିଯୋଗ କରି ଆ‌ନ୍ଦୋଳନକୁ ଓହ୍ଲାଇଥିବା ପ୍ରକାଶ। ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ କଲେଜ୍‌ର ଡିନ୍‌ ଏବଂ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଛାତ୍ରଛାତ୍ରୀଙ୍କ ଦାବିଗୁଡ଼ିକୁ ୭ ଦି‌ନ ମଧ୍ୟରେ ସମାଧାନ କରାଯିବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଦାବି ପୂରଣ ନେଇ କଲେଜ୍‌ କର୍ତ୍ତୃପକ୍ଷ ଅବହେଳା କଲେ ପୁନଶ୍ଚ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରକାଶ। ଏହି ଆ‌ନ୍ଦୋଳନରେ ମେଡିକାଲ କଲେଜ ଛାତ୍ର ୟୁନିୟନର ସଭାପତି ଅରବିନ୍ଦ ପ୍ରସାଦ, ସାଧାରଣ ସମ୍ପାଦକ ବଳରାମ ପୋଥାଳ, ଉପସଭାପତି ସ୍ୱସ୍ତିକ ମହାନ୍ତି, ସହସାଧାରଣ ସମ୍ପାଦକ ସୋନାଲୀ ଦାଶ, କୋଷାଧ୍ୟକ୍ଷ ସୁମନ କୁମାର ପ୍ରଧାନ, ବିନତୀ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ। ପ୍ରାୟ  ସମ୍ରିତ ମହାପାତ୍ର, ସ୍ୱୟମପ୍ରଭା ଦାସ, ଦେଭୀପ୍ରସାଦ ଦାଶ, ଅନୁପ ଦ୍ୱିବେଦୀ, ରୋହନ ସାମନ୍ତରାୟ, ସ୍ମୃତି ରଞ୍ଜନ ସେଠୀ, ଶୁଭ ଚନ୍ଦନ, ଶୁଭମ୍‌ ପଟ୍ଟନାୟକ, ଆଶିଷ କୁମାର ଦାସ ପ୍ରମୁଖଙ୍କ ସମେତ ପ୍ରାୟ ୩୨୫ଜଣ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର