ସ୍ୱାବଲମ୍ବୀ କାରିଗରଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସର୍ବନିମ୍ନ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସଭାପତି ଜିତେନ୍ଦ୍ର ବଳବନ୍ତରାୟଙ୍କ କହିବା କଥା ହେଲା, ୧୯୯୮ରେ ନଳକୂପ ମରାମତି କାର୍ଯ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ପରେ ୨୦୦୬ରୁ ରାଜ୍ୟ ସରକାର ଗ୍ରାମ୍ୟ ପାଇପ ଲାଇନ୍ ଜଳଯୋଗାଣ ବ୍ୟବସ୍ଥାରେ ନିୟୋଜିତ କଲେ ।

ଏଥିପାଇଁ ମାସିକ ୩୫୦ଟଙ୍କା ଓ ପରେ ଏହାକୁ ବଢ଼ାଇ ୮୫୦ଟଙ୍କା କରିଥିଲେ । ୨୦୧୩ରେ ଆନ୍ଦୋଳନ ପରେ ସରକାର ଏହାକୁ ୧୦୦୦ ଟଙ୍କାକୁ ବୃଦ୍ଧି କରି ଅତିରିକ୍ତ କାର୍ଯ୍ୟପାଇଁ ୨୦୦୦ଟଙ୍କା ଦେବାକୁ ଘୋଷଣା କଲେ । କିନ୍ତୁ ତ୍ରୟୋଦଶ ଅର୍ଥ କମିଶନ ଶେଷ ହେବା ପରେ ଏହି କାର୍ଯ୍ୟକୁ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ହାତକୁ ହସ୍ତାନ୍ତର କଲେ । ଏହି ସ୍ଥିତିରେ ରାଜ୍ୟର ୧୩, ୬୯୧ଜଣ ଏସ୍ଇଏମଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି ।

ଏଣୁ ଏସ୍ଇଏମ୍ କାରିଗରଙ୍କୁ ସର୍ବନିମ୍ନ ମଜୁରୀ ସହ ସ୍ଥାୟୀ ନିଯୁକ୍ତି, କାରିଗରଙ୍କ ମୃତ୍ୟୁରେ ଅନୁକମ୍ପାମୂଳକ ରାଶି ପ୍ରଦାନ, ଠିକାଦାର, ଏନଜିଓ ଓ ଏସ୍ଏଚଜି ଗୋଷ୍ଠୀଙ୍କ ବଦଳରେ ବିଭାଗ ଦ୍ୱାରା ପରିଚାଳନା ଆଦି ଦାବି କରାଯାଇଛି । ଆଜିରେ ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ସାହୁ, ସତ୍ୟନାରାୟଣ ପାଣିଗ୍ରହୀ, ଦୁଷ୍ମନ୍ତ ବେହେରା, ସୋମନାଥ ସେଠୀ, ବିଭୂତି ଭୂଷଣ ବାହିନୀପତି ପ୍ରମୁଖ ନେତୃତ୍ୱ ନେଇଥିଲେ ।

ସମ୍ବନ୍ଧିତ ଖବର