ବନବାସୀଙ୍କ ଅନଶନ ୮ମ ଦିନରେ, ଅନଶନସ୍ଥଳରେ ବିଜେପି ପ୍ରତିନିଧି ଦଳ

ବନବାସୀଙ୍କୁ ଆକ୍ରମଣ ପ୍ରସଙ୍ଗ ଉପରେ ସାଂସଦ ବିଧାୟକ ଚୁପ୍ କାହିଁକି: ପର୍ଶୁରାମ ମାଝୀ

ଚନ୍ଦାହାଣ୍ଡି: କଳାହାଣ୍ଡି ଜିଲ୍ଲା ସାହାଜଖୋଲ୍ ଜଙ୍ଗଲରେ ୪୦ଟି ବନବାସୀ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପ୍ରଦାନ ସହିତ ୬ ଦଫା ଦାବି ନେଇ ଚାଲିଥିବା ଅନଶନ ଆଜି ୮ମ ଦିନରେ ପହଞ୍ଚିଛି। ଆଜି ଅନଶନସ୍ଥଳରେ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ନେତୃତ୍ୱରେ ପହଞ୍ଚି ପୀଡ଼ିତ ପରିବାର ସହ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ପୂର୍ବତନ ସାଂସଦ ଶ୍ରୀ ମାଝୀ ଆକ୍ରମଣ ଘଟଣା ଆଜକୁ ୨୫ ଦିନ ବିତି ଯାଇଥିଲେ ହେଁ ଓ ଆକ୍ରମଣର ଶିକାର ସମସ୍ତ ପୀଡ଼ିତ ପରିବାର ଝରିଗାଁ ନିର୍ବାଚନ ମଣ୍ଡଳୀର ହୋଇଥିବାବେଳେ ଏହି ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ଓ ସାଂସଦ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଥିଲେ।

ଏହି ପ୍ରତିନିଧି ଦଳରେ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ୍ ଉପସ୍ଥିତ ରହି ପୀଡ଼ିତ ପରିବାରଙ୍କୁ ନ୍ୟାୟ ନ ମିଳିଲେ ବିଜେପି ଚୁପ୍ ବସିବ ନି ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ରହୁ ବୋଲି କହିଥିଲେ। ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଚନ୍ଦ୍ରଭାନୁ ନାୟକ ପୀଡ଼ିତ ମାନଙ୍କ ସହ ଆଲୋଚନା କରି ଘଟଣାର ମୁଖ୍ୟ ଅଭିଯୁକ୍ତ କୋକସରା ବ୍ଲକ୍ ଯୁବ ବିଜେଡି ସଭାପତି ହୋଇଥିବାରୁ ପୁଲିସ ଜାଣି ଶୁଣି ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ ଓ ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରୁନାହାଁନ୍ତି ବୋଲି ପ୍ରକାଶ କରିଥିଲେ।

ଏହି ପ୍ରତିନିଧି ଦଳରେ ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘ, ମଲଗାଁ ମଣ୍ଡଳ ସଭାପତି ଡମ୍ବରୁ ମାଝୀ, ଯୁବ ନେତା ମୁନା ବେଶ୍ରା, ଲୋଚନ କଟା, ସୁବଳ ବାଘ, ଭୁବନେଶ୍ବର ସାଗର, ଶରତ ମାଝୀ, ଶିବ କନୀୟାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ପୀଡ଼ିତ ପରିବାର ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି, ଜୁନ୍‌ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଅଞ୍ଚଳର କିଛି ଯୁବକ ଡୁମେରପାଣି ଓ ଭତାପାଣି ଗ୍ରାମରେ ପହଞ୍ଚି ୪୦ଟି ବନବାସୀ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ କରି ତଡ଼ି ଦେଇଥିଲେ। କିନ୍ତୁ ଏହି ଘଟଣାକୁ ୨୫ ଦିନ ବିତିଯିବା ପରେ ମଧ୍ୟ ପୀଡ଼ିତ ପରିବାର ୬ ଦଫା ଦାବି ନେଇ ଝରିଗାଁ- ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ଭତାପାଣି ଗ୍ରାମରେ ଅନଶନରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ବନବାସୀଙ୍କ ତରଫରୁ ମଧୁ ଭତ୍ରା, କୃତ୍ତିବାସ ଭତ୍ରା, ଲକ୍ଷ୍ମୀକାନ୍ତ ଭତ୍ରା, ବୁଦନ ଭତ୍ରା, ଦୀନବନ୍ଧୁ ହରିଜନ, ଭକଚନ ଭତ୍ରା ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର