ଖୋର୍ଦ୍ଧା: ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତ ବଡ଼ଶିରେଇ ଗ୍ରାମର ଗ୍ରାମବାସୀ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଗାଁରେ ଏକ ନିର୍ଦ୍ଦିଷ୍ଟ ପରିବାରର ଦୌରାତ୍ମ୍ୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଦୁର୍ନୀତି ନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁର ଏକ ନିର୍ଦ୍ଦିଷ୍ଟ ପରିବାରର ଦୁଇ ଜଣ ସଦସ୍ୟା ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ବିଭିନ୍ନ ସମୟରେ ଅଙ୍ଗନବାଡ଼ିରେ ଖାଦ୍ୟ ଦିଆଯାଉନଥିବା, ସରକାରଙ୍କ ଅନ୍ୟ ଯୋଜନାର ସୁଫଳ ଗର୍ଭବତୀ ଓ ଶିଶୁଙ୍କ ନିକଟରେ ପହଂଚାଉନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ କେନ୍ଦ୍ର କରି ପରିବାରର ସଦସ୍ୟମାନେ କେତେକ ଅଭିଯୋଗକର୍ତ୍ତାଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି। ଏପରିକି ୨୦୧୯ ସେପ୍ଟେମ୍ବର ୨୭ ତାରିଖରେ ଗ୍ରାମ କମିଟିର ସଦସ୍ୟ ପ୍ରଭାକର ମହାରଣାଙ୍କୁ ଅଭିଯୋଗ ନେଇ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏନେଇ ବାଣପୁର ଥାନାରେ ସମ୍ପୃକ୍ତ ପରିବାର ବିରୋଧରେ ଏକାଧିକ ମାମଲା ରହିଛି।
ପୁଲିସକୁ ଆକ୍ରମଣ ଘଟଣାରେ ମଧ୍ୟ ପୁଲିସ ପକ୍ଷରୁ ଉକ୍ତ ପରିବାରର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପରିବାରର ସଦସ୍ୟଙ୍କ ଭୟରେ କୌଣସି ଶିଶୁ କିମ୍ବା ଗର୍ଭବତୀ ମହିଳା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉନାହାଁନ୍ତି। ଏହାକୁ ନେଇ ଚଳିତ ବର୍ଷ ଫେବୃୁଆରୀ ୧୧ ତାରିଖରେ ସିଡିପିଓ, ଥାନା ଅଧିିକାରୀ, ତହସିଲଦାର, ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କୁ ବଦଳେଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ ୬ ମାସ ବିତିଯାଇଛି କିନ୍ତୁ ପ୍ରତିଶ୍ରୁତି ପାଳନ ହୋଇନାହିଁ। ଧାରଣା ପରେ ଉପଜିଲ୍ଲାପାଳ ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ବେଳେ ବିଜେପି ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ପୂର୍ବତନ ସଭାପତି ନିକୁଂଜ ପଟ୍ଟନାୟକ ପ୍ରମୁଖ ଅଭିଯୋଗକାରୀଙ୍କ ସହ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Khordha-Upazillapal-karjyalaya-sammukha-re-dharana.jpeg)