ଡାକ୍ତରଙ୍କ ବଦଳି ବାତିଲ ଓ ବିଭିନ୍ନ ସମସ୍ୟା ନେଇଁ ତେନ୍ତୁଳିଖୁଣ୍ଟିରେ ୨ୟ ଦିନରେ ଧାରଣା ଜାରି

ତେନ୍ତୁଳିଖୁଣ୍ଟି: ଡାକ୍ତରଙ୍କ ବଦଳି ଆଦେଶ ବାତିଲ ସହ ଶବବାହକ ଗାଡି ତୁରନ୍ତ ଯୋଗେଇବା ନେଇ ଗତକାଲି ଠାରୁ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ଓ ତେନ୍ତୁଳିଖୁଣ୍ଟି ଅଞ୍ଚଳବାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଦିଆ ଯାଇଥିବା ଧାରଣା ବୁଧବାର ଦ୍ୱିିତୀୟ ଦିନରେ ପହଁଚିଛି। ନବରଂଗପୁର ଜିଲ୍ଲା ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ମୁଖ୍ୟ ତଥା ସମାଜସେବୀ ଅଖିଳ ଭତରାଙ୍କ ନେତୃତ୍ୱରେ ସମସ୍ତ ସଭ୍ୟ ଓ ଅଞ୍ଚଳବାସୀ ଧାରଣାକୁ ସମର୍ଥନ ଜଣେଇ ବସିଛନ୍ତି। ଦୀର୍ଘ ବର୍ଷ ହେଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଅନେକ ସମସ୍ୟା ଲାଗି ରହିଥିଲେ ହେଁ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ଫଳରେ ତେନ୍ତୁଳିଖୁଣ୍ଟି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳର ଜନ ସାଧାରଣ ଆବଶ୍ୟକୀୟ ସେବାରୁ ବଂଚିତ ହୋଇ ରହୁଛନ୍ତି।

ଏଠାରେ ଅନେକ ଡାକ୍ତର ପଦବୀ ଖାଲି ପଡିଛି। ଏଥିସହ ଶବ ବ୍ୟବଛେଦ ଗୃହ ପାଇଁ ବିଗତ ଦିନ ମାନଙ୍କରେ ବାରମ୍ବାର ଦାବି ସତ୍ୱେ ପୂରଣ ହୋଇପାରୁନି। ତେବେ ଗତକାଲି ଠାରୁ ପାଞ୍ଚ ଦଫା ଦାବି ନେଇଁ ଆନ୍ଦୋଳନ ଚାଲିଛି। ଦାବି ଗୁଡିକ ମଧ୍ୟରେ କାର୍ଯ୍ୟରତ ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକଙ୍କ ବଦଳି ବାତିଲ, ଏପ୍ରିଲ ମାସରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ ଶବବାହକ ଗାଡି ତୁରନ୍ତ ଯୋଗାଣ, ଶବ ବ୍ୟବଛେଦ ଗୃହ ପ୍ରତିଷ୍ଠା, ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ, ରକ୍ତ ଭଣ୍ଡାର ସ୍ଥାପନ, ଏକ୍ସରେ ମେସିନ ଓ ଇସିଜି ମେସିନ ଯୋଗାଣ, ଏଭଳି ପାଞ୍ଚଟି ଦାବି ଦାବି ପତ୍ରରେ ଉଲ୍ଲେଖ ରହିଛି।

ଆଜି ଅପରାହ୍ନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ସାଂସଦ ରମେଶ ଚନ୍ଦ୍ର ମାଝୀ, ଧାରଣାସ୍ଥଳରେ ପହଂଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଛନ୍ତି। ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷା ଦେବକୀ ନାୟକ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ବର୍ଷିଆନ ରାଜନେତା ନାରାୟଣ ପାତ୍ର, ଯୁବନେତା ସୁଧୀର ଖୁରା, ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ହିଆଲ ପ୍ରମୁଖ ଧାରଣା ସ୍ଥଳରେ ପହଂଚି ଆଲୋଚନା କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବା ନେଇଁ ଅଖିଳ ଭତରା ପ୍ରକାଶ କରିଛନ୍ତି। ତେବେ ଧାରଣାର ଦ୍ୱିତୀୟ ଦିନରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର