ସୁନ୍ଦରଗଡ଼: ଜମିହରାଙ୍କୁ ଅତିରିକ୍ତ ଅନୁକମ୍ପାମୂଳକ ରାଶି ଏକର ପ୍ରତି ୧୫ ଲକ୍ଷ, ବେଦାନ୍ତ କମ୍ପାନିରେ ଚାକିରି ଆଦି ୮ ଦଫା ଚୁକ୍ତିନାମା ବା ବୁଝାମଣା ପରେ ଜାମକାନି ବିସ୍ଥାପିତଙ୍କ ୯୮ ଦିନ ଧରି ଚାଲିଥିବା ଅହୋରାତ୍ର ଧାରଣା ପ୍ରତ୍ୟାହୃତ ହୋଇଛି। ଏହା ପରେ ବେଦାନ୍ତର ଜାମକାନି ଖଣି ଉତ୍ତୋଳନ ସ୍ବାଭାବିକ ହୋଇଛି। ଶୁକ୍ରବାର ଦିନ ୧୧ଟାରେ ଜାମକାନି ଖଣି ବିରୋଧୀ ଆନ୍ଦୋଳନସ୍ଥଳରେ ବିଧାୟିକା କୁସୁମ ଟେଟେଙ୍କ ଉପସ୍ଥିତିରେ କମ୍ପାନି କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ଜମିର ଅତିରିକ୍ତ କ୍ଷତିପୂରଣ ବା ଅନୁକମ୍ପାମୂଳକ ରାଶି ଏକର ପ୍ରତି ୧୫ ଲକ୍ଷ ଦେବାକୁ କମ୍ପାନି ରାଜି ହୋଇଥିଲା। ସେହିପରି ପୁରୁଣା ହିସାବରେ ଏକର ପ୍ରତି ଧାର୍ଯ୍ୟ ହୋଇଥିବା ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ୧୨ ପ୍ରତିଶତ ସୁଧ ହିସାବରେ ୧୦ ବର୍ଷର ସୁଧ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ଭୂମିହୀନଙ୍କୁ ଚିହ୍ନଟ କରି ପୁନର୍ବାସ ଓ ଥଇଥାନ ସୁବିଧା ପ୍ରଦାନ, ପୁନର୍ବାସ କଲୋନିକୁ ବାସ ଉପଯୋଗୀ କରିବା, ବିସ୍ଥାପିତ ପରିବାରର ପ୍ରତିଟି ଗୃହକୁ ପୁନଃସର୍ବେକ୍ଷଣ କରି ନୂତନ ଭାବେ ନିର୍ମିତ ଘରକୁ କ୍ଷତିପୂରଣ ତାଲିକାରେ ଅନ୍ତର୍ଭୁକ୍ତ କରିବା, ସ୍ଥାନୀୟ ବେରୋଜଗାରଙ୍କ ସହ ବିସ୍ଥାପିତ ପରିବାରର ୧୮ ବର୍ଷରୁ ଉର୍ଦ୍ଧ୍ବ ପୁଅ ଓ ଝିଅଙ୍କୁ ତାଲିମ ଓ ତାଲିକପ୍ରାପ୍ତ ଯୁବକଯୁବତୀଙ୍କୁ ବେଦାନ୍ତରେ ସିଧାସଳଖ ନିଯୁକ୍ତି ପ୍ରଦାନ ପାଇଁ ଚୁକ୍ତିନାମା କରାଯାଇଥିଲା। ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ସହ ବିସ୍ଥାପିତ ନେତା ଗୋପାଳ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି କୁନ୍ତି ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ମୈଥିଲି ବେହେରା, ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସା, ଜିଲ୍ଲାପରିଷଦ ସଭ୍ୟ ଉଦିତ ସେଠ, ଝାରପଲମ ସରପଞ୍ଚ ଚନ୍ଦ୍ରବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

ଉଲ୍ଲେଖଯୋଗ୍ୟ, ୨୦୦୬ରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ କମ୍ପାନି ଜାମକାନି କୋଇଲା ଖଣି ପାଇଥିଲା। ସେତେବେଳେ କମ୍ପାନି ୪ଟି ଗାଁ ଜାମକାନି, ଗିରିସୀମା, ଝାରପଲମ ଓ ମେଣ୍ଡ୍ରାର ୧୫୧୮.୮୪ ଏକର ଜମି ଅଧିଗ୍ରହଣ କରି ସମସ୍ତଙ୍କୁ କ୍ଷତିପୂରଣ ଦେବା ସହ ପୁନର୍ବାସ ଓ ଥଇଥାନ ପ୍ରକ୍ରିୟା ଆରମ୍ଭ କରିଥିଲା। କିନ୍ତୁ ଖଣି ଦୁର୍ନୀତି ମାମଲାରେ ୨୦୧୪ରେ ତାକୁ ସୁପ୍ରିମକୋର୍ଟ ବାତିଲ କରି ଦେଇଥିଲେ। ଏହା ପରେ ଖଣି ବିସ୍ଥାପନରେ ଗାଁ ଝୁଲି ରହିଲା। ୧୩ ବର୍ଷ ଧରି ବିସ୍ଥାପିତ ଗାଁ ଦୁର୍ଦ୍ଦଶାରେ ରହିଲା। ଚଳିତ ବର୍ଷ ବେଦାନ୍ତ ଜାମକାନି ଖଣି ପାଇଲା ପରେ ପୁନଃ ଆକଳନ କରି ୫୦ ଲକ୍ଷ ଅତିରିକ୍ତ କ୍ଷତିପୂରଣ ଓ ନିଯୁକ୍ତି, ପୁନର୍ବାସ ସୁବିଧା ଦିଆଯାଉ ବୋଲି ବିସ୍ଥାପିତ ଦାବି କରିଥିଲେ। କିନ୍ତୁ ଭୂଷଣ ଜମିର କ୍ଷତିପୂରଣ ଦେଇଥିବାରୁ ଆଉ ଅଧିକ ଅନୁକମ୍ପାମୂଳକ ରାଶି ଦେବା ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଯେଉଁଥିପାଇଁ ଖଣି ଖନନକୁ ବିରୋଧ କରିଥିଲେ ବିସ୍ଥାପିତ । କିନ୍ତୁ ୨୦୨୨ ନଭେମ୍ବର ୫ ତାରିଖରେ ଖଣି ଖନନ ଆରମ୍ଭ କରିଥିଲା କମ୍ପାନି। ତାକୁ ପ୍ରବଳ ବିରୋଧ କରିଥିଲେ ବିସ୍ଥାପିତ। ପୁଲିସ ସହ ଧସ୍ତାଧସ୍ତି, ଲାଠିଚାଳନା ମଧ୍ୟରେ ଚାଲିଥିଲା ଖନନ। ପ୍ରତିବାଦରେ ୪ଟି ଗାଁ ବିସ୍ଥାପିତ ଅହୋରାତ୍ର ଧାରଣା ଦେଇଥିଲେ। ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ, ଆନ୍ଦୋଳନ ସହ ଜଡ଼ିତ ଅନୁଷ୍ଠାନ ଧାରଣାରେ ସାମିଲ ହୋଇଥିଲେ। ଯାହା ପ୍ରଶାସନ ଓ କମ୍ପାନି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଏହା ମଧ୍ୟରେ ଅନେକବାର ବିସ୍ଥାପିତଙ୍କ ସହ ପ୍ରଶାସନ ଓ କମ୍ପାନିର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା। ଏ ସଂକ୍ରାନ୍ତରେ ବିଧାୟିକା ଶ୍ରୀମତୀ ଟେଟେ ଜିଲ୍ଲାପାଳ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ସହ ବହୁବାର ଆଲୋଚନା କରି ଅନୁକମ୍ପାମୂଳକ ରାଶି ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ। ଶେଷକୁ ସମାଧାନର ବାଟ ବାହାରିଥିଲା।