ବାଲେଶ୍ବର: ମହିଳାମାନେ ହେଉଛନ୍ତି ଅଧା ବିଶ୍ବ। ସେମାନଙ୍କ ସହଭାଗିତାକୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ। ବଡ଼ ସ୍ବପ୍ନକୁ ପୂରଣ କରିବା ପାଇଁ ସେମାନଙ୍କ ପାଖରେ ସବୁପ୍ରକାର ସ‌ାମର୍ଥ୍ୟ ରହିଛି। ନିଜର ଆତ୍ମବିଶ୍ବାସକୁ ବଢ଼ାଇ ଏ ଦିଗରେ ଅଗ୍ରସର ହେଲେ ମହିଳାମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟ ଓ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିବେ ବୋଲି ବାଲେଶ୍ବରରେ ‘ଓଡ଼ିଶା-୫୦’ର ତୃତୀୟ ସଂସ୍କରଣରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
Advertisment
ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ସୋମବାର ​ନୋସି ବିଜିନେସ୍‌ ପାର୍କ ପ୍ରେକ୍ଷାଳୟରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ-୨୦୨୩। ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ବିଧାୟକ ସ୍ବରୂପ କୁମାର ଦାସ କହିଥିଲେ, ମହିଳାମାନେ ଯଦି ସମା​ଜର ଆଗଧାଡ଼ିକୁ ଆସିପାରିବେ ନାହିଁ, ତା’ ହେଲେ ସମାଜ ପଛେଇଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତୃଶକ୍ତିର ବିକାଶକୁ ସବୁବେଳେ ଅଗ୍ରାଧିକାର ଦେଇ ଆସୁଛନ୍ତି। ଶିକ୍ଷା, ରାଜନୀତି, ବ୍ୟବସାୟ, ନିଯୁକ୍ତି ଆଜି ସବୁକ୍ଷେତ୍ରରେ ମହିଳାମାନଙ୍କର ଉପସ୍ଥିତି ଦେଖିବାକୁ ମିଳୁଛି। ମିସନ୍‌ ଶକ୍ତିରେ ଲକ୍ଷ ଲକ୍ଷ ମହିଳା ଯୋଡ଼ି ହୋଇ ସେମାନଙ୍କ ଆୟର ଉତ୍ସ ସୃଷ୍ଟି କରୁଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗର ସଦୁପଯୋଗ ସହ ତାଲିମ ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ‘ଟିସିଆ ଆଗ୍ରି ଭେନ୍‌ଚର’ର ମ୍ୟାନେଜିଂ ପା​ର୍ଟନର ଡ. ନିନା ସିଂ କହିଲେ, ଗ୍ରାମୀଣ ମହିଳାମାନେ କୃଷିଭିତ୍ତିକ, ହସ୍ତତନ୍ତ, ଖାଦ୍ୟ ପ୍ରକ୍ରିୟାକରଣକୁ ଧ୍ୟା​ନ​ରେ ରଖି ଅଧିକରୁ ଅଧିକ ଅଣୁ ଉଦ୍ୟୋଗ ଖୋଲନ୍ତୁ। ମୋବାଇଲ ଏବେ ବୈଷୟିକ ଜ୍ଞାନକୌଶଳର ଗନ୍ତାଘର। ଏହାର ଉପଯୋଗ କରି ବ୍ୟବସାୟକୁ ସଂପ୍ରସାରିତ କରାଯାଇପାରିବ। ସେ ନିଜେ ଓଏଏସ୍‌ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବା ସହ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରାଇ କିପରି ଆଗକୁ ବଢ଼ିଛନ୍ତି, ତାର ଉଦାହରଣ ରଖିଥିଲେ।
ସଭାପତି ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ, କିଛି ବର୍ଷ ପୂର୍ବରୁ ଓଡ଼ିଶା ବାତ୍ୟା, ମରୁଡ଼ି, ଅନାହାର ମୃତ୍ୟୁ ଭଳି ବିପର୍ଯ୍ୟୟ ଓ ଅପବାଦକୁ ନେଇ ପରିଚିତ ଥିଲା। କିନ୍ତୁ ଆଜି ସଶକ୍ତ ମାତୃଶକ୍ତି ହେଉଛି ଓଡ଼ିଶାର ପରିଚୟ। ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଏତେ ବଡ଼ ଆନ୍ଦୋଳନ ଛିଡ଼ା ହୋଇପାରିବ, କିଛି ବର୍ଷ ପୂର୍ବରୁ କେହି କଳ୍ପନା ସୁଦ୍ଧା କରିନଥିଲେ। ମହିଳାମାନେ ସାଧାରଣତଃ ଅଳ୍ପରେ ସନ୍ତୁଷ୍ଟ ହୋଇଯାଆନ୍ତି। ତେବେ ବଡ଼ ସ୍ବପ୍ନକୁ ପୂରଣ କରିବା ପାଇଁ ସେମାନଙ୍କ ପାଖରେ ସବୁପ୍ରକାର ସ‌ାମର୍ଥ୍ୟ ରହିଛି। କର୍ମ ଓ ସଫଳତାର ଶେଷ ନାହିଁ। କେବଳ ଧୈର୍ଯ୍ୟ ଓ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିଲେ ସଫଳତାକୁ କେହି ରୋକି ପାରିବେନି। ଉପସ୍ଥିତ ମହିଳାମାନଙ୍କୁ ଆହ୍ବାନ ଦେଇ ସେ ଆହୁରି କହିଲେ, ପରିବାରରେ ପୁଅ ହୁଅନ୍ତୁ କିମ୍ବା ଝିଅ; ସମସ୍ତଙ୍କୁ ସମାନ ଗୁରୁତ୍ବ ଦିଅନ୍ତୁ। ସମାନ ଚକ୍ଷୁରେ ଦେଖନ୍ତୁ। ସମାନ ସୁଯୋଗ ଦିଅନ୍ତୁ। ଝିଅମାନେ ପୁଅଙ୍କଠୁ କମ୍ ନୁହନ୍ତି, ଏହା ସେମାନେ ବାରମ୍ବାର ପ୍ରମାଣିତ କରିଛନ୍ତି। ସୁଯୋଗ ମିଳିଲେ ଯାଇ ସମାନତା ଆସିପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।
publive-image
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ସ୍ବାବଲମ୍ବୀ ମହିଳା: ସଫଳତାର ସୂତ୍ର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲେଶ୍ବର ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରବନ୍ଧକ ପ୍ରଣବ କୁମାର ନାୟକ, ‘ଓରମାସ୍‌’ର ଡେପୁଟି ସିଇଓ କୌଶିକ ପାତ୍ର ଓ ମିସନ୍‌ ଶକ୍ତି ବାଲେଶ୍ବରର ପ୍ରକଳ୍ପ ପରିଚାଳିକା ଶକ୍ତିପ୍ରିୟା ବିଶ୍ବାଳ ଯୋଗ ଦେଇ ପ୍ରକଳ୍ପ ଚୟନ, ପୁଞ୍ଜି ଯୋଗାଡ଼ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉଦ୍ୟୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଅତିଥି ବି​ଶେଷଜ୍ଞ। ପ୍ରଥମ ଅଧିବେଶନରେ ସମ୍ବାଦ ବାଲେଶ୍ବର ସଂସ୍କରଣ ମୁଖ୍ୟ ଗୌତମଶଙ୍କର ସ୍ବାଇଁ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ସହ ଦ୍ବିତୀୟ ଅଧିବେଶନ ସଂଯୋଜନା କରିଥିଲେ। ସମ୍ବାଦ ସହସମ୍ପାଦକ ରୁଦ୍ରରଞ୍ଜନ ଶେଜପଡ଼ା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସମ୍ବାଦ ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଧନ୍ୟବାଦ ଦେଇଥିଲେ।  ଏହି ସମାବେଶରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର ଜିଲ୍ଲା ଅଧୀନ ୪୫ଟି ବ୍ଳକ୍‌ରୁ ୧୨୦ରୁ ଅଧିକ ସଫଳ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।