ଛାତ୍ରଙ୍କ ଅଭିନବ ଆନ୍ଦୋଳନ ପରେ ଚେତିଲା ପ୍ରଶାସନ: ବେଲଘର ହାଇସ୍କୁଲକୁ ଜଣେ ଶିକ୍ଷକ ଓ ୨ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ତୁମୁଡିବନ୍ଧ/ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଗୁରୁବାର ହୋଇଥିବା ଛାତ୍ରଙ୍କ ଆନ୍ଦୋଳନର ଫଳ ଶୁକ୍ରବାର ମିଳିଛି। ଛାତ୍ରଙ୍କ ଆନ୍ଦୋଳନ ପରେ ଏହି ପ୍ରଶାସନ ସ୍କୁଲରେ ଜଣେ ଶିକ୍ଷକ ଓ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଶୁକ୍ରବାର ନିଯୁକ୍ତି ମିଳିଛି।

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ମଂଗଳ ବିଭାଗ ଦ୍ଵାରା ପରିଚାଳିତ ବେଲଘର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବହୁବାର ପ୍ରଶାସନକୁ ଜଣାଯାଇଛି। ହେଲେ କେହି ନ ଶୁଣିବାରୁ ଗୁରୁବାର ଅଭିନବ ଭାବେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ବାହାରିଥିଲେ।

ସୂଚନାଯୋଗ୍ୟ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଏହାକୁ ନେଇ ପ୍ରଶାସନ ଅଡୁଆରେ ପଡିଥିଲା। ତୁରନ୍ତ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ବୁଝାସୁଝା କରି ପଠାଇ ଦିଆଯାଇଥିଲା। ତା’ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ଜିଲ୍ଲା ମଂଗଳ ଅଧିକାରୀ ଶେଷଦେବ ବେହେରା ଜଣେ ଶିକ୍ଷକ ଓ ୨ ଜଣ ଶିକ୍ଷୟିତ୍ରୀଙ୍କୁ ସେହ ସ୍କୁଲକୁ ଡେପୁଟେସନ ଭାବେ ନିଯୁକ୍ତି କରିଛନ୍ତି। ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ହେଲେ କୁତମଗଡ ହାଇସ୍କୁଲର ଭଗବାନ ସାହୁ, ଦୁତିପଡା ବାଳିକା ହାଇସ୍କୁଲର ଜ୍ୟୋତ୍ସ୍ନା ପ୍ରଧାନ ଓ ଦୁର୍ଗାପଙ୍ଗା ବାଳିକା ହାଇସ୍କୁଲର ହେମଲତା ବେହେରା।

ସମ୍ବନ୍ଧିତ ଖବର