ନଈ ମୁହଁରେ ବିଦ୍ୟାଳୟ, ବିପଦରେ ପିଲା, ପା‌ଚେରି ନିର୍ମାଣ ଅର୍ଥ ଖାଇଗଲେ

ରାଜକନିକା: ବେଙ୍ଗା ନଦୀ ମୁହଁରେ ରହିଛି। ନଦୀକୂଳଠାରୁ ମାତ୍ର ୨୦ ଫୁଟ୍‌ ଦୂରରେ ଥିବା ଶ୍ରେଣୀଗୃହରେ ବସି ପଢୁଛନ୍ତି ପିଲା। କେତେବେଳେ ଯେ ଅଘଟଣ ଘଟିବ କହି ହେବନାହିଁ। ରାଜକନିକା ବ୍ଲକ୍ ଅନ୍ତର୍ଗତ ପଣସଗଣ୍ଡ ପଞ୍ଚାୟତ ଫାଜିଲପୁରସ୍ଥିତ ବିଦ୍ୟାସାଗର ନୋଡ଼ାଲ ବିଦ୍ୟାଳୟକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ପାଚେରିଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସ୍ଥିତି ଏମିତି ‌ହୋଇଛି କେତେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଗାଁଠୁ ଦୂର ବିଦ୍ୟାଳୟରେ ପାଠ ପଢାଇବାକୁ ଶ୍ରେୟସ୍କର ମଣୁଛନ୍ତି। ସୂଚନା ଅନୁସାରେ, ୧୯୬୦ରେ ରାଜକନିକା ବ୍ଲକ୍ ସଦରଠାରୁ ଉପାନ୍ତ ୨୭ କିଲୋମିଟର ଦୂରରେ ବିଦ୍ୟାସାଗର ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୩ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତିନିଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ବେଙ୍ଗା ନଦୀକୂଳଠାରୁ ମାତ୍ର ୨୦ ଫୁଟ୍‌ ଦୂରରେ ଥିବା ଏହି ବିଦ୍ୟାଳୟ ଚାରିପଟେ ପାଚେରି ନିର୍ମାଣ ହୋଇନାହିଁ। ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇ ନଦୀକୂଳରେ ଥିବା ନଳକୂପକୁ ହାତ ଏବଂ ବାସନ ଧୋଇବାକୁ ଯାଉଛନ୍ତି। କେତେବେଳେ ପିଲାମାନେ ନଦୀକୂଳରେ ଖେଳାବୁଲା ମଧ୍ୟ କରୁଛନ୍ତି।

ଏହାଛଡ଼ା ଏହି ବିଦ୍ୟାଳୟ ପରିସରରେ ଫାଜିଲପୁର ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ବିଦ୍ୟାଳୟରୁ ଘରକୁ ନ ଫେରିବା ଯାଏ ପରିବାର ଲୋକେ ଆଶଙ୍କାରେ ରହୁଛନ୍ତି। ଏହି କାରଣରୁ କେତେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରଠାରୁ ଦୂର ବିଦ୍ୟାଳୟକୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ନଦୀକୂଳରେ ବିଦ୍ୟାଳୟ ରହିଥିବାରୁ ଶିକ୍ଷକମାନଙ୍କୁ ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ଜଗିବାକୁ ପଡ଼ୁଛି। ବନ୍ୟା ବେଳେ ସ୍କୁଲ ପରିସର ଉବୁଟୁବୁ ହେବା ସହ ପିଲାମାନେ ଶ୍ରେଣୀଗୃହ ବାହାରକୁ ବାହାରିବାକୁ ଭୟ କରିଥାନ୍ତି। ପାଚେରି ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ ଆଜିପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନାହିଁ ବୋଲି ପ୍ରଧାନଶିକ୍ଷକ କୁଳମଣି ସାହୁ କହିଛନ୍ତି। ଏ ନେଇ ବାରମ୍ବାର ଦାବି ଜଣାଇଥିଲେ ହେଁ ପ୍ରଶାସନ କି ରାଜନେତା କେହି କର୍ଣ୍ଣପାତ କରୁ ନ ଥିବା ବ୍ରଜରଥ ରାଉତ, ପଦ୍ମନାଭ ପାଣ୍ଡବ, ଚନ୍ଦ୍ରକାନ୍ତ ରାଉତ, ଅନୀଲ କୁମାର ରାଉତ ଏବଂ ଅନିରୁଦ୍ଧ ସାମଲ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ପାଚେରି ନିର୍ମାଣ ପାଇଁ ୨୦୧୭-୧୮ ମସିହାରେ ପଞ୍ଚାୟତ ସିଏଫ୍‌ସି ଫଣ୍ଡରୁ ଦୁଇ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ଆଜିପର୍ଯ୍ୟନ୍ତ କାମ ହୋଇପାରିନାହିଁ। ଜଣାପଡ଼ିଛି। ଅନ୍ୟପଟେ ଏହି ପଂଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିବା ପରେ ଗ୍ରାମବାସୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ପାଚେରି ନିର୍ମାଣ ହେବାକୁ ଥିବା ଅର୍ଥରୁ ୧ ଲକ୍ଷ ୯୦ ହଜାର ୮୨୯ ଟଙ୍କା ଆତ୍ମସାତ୍ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ତୁରନ୍ତ ଜିଲ୍ଲାପାଳ ବିଦ୍ୟାଳୟର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପାଚେରି ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର