ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ବାମପଦାସ୍ଥିତ ସିପେଟ୍(ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି)ର ଏକ ହଷ୍ଟେଲ ରୁମ୍ ଭିତରୁ ଆଜି ଦ୍ବିପ୍ରହରରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପୁରୀ ଜିଲ୍ଲା ବାଟମଙ୍ଗଳା ଅଞ୍ଚଳର ବିଶ୍ବମ୍ବର ସାହୁଙ୍କ ପୁଅ ବିବେକ ସାହୁ। ଆତ୍ମହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ବି ପରିବାର ଲୋକ ରାଗିଂ ଅଭିଯୋଗ ଆଣି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୂଚନା ମୁତାବକ, ବିବେକ ବାଲେଶ୍ବର ସିପେଟ୍ରେ ୬ ମାସିଆ ଦକ୍ଷତା ବିକାଶ ତାଲିମ୍ ନେଉଥିଲେ। କୋର୍ସ ପ୍ରାୟତଃ ଶେଷ ହୋଇ ଆସିଥିଲା। ୮ ଦିନ ପରେ ଛୁଟି ହୋଇଥାନ୍ତା ଆଉ ସେ ଘରକୁ ଯାଇଥାନ୍ତେ। ଆଜି ବ୍ୟତିବ୍ୟସ୍ତ ହୋଇ ସକାଳ ସାଢ଼େ ୧୦ଟାରେ ସେ ତାଙ୍କ ମା’ଙ୍କୁ ଫୋନ୍ କରି ଘରକୁ ଯିବାକୁ ଭାରି ଇଚ୍ଛା ହେଉଥିବା କହିଥିଲେ। ମା’ ତାଙ୍କୁ ବାରଣ କରିଥିଲେ।
ଏହାପରେ ଦ୍ବିପ୍ରହର ବେଳକୁ ସେ ହଷ୍ଟେଲ କୋଠରି ଭିତର ଫ୍ୟାନ୍ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସମ୍ପର୍କୀୟଙ୍କ ଠାରୁ ଜାଣିବା ପରେ ବାଲେଶ୍ବରରେ ପହଞ୍ଚିଥିବା କହିଛନ୍ତି ପରିବାର ଲୋକ। ସେପଟେ ବିବେକଙ୍କ ଜଣେ ସହପାଠୀଙ୍କ କହିବା ଅନୁଯାୟୀ ବିବେକ ଗତ ୩/୪ ଦିନ ହେବ ଚାପଗ୍ରସ୍ତ ଥିଲେ। ଠିକ୍ ଭାବେ କ୍ଲାସ କରୁନଥିଲେ କି ସାଙ୍ଗମାନଙ୍କ ସହ ମିଳାମିଶା କରୁନଥିଲେ। ପ୍ରତିଦିନ ହଷ୍ଟେଲର ତଳମହଲାରେ ଥିବା ତାଙ୍କ ରୁମ୍ ଭିତରେ ଏକୁଟିଆ ରହି କାହା ସହ ମୋବାଇଲରେ ଘଣ୍ଟା ଘଣ୍ଟା କଥା ହେଉଥିଲେ। ଆଜି ପୂର୍ବାହ୍ନରେ ଓ ଦ୍ବିପ୍ରହରେ ସେ ଯେତେବେଳେ ଖାଇବାକୁ ଆସିନଥିଲେ ସାଙ୍ଗମାନେ ତାଙ୍କୁ ଖୋଜିଥିଲେ। ଏହାପରେ ତାଙ୍କ ରୁମ୍ କବାଟ ଭିତରପଟୁ ବନ୍ଦ ଥିବାରୁ ଝରକା ଦେଇ ଦେଖିବା ବେଳକୁ ଫ୍ୟାନ୍ରେ ଗାମୁଛା ଲଗାଇ ବିବେକ ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରୁ ବିବେକଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ।
ହେଲେ ସେତେବେଳକୁ ବିବେକଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ। ପରେ ସେମାନେ ଘଟଣା ସମ୍ପର୍କରେ ତୁରନ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷ ଓ ଶିଳ୍ପାଞ୍ଚଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଏନେଇ ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ୍ ମୁର୍ମୁ ଏବଂ ବାଲେଶ୍ବର ସିପେଟ୍ ନିର୍ଦ୍ଦେଶକ ତଥା ମୁଖ୍ୟ କେକେ ମହାପାତ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ଉଭୟଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ମୃତ ବିବେକଙ୍କ ମାମୁ ଜିତେନ୍ଦ୍ର ପାଲ ଏ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ବିବେକଙ୍କୁ ତାଙ୍କ ସହପାଠୀ, ଅନୁଷ୍ଠାନ କର୍ତ୍ତୃପକ୍ଷ, କର୍ମଚାରୀ କିମ୍ବା ସିନିୟର ଛାତ୍ରଛାତ୍ରୀଙ୍କ ରାଗିଂର କରି ଥାଇପାରନ୍ତି ବୋଲି ସେ କହିଛନ୍ତି। ଘଟଣାର ବିଧିବଦ୍ଧ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସେ ଦାବି କରିଛନ୍ତି।