ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଏହି ଘଟଣାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ରଙ୍କ ତରଫରୁ ଦାଏର ହୋଇଥିବା ପିଟିସନ୍‌ର ଶୁଣାଣି କରି ଏକ୍ସନ୍‌ ଟେକନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଏଚ୍ଆର୍‌ସିଙ୍କ ନିକଟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଟିଆର୍‌ ଦାଖଲ ହୋଇ ସାରିଛି। ବର୍ତ୍ତମାନ ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବା ପାଇଁ ଏନ୍‌ଏଚ୍‌ଆର୍‌ସି ପୁଣିଥରେ ଏସ୍‌ପି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି କରିଛନ୍ତି। ଆସନ୍ତା ମେ ୨୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଆଙ୍କୋଲି ବାଇପାସ୍‌ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିଲେ। ୨୦୨୨ ନଭେମ୍ବର ୧୩ ତାରିଖରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା।

Advertisment

ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା’ ଜ୍ୟୋତ୍ସ୍ନାରାଣୀ ଦାସ ଝିଅର ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରି ନଥିଲେ। ଘଟଣା ଦିନ ଅପରାହ୍ନରେ ଝିଅ ସହ ସେ କଥା ହୋଇଥିଲେ। ହେଲେ ସଂଧ୍ୟାରେ ଝିଅର ମୃତ୍ୟୁ ଖବର ଆସିଲା। ଯାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଥିଲେ। କଲେଜ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇ ନଥିଲେ। ଝିଅର ଜଣେ ସାଙ୍ଗ ଫୋନ କରି ପରିବାରବର୍ଗଙ୍କୁ କହିଥିଲେ। ଝିଅକୁ ବାରମ୍ବାର କିଛି ଛାତ୍ର ହଇରାଣ କରୁଥିଲେ। ଏପରିକି ଇନ୍‌ଷ୍ଟାଗ୍ରାମରେ ଧମକପୂର୍ଣ୍ଣ ମେସେଜ୍‌ ପଠାଉଥିଲେ। ‌ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଦୀପ୍ତିଲତା ରାଗିଂର ଶିକାର ହୋଇଥିବା ଅଭିଯୋଗ ଆଣି ସାମାଜିକ କର୍ମୀ ଶ୍ରୀ ମିଶ୍ର ଏନ୍ଏଚ୍‌ଆର୍‌ସିରେ ପିଟିସନ୍‌ ରୁଜୁ କରି ବିହିତ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଏପରିକି କଲେଜ କର୍ତ୍ତୃପକ୍ଷ ୫ହଜାର ଟଙ୍କା ବକେୟା ଫି’କୁ ନେଇ ଝିଅକୁ ପରୀକ୍ଷା ହଲ୍‌କୁ ପ୍ରବେଶ ପାଇଁ ମନା କରିଥିଲେ ବୋଲି ମା’ ଜ୍ୟୋତ୍ସ୍ନାରାଣୀ ଅଭିଯୋଗ କରିଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ମା’ ଜ୍ୟୋତ୍ସ୍ନରାଣୀଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।