ଗାଡ଼ି ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ, ସ୍କୁଲ୍‌ ଯିବା ବେଳେ ଚାଲିଗଲା ଜୀବନ

ଆଳି: ଆଜି ସକାଳ ସାଢେ ନଅଟା ବେଳେ କଟକ-ଚାନ୍ଦବାଲି ରାସ୍ତାର ବିଲିକଣା ଉଠାଜଳସେଚନ ଅଫିସ ନିକଟସ୍ଥ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥି‌‌‌ରେ ଆଳି ଥାନା କଅଁରପୁର ଗ୍ରାମ ନିବାସୀ ଯୁଗଳ ବେହେରାଙ୍କ ପୁଅ ଜିତେଶଙ୍କ ମୃତ୍ୟୁ ଘଟିଛି। ଜିତେଶ ପତ୍ରପୁର ସାମନ୍ତସିଂହାର କେଳୁଚରଣ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର। ତାଙ୍କ ମୃତ୍ୟୁକୁ ନେଇ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶହଶହ ଲୋକ ରାସ୍ତା ଉପରକୁ ମାଡ଼ି ଆସି ଦୁର୍ଘଟଣା ଘଟାଇଥିବା କାରକୁ ଭାଙ୍ଗି ଚୁନା କରିଦେବା ସହ ରାସ୍ତାରୋକ କରିଛନ୍ତି। ଘଟଣା ସମ୍ପର୍କରେ ମୃତ ଛାତ୍ର ଜିତେଶଙ୍କ ଦାଦା ବିଭୂତି ମହାନ୍ତି ଆଳି ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁସାରେ, ଜିତେଶ ଆଜି ସ୍କୁଲ ଯିବା ସମୟରେ କଟକ-ଚାନ୍ଦବାଲି ରାସ୍ତାର ବାମପାର୍ଶ୍ବରେ ସାଇକଲ ଧରି ସାଥୀ ପିଲାଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ। ଏହି ସମୟରେ ଆଳିରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା କାର୍((ଓଡି-୦୨ ବିଆର୯୯୫୧) ଜିତେଶଙ୍କୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କାରେ ଜିତେଶ ରାସ୍ତା ତଳକୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଜିତେଶଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଡ଼ି ଚାଳକ ଶୁଭେନ୍ଦୁ ମହାନ୍ତି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନିକଟସ୍ଥ ବିଲିକଣା, ପତ୍ରପୁର, ଗୋପାଳପୁର, ନରେନ୍ଦ୍ରପୁର, କଅଁରପୁର ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ଅବରୋଧକାରୀମାନେ ରାସ୍ତାରେ ଟାୟାର ଜାଳି, ବାଉଁଶ ବାନ୍ଧି ରାସ୍ତାରୋକ କରିବା ଫଳରେ ୩ ଘଣ୍ଟା ଧରି ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଖବର ପାଇ ପଟ୍ଟାମୁଣ୍ଡାଇ ପୁଲିସ ଏସଡିପିଓ ସନ୍ଧ୍ୟାରାଣୀ ବେହେରା, ଆଳି ଥାନା ଅଧିକାରୀ ଦିଲ୍ଲୀପ ସାହୁ ଓ ତହସିଲଦାର ତପନ ସେନାପତି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଆଳି ପୁଲିସ କେଶ୍ ନମ୍ବର ୨୧୫/୨୨ରେ ଏକ ମାମଲା ରୁଜୁ କରି ମୃତଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଆଳି ଥାନା ଅଧିକାରୀ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ କଅଁରପୁର ଗ୍ରାମ ଓ ଆଖପାଖ ଅଞ୍ଚଳ ସମେତ ରିତେଶ ପାଠ ପଢୁଥିବା ପତ୍ରପୁର ଏସକେସି ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ସହପାଠୀ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି।

 

 

ସମ୍ବନ୍ଧିତ ଖବର