ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା ଦେଲେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ

ପାପଡାହାଣ୍ଡି: ଗୁରୁ ଶିଷ୍ୟର ପରମ୍ପରା ନିଆରା ନିଦର୍ଶନ | ନିଜ ପ୍ରଧାନଶିକ୍ଷକଙ୍କ ବଦଳି ଖବର ଦେଲା ଗଭୀର ଦୁଃଖ | ନିଜ କୋହକୁ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ | ପ୍ରିୟର ପ୍ରଧାନଶିକ୍ଷକଙ୍କୁ ବଦଳି ଆଦେଶକୁ ବାତିଲ କରିବାକୁ ଶକ୍ତି ନଥିଲା, ତେଣୁ ଲୁହ ମାଧ୍ୟମରେ ନିଜର ବେଦନାକୁ ଛାତ୍ରଛାତ୍ରୀ ପରିପ୍ରକାଶ କରିଛନ୍ତି | ସେହିପରି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ମିଳିତ ହୋଇ ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା ଦେଇଛନ୍ତି | ଏଭଳି ଏକ ଭାବବିହ୍ଵଳ ଘଟଣା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଂଚାୟତ ଖର୍କି ସରକାରି ଆଶ୍ରମ ବିଦ୍ୟାଳୟଠାରେ ଦେଖିବାକୁ ମିଳିଛି | ଅନ୍ୟ ପଟେ ଛାତ୍ରଛାତ୍ରୀ କାନ୍ଦୁଥିବା ଦେଖିବା ପରେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ମାଝୀ, ଏସଏମସି ସଭାପତି ଡିସମ୍ବର ମାଝୀ,ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଅଭିଭାବକ ମିଳିତ ଭାବେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଅଣ୍ଟା ଭିଡିଛନ୍ତି |

ସୂଚନା ଅନୁଯାୟୀ ଡ଼େଙ୍ଗାଗୁଡ଼ା ଗ୍ରାମପଞ୍ଚାୟତ ଖର୍କି ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୫୪ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି | ଏଥିରେ ୨୦୦ ଜଣ ଛାତ୍ର ଓ ୧୩୬ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି | ପ୍ରଧାନ ଶିକ୍ଷକ ଫ୍ରାନ୍ସସିସ ନାଗ ଦୀର୍ଘ ଚାରି ବର୍ଷ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିବା ସହ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଉଥିଲେ | ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କ ଅତି ନିକଟତର ହୋଇଥିଲେ | ଜଣେ ମାଗଦର୍ଶକ ସହ ଜଣେ ଉତ୍ତମ ବନ୍ଧୁ ଭାବେ ପିଲାକୁ ପ୍ରତ୍ୟେକ କ୍ଷେତ୍ରରେ ପରାମର୍ଶ ଦେଇ ଆସୁଥିଲେ | ପାଠପଢା ସହ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ତତ୍ପର ଥିଲେ | ଯାହାକି ପିଲାମାନଙ୍କୁ ପ୍ରଭାବିତ କରିଥିଲା |

ନାଗଙ୍କ ସମୟରେ ବିଦ୍ୟାଳୟର ବହୁ ଉନ୍ନତିକରଣ କାର୍ଯ୍ୟ ସହ ଛାତ୍ରୀଛାତ୍ରମାନେ ହଷ୍ଟେଲରେ ରହି ଭଲ ଭାବରେ ସୁବିଧା ପାଉଥିଲେ | ତେଣୁ ପ୍ରଧାନଶିକ୍ଷକଙ୍କ ବଦଳି ହୋଇଯିବ ବୋଲି କେହି କଳ୍ପନା କରିନଥିଲେ | ତେବେ ଆଜି ବଦଳି ଖବର ପାଇବା ପରେ ଛାତ୍ରଛାତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି | ଆଉ ଆଜି ସକାଳ ୯ଘଣ୍ଟାରୁ ଦୁଇ ଘଣ୍ଟା କାଳ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଧାରଣା ଦେଇଥିଲେ | ଆଜି ବିଦ୍ୟାଳୟ ଛୁଟି ରହିଥିବା ଯୋଗୁଁ ଆସନ୍ତାକାଲି ଉପରିସ୍ଥ ଅଧିକାରୀଙ୍କୁ, ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଦାବି ଜଣେଇବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି |

ସମ୍ବନ୍ଧିତ ଖବର