ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ରାଇରଙ୍ଗପୁର/ତିରିଂ: ମୟୁରଭଞ୍ଜ ଜିଲ୍ଲା ତଥା ଝାଡ଼ଖଣ୍ଡ ସୀମାନ୍ତ ତିରିଂ ଥାନା ଅନ୍ତର୍ଗତ ଏକ ଆଶ୍ରମ ସ୍କୁଲରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ ତିରିଂ ବ୍ଲକ ପଣ୍ଡୁପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ଆଶ୍ରମ(ଛାତ୍ରାବାସର) ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ମୁନା ମାର୍ଣ୍ଡି(୧୪) ଗତ ରାତିରେ ଖାଇପିଇ ଶୋଇଥିଲେ । ତେବେ ଅନ୍ୟ ଛାତ୍ରଙ୍କ କହିବା ଅନୁଯାୟୀ ଶୋଇବା ସମୟରେ ମୁନାର ଦେହ ଅସୁସ୍ଥ ହୋଇଥିଲା । ତେବେ ସେହି ସମୟରେ ହଷ୍ଟେଲ କର୍ତ୍ତୃପକ୍ଷ କେହି ନ ଥିବାରୁ ହସ୍ପିଟାଲ ନିଆଯାଇପାରିନଥିଲା । ଆଜି ସକାଳ ୮ଟା ସମୟରେ ଅନ୍ୟ ଛାତ୍ରମାନେ ମୁନାକୁ ଖାଇବା ପାଇଁ ଡାକିଥିଲେ । ତେବେ ସେ ନ ଉଠିବାରୁ ମୁନାର ମା ଦାଡି ମାର୍ଣ୍ଡିଙ୍କୁ ଫୋନ କରି ଘଟଣା ସମ୍ପର୍କରେ କହିଥିଲେ ।

ବିଲରେ ତଳି ପକାଉଥିବା ମାଆ ଛୁଆର ଦେହ ଖରାପ ଶୁଣି ଧରମଡିହି ଗ୍ରାମରୁ ଏକ ଅଟୋ ଯୋଗେ ଆଶ୍ରମ ସ୍କୁଲକୁ ଆସିଥିଲେ ଏବଂ ଚିକିତ୍ସା ନିମନ୍ତେ ତିରିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଘୋଷଣାର ଏକ ଘଣ୍ଟା ପରେ ବିଦ୍ୟାଳୟ ଶିକ୍ଷକ ହସ୍ପିଟାଲରେ ପହଞ୍ଚିଥିଲେ ।

ତେବେ ଉକ୍ତ ଘଟଣାରେ ଛାତ୍ରାଙ୍କ ମାଆ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ଘଟିଛି ।କାହିଁକି ନା ହଷ୍ଟେଲର ଛୁଆଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ମୁନାକୁ ବାତ ମାରିଥିଲା । ଏନେଇ ଛାତ୍ର ମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ତ୍ତୃପକ୍ଷ କର୍ଣ୍ଣପାତ କଲେ ନାହିଁ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଛୁଆର ମୃତ୍ୟୁ ପାଇଁ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରିଛନ୍ତି । ସହକାରୀ ଜିଲ୍ଲା ମଙ୍ଗଳଅଧିକାରୀ ସୁରେଶ ଚନ୍ଦ୍ର ଜିତବାବୁଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରୁଛନ୍ତି ବୋଲି କହିଲେ । ମୃତକଙ୍କ ଘର ତିରିଂ ବ୍ଲକର ଧରମଡିହି ହୋଇଥିବାବେଳେ ତାଙ୍କ ପିତା ଫୁଲମାର ମାର୍ଣ୍ଡିଙ୍କର ମୃତ୍ୟୁ ହୋଇଯାଇଛି । ମାତା ଦାଦି ମାର୍ଣ୍ଡୀଙ୍କର ଦୁଇଟି ଛୁଆ ପୁଅଟିଏ ଏବଂ ଝିଅଟିଏ । ମାତା ଦାଦି ମାର୍ଣ୍ଡୀ ଏକମାତ୍ର ପୁଅକୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇଯାଉଥିବା ଦେଖିବାକୁ ମିଳିଥିଲା । ଏନେଇ ତିରିଂ ଥାନାରେ ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର