ସାଙ୍ଗ ସହ ଇନ୍ଦ୍ରାବତୀ ନଦୀ ଚେକ୍ ଡ୍ୟାମ୍‌କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ଚେକ୍‌ ଡ୍ୟାମ୍‌ରେ ସାଙ୍ଗଙ୍କ ସହ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଜଣେ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ନବରଙ୍ଗପୁର ସହରର ଇଛାବତୀଗୁଡା ଅଞ୍ଚଳର ଏସ. ଚାଲାମଙ୍କ କଲେଜ ପଢୁଆ ଏକମାତ୍ର ପୁଅ ଏସ. ମୁରଲୀ କ୍ରିଷ୍ଣା ନିଜର ଦୁଇ ସାଙ୍ଗଙ୍କ ସହ ଇନ୍ଦ୍ରାବତୀ ନଦୀରେ ଥିବା ଚେକ୍‌ ଡ଼୍ୟାମ୍‌କୁ ଗାଧେଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ବଶତଃ ଜଳରାଶି ଭିତରକୁ ଚାଲିଯିବାରୁ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀର କର୍ମକର୍ତା ପ୍ରାୟ ଅଧଘଣ୍ଟା ଖୋଜାଖୋଜି କଲାପରେ ତାଙ୍କ ମୃତ ଶରୀରକୁ ପାଣି ଭିତରୁ ଖୋଜି ବାହାର କରିଛନ୍ତି।

ନିଖୋଜ ମୁରଲୀକୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ଖବର ପ୍ରଚାରିତ ହେବାପରେ ସହରରେ ଶୋକର ଛାୟା ଖେଳି ଯାଇଛି। ମୃତ ମୁରଲୀ ବାପାମାଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ବର୍ତମାନ ଯୁକ୍ତଦୁଇ ଦ୍ଵିତୀୟ ବର୍ଷର ପରୀକ୍ଷା ଦେଇଥିଲେ। ଖବର ପାଇ ନବରଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର