ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦୀର୍ଘ ୧୨ ଘଣ୍ଟା ଧରି ପଡି ରହିଲା ମୃତଦେହ

ସେମିଳିଗୁଡା: ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଦେଖା ଦେଇଛି ଉତ୍ତେଜନା ସବୁଠୁ ପରିତାପର ବିଷୟ ଯେ ଦୀର୍ଘ ୧୨ ଘଣ୍ଟା ଧରି ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମୃତଦେହ ପଡି ରହିଥିବା ବେଳେ ପରିବାର ଲୋକ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ ଦାବିରେ ମୃତଦେହ ଗ୍ରହଣ କରିବାକୁ ମନା କରିବାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବ୍ୟବଛେଦ କରିବାକୁ ମଧ୍ୟ ପଠାଯାଇ ପାରିନାହିଁ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଦଶମନ୍ତପୁର ବ୍ଲକ ଚଣାବେଡା ପଞ୍ଚୟତ କିଟେସ ଗ୍ରାମର ପାତାଳ ବେନିଆ ଓ କବିତା ବେନିଆଙ୍କ କନ୍ୟା ନିଶି ବେନିଆ ସୁନାବେଡା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ। ତେବେ ଆଜି ଭୋର ୫ ଟା ସମୟରେ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଓ କର୍ମଚାରୀ ନିଶି ଅସୁସ୍ଥ ଥିବା ଦର୍ଶାଇ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ନିଶିଙ୍କ ପିତା ମାତା ଓ ସମ୍ପର୍କୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।

Sambad

ବିଦ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଛାତ୍ରୀ ପୂର୍ବରୁ ସିକିଲ ସେଲ ରୋଗରେ ପୀଡିତ ଥିବା ଓ ପୂର୍ବଦିନ ଅସୁସ୍ଥ ହୋଇ ପଡ଼ିଥିବା କଥା କୁହାଯାଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଅସ୍ବୀକାର କରିବା ସହ ନିଶିଙ୍କୁ ହତ୍ୟା କରାଯଇଥିବା ଅଭିଯୋଗ କରିବା ସହ ଛାତ୍ରୀଙ୍କ ଦେହ ଅସୁସ୍ଥ ନେଇ ପରିବାର ଲୋକ କିମ୍ବା ସ୍ଥାନୀୟ ଅଭିଭାବକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରି ନଥିବାକୁ ନେଇ ହତ୍ତଗୋଳ କରିବା ସହ ଉପଯୁକ୍ତ ତଦନ୍ତ କରି ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ଦାବି କରି ମୃତଦେହ ଗ୍ରହଣ କରିବାକୁ ମନା କରିଦେଇଥିଲେ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ସୁନାବେଡା ପୌରାଧ୍ୟକ୍ଷା, ସେମିଲିଗୁଡା ତହସିଲଦାର, ସୁନାବେଡା ଏସଡ଼ିପିଓ ଓ ସୁନାବେଡା, ସେମିଳିଗୁଡା ଓ ଦାମନଯୋଡି ଥାନାର ଥାନାଧିକାରୀ ମାନେ ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ବାହାର ନପାରିବାରୁ ଦୀର୍ଘ ୧୨ ଘଣ୍ଟା ପରେ ମଧ୍ୟ ଶବକୁ ବ୍ୟବଛେଦ କରିବା ପାଇଁ ପଠା ଯାଇପାରିନଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର