ଶ୍ରେଣୀଗୃହ ମାଡ଼ି ବସିଛି କୋଭିଡ୍‌ ଖଟ, ଯାକିଯୁକି ହୋଇ ବସୁଛନ୍ତି ଛାତ୍ରଛାତ୍ରୀ

ରାଜନଗର: କରୋନା ମହାମାରୀର ମୁକାବିଲା ପାଇଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଭାବେ ବିଦ୍ୟାଳୟଗୁଡିକୁ ବ୍ୟବହାର କରାଗଲା। ପ୍ରଥମ ଲହର ସମୟରେ ବିଦ୍ୟାଳୟରେ ହୋଇଥିବା ଏଠାରେ ପ୍ରବାସୀଙ୍କୁ ରଖାଯାଉଥିଲା। ଏବେ ୩ୟ ଲହର ସରି କଟକଣାମୁକ୍ତ ହୋଇଛି ଜୀବନଜୀବିକା। ଦୀର୍ଘ ୨ ବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବା ପରେ ଏବେ ଖୋଲିଛି। ମାତ୍ର ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ହେତୁ ପାଠ ପଢାରେ ଗୁରୁତର ବାଧା ସୃଷ୍ଟି ହୋଇଛି। ରାଜନଗର ବ୍ଲକର ପ୍ରାୟ ୫୦ ବିଦ୍ୟାଳୟର ଶ୍ରେଣୀଗୃହରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପାଇଁ ବ୍ୟବହୃତ ଖଟ, ଖଟିଆ, ଗଦି, ବେଡସିଟ, ତକିଆ ଓ ଅନ୍ୟାନ୍ୟ ସାମଗ୍ରୀ ପଡି ରହିଛି। ଶ୍ରେଣୀ ଗୃହରେ କୋଭିଡ ସାମଗ୍ରୀ ରଖାଯାଇଥିବାରୁ ପାଠ ପଢା ପାଇଁ ଅଭାବ ଦେଖାଦେଇଛି। ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଉନଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଘଡିଆମାଳସ୍ଥିତ ସିଦ୍ଧେଶ୍ବର ନୋଡାଲ ୟୁପି ସ୍କୁଲ। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୧୪ଜଣ, ୨ୟ ଶ୍ରେଣୀରେ ୩୮ଜଣ, ୩ୟ ଶ୍ରେଣୀରେ ୨୨ଜଣ, ୪ର୍ଥ ଶ୍ରେଣୀରେ ୩୦ଜଣ, ୫ମ ଶ୍ରେଣୀରେ ୩୫ଜଣ, ୬ଷ୍ଟ ଶ୍ରେଣୀରେ ୬୦ଜଣ ଓ ୭ମ ଶ୍ରେଣୀରେ ୬୬ଜଣ ମୋଟ ୨୬୫ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟରେ ୫ଟି ଶ୍ରେଣୀଗୃହରେ ୭ଟି ଶ୍ରେଣୀର ଛାତ୍ର ଛାତ୍ରୀମାନେ ପାଠ ପଢି ଆସୁଥିଲେ। ଦୁଇଟି ଶ୍ରେଣୀ ଗୃହରେ କୋଭିଡରେ ବ୍ୟବହୃତ ଖଟ ଓ ଅନ୍ୟାନ୍ୟ ସାମଗ୍ରୀ ତାଲା ପକାଇ ରଖାଯାଇଛି।

ବର୍ତମାନ ବିଦ୍ୟାଳୟର ୭ଟି ଶ୍ରେଣୀର ୨୬୫ଜଣ ଛାତ୍ରଛାତ୍ରୀ ୩ଟି ଶ୍ରେଣୀଗୃହରେ ଅତି ଦୟନୀୟ ଭାବେ ବସି ପଢୁଛନ୍ତି। ଶ୍ରେଣୀଗୃହ ଅଭାବ ହେତୁ ଛାତ୍ରଛାତ୍ରୀ ବହି ରଖି ପଢିବାକୁ ବି ଜାଗା ପାଉନାହାଁନ୍ତି। ଯାକିଯୁକି ହୋଇ ପଢୁଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଭାବକମାନେ ଘଡିଆମାଳ ସରପଂଚ ଶୈଳେନ୍ଦ୍ର କୁମାର ମିଶ୍ରଙ୍କୁ ଡାକି ବିଦ୍ୟାଳୟର ସ୍ଥିତି ଦେଖାଇଛନ୍ତି। ସରପଂଚ ଛାତ୍ରଛାତ୍ରୀ ଦୟନୀୟ ଅବସ୍ଥାରେ ବସି ପାଠ ପଢୁଥିବା ଦେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସଂପର୍କରେ ସରପଂଚ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ବିଦ୍ୟାଳୟର ୨ଟି ଶ୍ରେଣୀଗୃହରେ କୋଭିଡ ସାମଗ୍ରୀ ରଖି ତଲା ପକାଇ ରଖାଯାଇଛି। ୭ଟି ଶ୍ରେଣୀର ଛାତ୍ରଛାତ୍ରୀ ୩ଟି ଶ୍ରେଣୀ ଗୃହରେ ଦୟନୀୟ ଭାବେ ବସି ପାଠ ପଢୁଛନ୍ତି। ଏହି କୋଭିଡ ସାମଗ୍ରୀର ଦାୟିତ୍ବ ଆମକୁ ଏଯାଏ ହସ୍ତାନ୍ତର କରାଯାଇନି। ଆମକୁ ହସ୍ତାନ୍ତର କରାଗଲେ, ଅନ୍ୟତ୍ର ସ୍ଥାନାନ୍ତର କରିବୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର