ବିଦ୍ୟାଳୟ ଠାରୁ ୩୦ କିଲୋମିଟର ଦୂରରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର, ଜିଲ୍ଲାପାଳଙ୍କୁ ଛାତ୍ରଛାତ୍ରୀଙ୍କ ସ୍ମାରକପତ୍ର ପ୍ରଦାନ

ବିହିତ ପଦକ୍ଷେପ ନ ନେଲେ ପରୀକ୍ଷା ବର୍ଜନ ଚେତାବନୀ

କରଞ୍ଜିଆ ଗୋଲେଇ: ନିୟମକୁ ନ ମାନି ବିଦ୍ୟାଳୟ ଠାରୁ ଅନେକ ଦୂରରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର କରାଯାଇଛି। ଯାହାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି। ସଂପୃକ୍ତ ବିଦ୍ୟାଳୟ ତଥା ଉକ୍ତ ବିଦ୍ୟାଳୟ ଠାରୁ ୧ କିମ୍ବା ୨ କିଲୋମିଟର ଦୂର ବିଦ୍ୟାଳୟରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ହେବା କଥା। କିନ୍ତୁ ଯଶିପୁର ବ୍ଲକ୍‌ ଅନ୍ତର୍ଗତ ଗୁଡ଼ୁଗୁଡ଼ିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଠାରୁ ୩୫ କିଲୋମିଟର ଦୂର ସିଙ୍ଗାରପୁର ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ହୋଇଛି। ଯାହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେମାନେ ଏହ‌ି ଅବ୍ୟବସ୍ଥାକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି।‌ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଭାବକଙ୍କ ସହ ଆଜି ନିଜ ଅଞ୍ଚଳ ଠାରୁ ୩୦ କିଲୋମିଟର ଦୂର କରଞ୍ଜିଆ ସ୍ଥିତ ପାଞ୍ଚପଢ଼ୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଉପ-ଜିଲ୍ଲାପାଳ ନ ଥିବାରୁ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କୁ ଭେଟି ସ୍ମାରକପତ୍ରଟିକୁ ପ୍ରଦାନ କରିଥିଲେ। ଯେଉଁଥିରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଦାବି ରହିଛି। ଯଦି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ନ ହୁଏ, ତେବେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ନାହିଁ। ଆଉ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର