ଜଗତସିଂହପୁର: ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଜଗତସିଂହପୁର ଜିଲ୍ଲାରେ ୧୪ଟି ହାଇସ୍କୁଲକୁ ସ୍ମାର୍ଟ କରାଯାଇଛି। ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ତିର୍ତ୍ତୋଲ ବ୍ଲକ୍ ଅଧୀନ ଶାରଦା ଏକାଡେମି, କନକପୁର ମଧ୍ୟ ରହିଛି। ମାତ୍ର ଏହି ସ୍କୁଲଟିର ବାସ୍ତବ ଚିତ୍ରକୁ ଦେଖିଲେ ଏହା କେମିତି ସ୍ମାର୍ଟ ହାଇସ୍ମୁଲ ଭାବେ ଗଣାଯାଉଛି, ତାହା ବୁଝା ପଡ଼ୁ ନାହିଁ। କେବଳ ନାଁକୁ ମାତ୍ର ଏହାକୁ ସ୍ମାର୍ଟ ହାଇସ୍କୁଲର ରୂପ ଦିଆଯାଇଛି। ଛାତ୍ରଛାତ୍ରୀ ଏଠାରେ ତଳେ ବସି ପାଠ ପଢ଼ୁଥିବା ବେଳେ ଏତେ ସଂଖ୍ୟାର ପିଲାମାନଙ୍କ ପାଇଁ ଶ୍ରେଣୀ ଗୃହର ମଧ୍ୟ ଅଭାବ ରହିଛି।
ତିର୍ତ୍ତୋଲ ବ୍ଲକର ଶାରଦା ଏକାଡେମି ଏକ ଶତାୟୁ ଅନୁଷ୍ଠାନ। ଜିଲ୍ଲା ଶିକ୍ଷା ବିଭାଗର ସୁପାରିସ କ୍ରମେ ଏହାକୁ ସ୍ମାର୍ଟ ହାଇସ୍କୁଲ ଭାବେ ରାଜ୍ୟ ସରକାର ରୂପାନ୍ତର କରିଛନ୍ତି। ମାତ୍ର ଉପରଠାଉରିଆ ଭାବେ କେବଳ ଏହି ସ୍କୁଲଟିକୁ ସ୍ମାର୍ଟ ମାନ୍ୟତା ଦିଆଯାଇଛି। ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ମୋଟ୍ ୪୯୮ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଷଷ୍ଠ ଶ୍ରେଣୀରେ ୫୩, ସପ୍ତମରେ ୫୭, ଅଷ୍ଟମରେ ୧୧୫, ନବମରେ ୯୮ ଓ ଦଶମ ଶ୍ରେଣୀରେ ୧୨୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଣୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଦେଖିଲେ ଏହି ଶିକ୍ଷାନୁଷ୍ଠାନର ମହତ୍ବ ଓ ଗୁରୁତ୍ବ ବେଶ୍‌ ବାରିହୋଇ ପଡ଼େ। ମାତ୍ର ସ୍କୁଲର ପାରିପାର୍ଶ୍ବିକ ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସ୍କୁଲର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଡେସ୍କ ବେଞ୍ଚ ନଥିବାରୁ ସେମାନେ ଦୀର୍ଘ ଦିନ ହେଲା ତଳେ ବସି ପାଠ ପଢ଼ୁଛନ୍ତି। ଦୀର୍ଘ ଦିନ ପର୍ଯ୍ୟନ୍ତ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ତଳେ ବସି ପାଠ ପଢ଼ୁଥିଲେ।

Advertisment

ସ୍କୁଲ ଆଲୁମିନି ବୈଠକରେ ଏ ନେଇ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କଲା ପରେ କେତେକ ଡେସ୍କ ଓ ବେଞ୍ଚ ମରାମତି କରାଯାଇଛି। ଫଳରେ ନବମ ଶ୍ରେଣୀ ପିଲା ଡେସ୍କ ଓ ବେଞ୍ଚରେ ବସି ପାଠ ପଢ଼ିବା ପାଇଁ ସୁଯୋଗ ପାଇଛନ୍ତି। ତଥାପି ନବମ ଓ ଦଶମ ଶ୍ରେଣୀ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଡେସ୍କ ଓ ବେଞ୍ଚ୍‌ ନଥିବା ଜଣାପଡ଼ିଛି। ଅଷ୍ଟମ ଶ୍ରେଣୀରେ ୧୧୫ ଜଣ ଛାତ୍ରଛାତ୍ରୀ ରହିଥିବାରୁ ସେମାନଙ୍କ ପାଇଁ ମଧ୍ୟ ଜାଗା ନାହିଁ। ଏଣୁ ବର୍ତ୍ତମାନ ଉଦଘାଟନ କରାଯାଇଥିବା ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଦୁଇଟି ଗ୍ରୁପ୍ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ତଳେ ବସାଯାଉଛି। ଆବଶ୍ୟକ ଶ୍ରେଣୀ ଗୃହ, ଆସବାବପତ୍ର ଓ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିଲେ, ଏହା କି ପ୍ରକାର ସ୍ମାର୍ଟ ସ୍କୁଲ ବୋଲି ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩୦ ହଳ ଡେସ୍କ ଓ ବେଞ୍ଚ ଆବଶ୍ୟକ ଥିବା ଦର୍ଶାଇ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ବାଇଁ ଜିଲ୍ଲା ପ୍ରଶାସନ ନିକଟରେ ପଞ୍ଜୀକରଣ କରିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ସ୍କୁଲକୁ ଏହା ଯୋଗାଇ ଦିଆଯାଇ ନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି ଯେ, ‘ମୋ ସ୍କୁଲ’ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ରହିଛି। ଏଣୁ ଏମିତି ସମସ୍ୟା ରହିବା କଥା ନୁହେଁ। ଏ ନେଇ ସେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ‌ନେବେ ବୋଲି ଶ୍ରୀ ବେହେରା କହିଛନ୍ତି।