୫ଦଫା ଦାବି ନେଇ ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଜୟପୁର: ୫ଦଫା ଦାବି ନେଇ ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ମୁଖ ଗେଟ୍ ପକାଇ ଆନ୍ଦୋଳନ କରିଥିଲେ। କରୋନା ସଂକ୍ରମଣ କମିବା ପରେ ସବୁ ସ୍ବାଭାବିକ ହେବାରେ ଲାଗିଛି। ବାହାରେ ସବୁ ଖୋଲି ଗଲାଣି। ଏହାରି ମଧ୍ୟରେ କଲେଜ ଆଡମିସନ ପ୍ରକ୍ରିୟା ସରିବା ପରେ ଆଜିଠାରୁ ଯୁକ୍ତ ତିନି ପ୍ରଥମ ଶ୍ରେଣୀର କ୍ଲାସ ବି ଆରମ୍ଭ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କ ମୌଳିକ ଅଭାବ ଓ ଅସୁବିଧା ମଧ୍ୟରେ ବାଳକ ଓ ବାଳିକା କମନ୍ ରୁମ ଖୋଲାଯାଉନି। ଫଳସ୍ବରୁଫ ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନେ ଗୋଟିଏ କ୍ଲାସରୁ ଅନ୍ୟ କ୍ଲାସକୁ ମଝିରେ ଥିବା ସ୍ବଳ୍ପ ସମୟ ଅତିବାହିତ କରିବା କିମ୍ବା ଶୌଚ କରିବାକୁ ଯିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ବହୁ ଦୁରଦୁରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସୁଥିବାରୁ ଏହାରି ପରିସରରେ କ୍ୟାଣ୍ଟିନ୍ ଖୋଲାଯାଇଥିଲା। ସଂକ୍ରମଣ ଭୟରେ ସରକାରୀ ନିର୍ଦେଶରେ ଏହାକୁ ବନ୍ଦ ରଖାଯାଇଥିଲା। ତୁରନ୍ତ ଏହାକୁ ଖୋଲିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ସେଭଳି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅର୍ନ୍ତନିହିତ କଳା, ନୃତ୍ୟ, ସଂଗୀତ, ବକ୍ତୃତା , କ୍ରୀଡା ପ୍ରତିଯୋଗିତା କରାଯାଇ ବାର୍ଷିକ ଉତ୍ସବ ପାଳନ କରିବାକୁ ଦାବି କରିଥିଲେ। ପୂର୍ବରୁ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ହେଉଥିବା ଅଗ୍ରପୂଜ୍ୟ ଗଣେଷ ଏବଂ ମାବୀଣାପାଣି ସରସ୍ବତୀଙ୍କ ପୂଜା ମହାଆଡମ୍ବର ସହକାରେ କରାଯାଉଥିଲା। ତେବେ ଗତ ୨ବର୍ଷ ହେବ କୋଭିଡ୍ କଟକଣା ଯୋଗୁଁ ହୋଇ ପାରିନଥିଲା। ଅଳ୍ପ ଦିନ ମଧ୍ୟରେ ହେବାକୁ ଥିବା ସରସ୍ବତୀ ପୂଜା କଲେଜରେ ପାଳନ କରିବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ। ଗତ ଦୁଇ ବର୍ଷ ହେବ ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଦେଇଥିବାରୁ ଶ୍ରେଣୀ ପ୍ରତିନିଧି ଚୟନ କରିବାକୁ ବି ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ। ଦୀର୍ଘ ସମୟ ଧରି କଲେଜ ସମ୍ମୁଖ ଗେଟରେ ଛାତ୍ରଛାତ୍ରୀ ମାନେ ଧାରଣା ଦେବା ସହ ବିଭିନ୍ନ ସ୍ଲୋଗାନ୍ ମାନ ଦେଇଥିଲେ। ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ଏ ନେଇ ଜୟପୁର ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳଙ୍କୁ ସୂଚନା ଦେଇଥିଲେ।

ସେ ସଦଳବଳ ସହ ଆନ୍ଦୋଳନ କରୁଥିବା ମୁଖ୍ୟଗେଟ ନିକଟକୁ ଆସି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିଛି ଛାତ୍ରପ୍ରତିନିଧିଙ୍କୁ କଲେଜ ଅଧ୍ୟକ୍ଷ ଡ.ହାଲଦାରଙ୍କ ନିକଟକୁ ଡାକି ନେଇ ସମସ୍ୟା ଉପରେ ଆଲୋଚନାର ମଧ୍ୟସ୍ଥତା କରିଥିଲେ। ବାଳକ ଓ ବାଳିକା କମନ୍ ରୁମ ଖୋଲାଯିବ କିନ୍ତୁ ସରକାର ଜାରି କରିଥିବା ଏସଓପି ଓ ମାସ୍କ ପରିଧାନକୁ ଛାତ୍ରଛାତ୍ରୀମାନେ ପାଳନ କରିବାକୁ ପଡିବ ବୋଲି ଅଧ୍ୟକ୍ଷ କହିଥିଲେ। ସେଭଳି ଟେଣ୍ଡର ମାଧ୍ୟମରେ କ୍ୟାଣ୍ଟିନ ଜଣେ ପାଇଥିଲେ। ସେ ପାଇବାର ଅଳ୍ପ କିଛି ଦିନ ମଧ୍ୟରେ କୋଭିଡ୍ ସଂକ୍ରମଣ ପାଇଁ କ୍ୟାଣ୍ଟିନ୍ ବନ୍ଦ ହୋଇଯାଇଥିଲା। କ୍ୟାଣ୍ଟିନ୍ ଠିକାରେ ପାଇଥିବା ବ୍ୟକ୍ତିଙ୍କୁ ସେ ପୁନଃର୍ବାର ଆରମ୍ଭ କରିବାକୁ ଅନୁରୋଧ କରିବେ ବୋଲି ଅଧ୍ୟକ୍ଷ କହିଥିଲେ। ବାର୍ଷିକ ଉତ୍ସବ, କ୍ରୀଡା ଉତ୍ସବ ଆଦି କରିବା ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ସେମାନେ ଯେଭଳି ନିର୍ଦ୍ଦେଶ ଦେବେ ସେ ଅନୁଯାୟୀ କରିବେ ବୋଲି କହିଥିଲେ। କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ସରସ୍ବତୀ ପୂଜା କରାଯାଉ ବୋଲି କହିଥିଲେ। ଶ୍ରେଣୀ ପ୍ରତିନିଧି ଚୟନ ଛାତ୍ରଛାତ୍ରୀ ମାନେ କରି ଅଧ୍ୟକ୍ଷଙ୍କୁ ଜଣାଇବାକୁ କହିଥିଲେ।

ସମ୍ବନ୍ଧିତ ଖବର