ଚାଉଳରେ ପୋକ ସାଲୁବାଲୁ, ମଧ୍ୟାହ୍ନଭୋଜନ ବନ୍ଦ

ସ୍କୁଲ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ, ଅଭିଭାବକ

ରାଜକନିକା: ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ହେଲେ, ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ ହେଉନାହିଁ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ହେଲା ରୋଷେଇ ବନ୍ଦ। ପିଲା ଉପାସରେ ଘରକୁ ଫେରୁଛନ୍ତି। ଖାଲି ସେତିକି ନୁହେଁ, କୋଭିଡ୍‌ ବେଳେ ପିଲାଙ୍କ ପାଇଁ ଆସିଥିବା ଚାଉଳକୁ ଗଦା କରି ରଖାଯାଇଛି। ଏହି ଚାଉଳରେ ଏବେ ପୋକ ସାଲୁବାଲୁ। ଏହିସବୁ ସମସ୍ୟାକୁ ନେଇ ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରିଛନ୍ତି। ମନ୍ତ୍ରୀ, ସଚିବଙ୍କ ପାଖେ ଫେରାଦ ହୋଇଛନ୍ତି। କେହି କିଛି ନ ଶୁଣିବାରୁ ସେମାନେ ଆଜି ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। କୁନିକୁନି ପିଲାମାନେ ବି ପାଠପଢା ବନ୍ଦ କରି ଏଥିରେ ସାମିଲ ହୋଇଛନ୍ତି। ରାଜକନିକା ବ୍ଲକ ଘରଭଞ୍ଜl କୋହ୍ଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଘରଭଞ୍ଜl କୋହ୍ଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୫୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏଠାରେ ଚାରି ମାସ ହେବ ମଧ୍ୟାହ୍ନ ଭୋଜନ ରୋଷେଇ ହେଉନାହିଁ। ଫଳରେ କୁନି କୁନି ପିଲା ଭୋକ ଉପାସରେ ପାଠ ପଢି ଘରକୁ ଯାଉଛନ୍ତି। ଏଥିପାଇଁ କିଛି ଅବିଭାବକ ପିଲାଙ୍କୁ ସ୍କୁଲ ମଧ୍ୟ୍ୟ ଛାଡୁ ନ ଥିବା କହିଛନ୍ତି। କୋଭିଡ ସମୟରେ ଛାତ୍ରଛାତ୍ରୀମାନଙ୍କ ଲାଗି ଆସୁଥିବା ଚାଉଳକୁ ନ ବାଣ୍ଟି ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ପ୍ରଦୀପ କୁମାର ଦ୍ବିବେଦୀ ସ୍କୁଲ ଘରେ ପକାଇ ରଖିଥିଲେ। ଏବେ ସେହି କୁଇଣ୍ଟାଲ କୁଇଣ୍ଟାଲ୍‌ ଚାଉଳରେ ପୋକ ସାଲୁବାଲୁ ହେଉଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଆସିଥିବା ପୋଷାକ ଅର୍ଥକୁ ମଧ୍ୟ୍ୟ ହଡପ କରାଯାଇଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି।

ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଭାବକମାନେ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ତିନି ମାସ ତଳୁ ଲିଖିତ ଅଭିଯୋଗ କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ସେଠାରୁ ଅନ୍ୟତ୍ର ବଦଳି କରି ଦିଆଗଲା ବୋଲି ଅବିଭାବକମାନେ କହିଛନ୍ତି। ୧୦ ଦିନ ତଳେ ଗଣଶିକ୍ଷାମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବି ଲିଖିତ ଭାବେ ଅବଗତ କରାଇଛନ୍ତି। ହେଲେ, କିଛି ସୁଫଳ ନ ମିଳିବାରୁ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ୍‌ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ବୈକୁଣ୍ଠ ସାମଲଙ୍କ ସମେତ ନାରଦଚନ୍ଦ୍ର ପ୍ରଧାନ, ଅର୍ଜୁନ କୁମାର ପ୍ରଧାନ, ପ୍ରଦୀପ କୁମାର ଜେନା, ଶାନ୍ତିଲତା ରାଉତ, ସୁଲଚନା ବେହେରା, ମାନସୀ ରାୟ, ବେବିରାଣୀ ବେହେରା, ସୁଚିତ୍ରା ପଢିହାରୀ, ବିବେକାନନ୍ଦ ସାମଲ ବିକାଶ ବେହେରା ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ଛାତ୍ରଛତ୍ରୀଙ୍କ ପୋଷାକ ଟଙ୍କା ହଡ଼ପ କରିବା ସହ କୁଇଣ୍ଟାଲ କୁଇଣ୍ଟାଲ ଚାଉଳକୁ ନ ବାଣ୍ଟି ନଷ୍ଟ କରିଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସ୍କୁଲରେ ମଧ୍ୟାହ୍ନଭୋଜନ ରୋଷେଇ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଜିଳ୍ଲା ଶିକ୍ଷାଧିକାରୀ ସଂଜୀବ କୁମାର ସିଂ କହିଛନ୍ତି, ଘଟଣାର ତଦନ୍ତ ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯିବ। ଏ ସମ୍ପର୍କରେ ମଣ୍ଡଳ ଶିକ୍ଷା ଅଧିକାରୀ ସରୋଜକାନ୍ତ ବିହାରୀ କହିଛନ୍ତି ଯେ, ସେ ନିଜେ ଯାଇ ଘଟଣାର ତଦନ୍ତ କରିବେ। ଯିଏ ବି ଦୁର୍ନୀତି କରିଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର