ଚଣ୍ଡିଖୋଲ: ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ଥିବା ପାଢ଼ୀ ଛାତ୍ରାବାସ (ଘରୋଇ)ରେ ଆଜି ସକାଳେ କୌଣସି କାରଣରୁ ହଠାତ କେତେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବଡ଼ଚଣା

Advertisment

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରେ ଦୁଇଜଣ ଛାତ୍ର ଓ ୪ ଜଣ ଛାତ୍ରୀ ଥିବା ଜଣାପଡ଼ିଛି। ଚଣ୍ଡିଖୋଲ କଲେଜର ଛାତ୍ର ଅଂଶୁମାନ ସାହୁ, ଛାତ୍ରୀ ଶୁଭଶ୍ରୀ ସାମଲ, ସ୍ମୃତିପ୍ରଜ୍ଞା ରାଉତ ଓ ବିଜୟଲକ୍ଷ୍ମୀ ମଲ୍ଲିକ ଚିକିତ୍ସାଧୀନ ଥିଲେ। ସୁସ୍ଥ ହେବା ପରେ ସେମାନଙ୍କୁ ପରିବାର ଲୋକେ ଆସି ଘରକୁ ନେଇଯାଇଥିବା ଜଣାଯାଇଛି।

ମିଳିଥିବା ଖବର ଅନୁସାରେ ଆଜି ସକାଳେ ଛାତ୍ରାବାସ ପକ୍ଷରୁ ସେଠାରେ ରହୁଥିବା ପିଲାମାନଙ୍କୁ ଜଳଖିଆରେ ବରା ଓ ମଟର ତରକାରି ଦିଆ ଯାଇଥିଲା। ଜଳଖିଆ ଖାଇ ସାରିବା ପରେ ଏମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ବଡ଼ଚଣା ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ଚିକିତ୍ସା କରିବା ସହ ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରାବାସରେ ବ୍ୟବହାର ହେଉଥିବା ପାଣି ଦୂଷିତ ହେବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ଏହି ଛାତ୍ରାବାସରେ ଦ୍ଵିତୀୟ ବର୍ଷର ୧୫୦ ଛାତ୍ରଛାତ୍ରୀ ରହୁଛନ୍ତି। ବର୍ତ୍ତମାନ କଲେଜ ଛୁଟି ଥିବାରୁ କେବଳ ସମରକୋର୍ସ ପାଇଁ ୫୦ ଜଣ ଛାତ୍ରଛାତ୍ରୀ ଅଛନ୍ତି।